Latest Odisha News

BREAKING NEWS

ଗିରଫ ହେଲେ ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା

କଟକ: ଓଡିଶା କିକ୍ରେଟ୍ ଆସୋସିଏସନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗୁରୁବାର ଦିନ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି ।

ଏହାସହିତ ହୋଟେଲ ସୋଲାନର ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଅର୍ଥତତ୍ତ୍ୱ ଚିଟଫଣ୍ଡ କମ୍ପାନୀଠାରୁ କୋଟିଏ ଟଙ୍କା ଆଣିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଆଜି ସିବିଆଇର ୧୨ ଜଣିଆ ଟିମ୍ ତାଙ୍କ ଘରେ ଚଢାଉ କରିବା ପରେ ତାଙ୍କୁ ଗିରଫ କରିଛି ।

ଅପରପକ୍ଷରେ ସେପ୍ଟେମ୍ବର ୨୭ ତାରିଖରେ ହେବାକୁ ଥିବା ଓସିଏର ନିର୍ବାଚନ ପୂର୍ବରୁ ଶ୍ରୀ ବେହେରାଙ୍କୁ ଗିରଫ କରାଯାଇଛି ।

ଏସପି(ସିବିଆଇ) ଜେନ୍ ରାଣା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ସ୍କାମର ତଦନ୍ତ ସମୟରେ ଆଶିର୍ବାଦ ବେହେରାଙ୍କ ବିରୋଧରେ ଏକ ପ୍ରାଥମିକ ଚାର୍ଜସିଟ୍ ଦାଖଲ ହୋଇଥିଲା । ସେହିପରି ଭୁବନେଶ୍ୱରସ୍ଥିତ ଖାରବେଳ ନଗରରେ ଥିବା ହୋଟେଲ୍ ମାଲିକ କମଳାକାନ୍ତ ଦାସ ତଥୀ ଅର୍ଥତତ୍ତ୍ୱ ଗ୍ରୁପର ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆଙ୍କ ବିରୋଧରେ ମଧ୍ୟ ସିବିଆଇର ସ୍ୱତନ୍ତ୍ର ଅଦାଲତରେ ଚାର୍ଜସିଟ୍ ଦାଖଲ ହୋଇଛି ।

ଗତ ୨୦୧୪ ମସିହା ଅଗଷ୍ଟ ୧୬ ତାରିଖରେ ସିବିଆଇ ଖୁଣ୍ଟିଆଙ୍କୁ ବାଟମଙ୍ଗଳା ସ୍ଥିତ ଘରୁ ଗିରଫ କରିଥିଲା । ଏହି ଘଟଣାରେ ଶ୍ରୀ ବେହେରା ଓ ଦାସଙ୍କୁ ପଚରାଉଚରା କରିବା ଲାଗି ସିବିଆଇ ସମନ କରିିଥିଲା ।

ଦୀର୍ଘ ୫ବର୍ଷ ପରେ ଶ୍ରୀ ବେହେରାଙ୍କୁ କାହିଁକି ଗିରଫ କରାଯାଇଛି, ସେ ପ୍ରଶ୍ନର ଉତ୍ତରରେ ଏସପି କହିଛନ୍ତି, ତାଙ୍କ ବିରୋଧରେ ସ୍ପେଶାଲ୍ କୋର୍ଟଙ୍କ ପକ୍ଷରୁ ଏକ ଜାମିନ ବିହୀନ ଗିରଫ ନନ-ୱାରେଣ୍ଟ ଜାରି କରିବା ପରେ ବେହେରାଙ୍କୁ ଗିରଫ କରାଯାଇଛି । ଅପରପକ୍ଷରେ ସିବିଆଇ ତାଙ୍କୁ ରିମାଣ୍ଡରେ ନେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଏସମ୍ପର୍କରେ ଶ୍ରୀ ବେହେରା ମୁହଁ ଖୋଲି କହିଛନ୍ତି ଯେ, କିଛି ଲୋକଙ୍କ ସୁଚିନ୍ତିତ ଷଡଯନ୍ତ୍ର ଯୋଗୁଁ ତାଙ୍କୁ ଗିରଫ କରାଯାଇଛି ।

ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଆଶିର୍ବାଦଙ୍କ ପୁଅ ସଞ୍ଜୟ ସିବିଆଇ କାର୍ଯ୍ୟକୁ ନିନ୍ଦା କରି କହିଛନ୍ତି, ବାପାଙ୍କୁ ଗିରଫ କରିବା ପୂର୍ବରୁ ପ୍ରଥମେ ସମନ ଜାରି କରାଯାଇଥାନ୍ତା । ଆହୁରି ମଧ୍ୟ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସେମାନେ ଖାଲି କୋର୍ଟ ନୋଟିସ୍ ଦେଖାଇ ତାଙ୍କୁ ଗିରଫ କରିଛନ୍ତି ।

ରଣଜୀ ଟ୍ରଫି ଏବଂ ଓଡିଶା ପ୍ରିମିୟର୍ ଲିଗ୍ ୨୦୧୧ ଓ ୨୦୧୨ ସିଜିନରେ ଅର୍ଥତତ୍ତ୍ୱ ଗ୍ରୁପକୁ ଓସିଏ ମାଧ୍ୟମରେ ସ୍ପୋନସର କରାଯାଉଥିବା ନେଇ ଅଭିଯୋଗକୁ ସଞ୍ଜୟ ଅସ୍ୱିକାର କରିଛନ୍ତି । ଏହାର ପ୍ରତିକ୍ରିୟାରେ ମୋ ବାପା ଏଟି ଗ୍ରୁପର ପ୍ରମୋଟରକୁ କେବଳ ଜାଣିଥିଲେ । ଓଡିଶା ପ୍ରିମିୟର୍ ଲିଗ୍(ଓପିଏଲ)କୁ ଏକ ସ୍ପୋନସର୍ କରିବା ନିଷ୍ପତ୍ତି ସର୍ବସମ୍ମତ କ୍ରମେ ଓସିଏର କାର୍ଯ୍ୟକର୍ତ୍ତା ନେଇଛନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଓସିଏ ନିର୍ବାଚନ ଲାଗି ନାମାଙ୍କନ ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୨୦ । ଏହାବ୍ୟତିତ ସେପ୍ଟେମ୍ବର ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୨୨ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ନେଇ ଦିନ ଧାର୍ଯ୍ୟ କରାଯାଇଛି ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିସିସିଆଇ କାର୍ଯ୍ୟକାରୀ ସମିତିର ସିଇଓଙ୍କ ନିର୍ଦ୍ଦେଶାନୁସାରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଚିବ, ଯୁଗ୍ମ ସଚିବ, କୋଷାଧ୍ୟକ୍ଷ ଓ ଓସିଏ ପରିଷଦର ସଦସ୍ୟ ପଦ ଲାଗି ନିର୍ବାଚିତ ହେବ ।

Leave A Reply

Your email address will not be published.