Latest Odisha News

BREAKING NEWS

ଅଡୁଆରେ ଜୟପ୍ରଦା, ଗିରଫ କରି କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ 

ନୂଆଦିଲ୍ଲୀ: ବଢିଲା ପୂର୍ବତନ ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ଜୟପ୍ରଦାଙ୍କ ଅଡୁଆ। ତାଙ୍କ ବିରୋଧରେ ଜାରି ଜାମିନବିହୀନ ଗିରଫ ପରୱାନା ବଳବତ୍ତର ରଖିଛନ୍ତି ଉତ୍ତରପ୍ରଦେଶର ରାମପୁରସ୍ଥିତ ସ୍ବତନ୍ତ୍ର ଏମ୍/ଏସ୍ଏଲଏ କୋର୍ଟ। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସହ ଜଡିତ ୨ଟି ମାମଲାରେ ଜୟପ୍ରଦାଙ୍କୁ ଲାଗିଛି ଶକ୍ତ ଝଟକା। ଜୟପ୍ରଦାଙ୍କ ଓକିଲ ଦାଖଲ କରିଥିବା ଦଲିଲକୁ କୋର୍ଟ ଖାରଜ କରିଛନ୍ତି। ଏଥିସହ ଜୟପ୍ରଦାଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ରାମପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖରେ ହେବ ।

୨୦୧୯ ଲୋକସଭା ନିର୍ବାଚନ ବେଳେ ଜୟପ୍ରଦା ବିଜେପି ଟିକେଟରେ ରାମପୁର ଆସନରୁ ନିର୍ବାଚନ ଲଢୁଥିଲେ । ସେହି ସମୟରେ ସେ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ସ୍ବାର ଓ କେମରୀ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା । ଆଚରଣ ବିଧି ଜାରି ରହିଥିବା ସତ୍ତ୍ବେ ସେ ସ୍ବାର ଅଞ୍ଚଳରେ ଏକ ରାସ୍ତା ଉଦ୍‌ଘାଟନ କରିଥିଲେ। ଏଥିସହ କେମରୀ ଅଞ୍ଚଳରେ ଜନସଭାରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଉଭୟ ମାମଲାରେ ପୁଲିସ ତଦନ୍ତ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । କୋର୍ଟରେ ହାଜର ହୋଇ ବୟାନ ରଖୁବାକୁ ଜୟପ୍ରଦାଙ୍କୁ ବାରମ୍ବାର ନୋଟିସ କରାଯାଇଥିବା ସତ୍ତ୍ବେ ସେ ହାଜର ହୋଇନଥିଲେ । ତେଣୁ ଉଭୟ ମାମଲାରେ କୋର୍ଟ ଗିରଫଦାରୀ ୱାରେଣ୍ଟ ଜାରି କରିବା ସହ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଜୟପ୍ରଦା ହାଜର ନ ହୋଇ ନିଜ ଓକିଲଙ୍କୁ ପଠାଇଥିଲେ । ମାତ୍ର ଓକିଲ ଦାଖଲ କରିଥିବା ଦଲିଲକୁ କୋର୍ଟ ଖାରଜ କରିବା ସହ ତାଙ୍କୁ ଗିରଫ କରି ହାଜର କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

Comments are closed.