Latest Odisha News

BREAKING NEWS

ଅଗଷ୍ଟ ସୁଦ୍ଧା କଂଗ୍ରେସକୁ ଫେରିବେ ଗମାଙ୍ଗ ପରିବାର!

ଭୁବନେଶ୍ୱର: ବରିଷ୍ଠ ଆଦିବାସୀ ନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ତାଙ୍କ ପରିବାର ସଦସ୍ୟଙ୍କ ସହ ଚଳିତ ମାସ ଶେଷ ସୁଦ୍ଧା କଂଗ୍ରେସକୁ ଫେରିପାରନ୍ତି। ଗମାଙ୍ଗ, ତାଙ୍କ ପତ୍ନୀ ହେମାବତୀ ଏବଂ ପୁଅ ଶିଶିର ହାଇଦ୍ରାବାଦରେ ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ଯୋଗ ଦେବାର ଛଅ ମାସ ପରେ ପୁଣିଥରେ କଂଗ୍ରେସକୁ ଫେରିବାକୁ ଯାଉଥିବା ସୂଚନା ରହିଛି।

ଶିଶିରଙ୍କ କହିବାନୁସାରେ, ନିକଟରେ ସେ ନୂଆଦିଲ୍ଲୀରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲାକୁମାରଙ୍କୁ ଭେଟିଥିଲେ। ଗିରିଧର ଗମାଙ୍ଗଙ୍କ ପରିବାର ସଦସ୍ୟଙ୍କୁ କଂଗ୍ରେସକୁ ଫେରାଇ ଆଣିବା ନେଇ ପୂର୍ବରୁ ଆଲୋଚନା ହୋଇସାରିଛି। କଂଗ୍ରେସକୁ ଫେରିବା ପାଇଁ ସେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିବାର ମଧ୍ୟ ସମ୍ଭାବନା ରହିଛି। ସେ କହିଛନ୍ତି, ଆଶା କରୁଛୁ ଚଳିତ ମାସ ଶେଷ ସୁଦ୍ଧା ଆମେ କଂଗ୍ରେସକୁ ଫେରିବୁ। ଆମର ପୂରା ପରିବାର କଂଗ୍ରେସକୁ ଫେରିବ ବୋଲି ସେ କହିଛନ୍ତି।

ଦଳରେ ଅନେକ ସକାରାତ୍ମକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ଶିଶିରଙ୍କ ପରିବାର ସଦସ୍ୟ କଂଗ୍ରେସକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ପ୍ରଭାବ ପକାଇଛି ବୋଲି କହିଥିବାବେଳେ କଂଗ୍ରେସ ମଧ୍ୟ ଆଗକୁ ବଢୁଛି ବୋଲି ଶିଶିର କହିଛନ୍ତି।

ଯଦି ସବୁକିଛି ଯୋଜନା ଅନୁଯାୟୀ ଚାଲେ ତେବେ ଚଳିତ ମାସ ଶେଷ ସୁଦ୍ଧା ନୂଆଦିଲ୍ଲୀରେ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ଯୋଗଦାନ ଉତ୍ସବ ଅନୁଷ୍ଠିତ ହୋଇପାରେ।

ସୂଚନାଯୋଗ୍ୟ, ଗମାଙ୍ଗ ପରିବାର ବିଜେପି ଛାଡ଼ିବା ପରେ ଜାନୁଆରୀ ୨୭ ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ହାଇଦ୍ରାବାଦରେ ବିଆରଏସରେ ଯୋଗ ଦେଇଥିଲେ। ତେବେ ଓଡ଼ିଶାରେ ବିଆରଏସ୍ ନିଜର ନିର୍ବାଚନୀ ଯୋଜନାକୁ ନେଇ ସ୍ପଷ୍ଟନଥିବାରୁ ସେମାନେ ଏବେ ପୁଣି କଂଗ୍ରେସରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିଆରଏସ ମଧ୍ୟ ଓଡ଼ିଶାରେ ସଦସ୍ୟତା ଅଭିଯାନ ଆରମ୍ଭ କରି ରାଜ୍ୟ ପଦାଧିକାରୀ ଘୋଷଣା କରିନାହିଁ।

ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଧର ଗମାଙ୍ଗ ଶେଷଥର ପାଇଁ କୋରାପୁଟ ଲୋକସଭା ଆସନରୁ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ବିଜେଡିର ଝିନା ହିକକାଙ୍କଠାରୁ ପରାଜିତ ହୋଇଥିଲେ। ୧୯୭୨ ରୁ ୨୦୦୪ ମଧ୍ୟରେ ଏହି ଆସନରୁ ନଅ ଥର ସାଂସଦ ହୋଇଥିଲେ। କିନ୍ତୁ ସେ ୨୦୧୫ ରେ କଂଗ୍ରେସ ଛାଡି ତାଙ୍କ ପୁଅ ସହିତ ବିଜେପିରେ ଯୋଗ ଦେଇଥିଲେ। ଉଭୟ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଜାନୁଆରୀ ୨୫ ତାରିଖରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଏହାର ଦୁଇ ଦିନ ପରେ ବିଆରଏସରେ ଯୋଗ ଦେଇଥିଲେ।

Comments are closed.