Latest Odisha News

ପୂର୍ତ୍ତ ବିଭାଗର ପୂର୍ବତନ ସଚିବ ନବକିଶୋର ରଥଙ୍କ ପରଲୋକ

ଭୁବନେଶ୍ୱର : ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତଥା ସଚିବ ନବ କିଶୋର ରଥଙ୍କର ଆଜି ଦେହାନ୍ତ ଘଟିଛି । ଲକ୍ଷ୍ମୀସାଗର ସ୍ଥିତ ତାଙ୍କ ବାସଭବନରେ ୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

୨୦୦୬ରେ ପୁରୀ ଜଗନ୍ନାଥ ମନ୍ଦିରର ସଂରକ୍ଷଣ ଓ ମରାମତି କାମ ପାଇଁ ଏଏସ୍‌ଆଇ ପକ୍ଷରୁ ଗଠନ କରାଯାଇଥିବା ବୈଷୟିକ ଟିମ୍‌ରେ ସେ ଜଣେ ସଦସ୍ୟ ରହିଥିଲେ ।

୧୯୬୦ ମସିହାରେ ପାଟନା ଇଂଜିନିଅରିଂ କଲେଜରୁ ସିଭିଲ୍ ଇଂଜିନିଅରିଂ ଶେଷ କରିବା ପରେ ପୂର୍ତ୍ତ ବିଭାଗରେ ଏସଡିଓ ଭାବେ ଚାକିରୀ ଆରମ୍ଭ କରିଥିଲେ । ଏହା ପରେ ସେ ଚାରବାଟିଆ ସ୍ଥିତ ଆଭିଏସନ ରିସର୍ଚ୍ଚ ସେଣ୍ଟରରେ ସହକାରୀ ଯନ୍ତ୍ରୀ ଭାବେ କାମ କରିଥିଲେ । ପରେ ପଦୋନ୍ନତି ପାଇ ଏକଜିକ୍ୟୁଟିଭ୍ ଇଂଜିନିଅର ଓ ସୁପରିଟେଣ୍ଡେଣ୍ଟ ଇଂଜିନିଅର ଭାବେ କାମ କରିଥିଲେ ।

ରାଜଧାନୀର ଭବ୍ୟ ନିର୍ମାଣ ସୌଧ ତିଆରି ପଛର ମଣିଷ ହେଉଛନ୍ତି ସ୍ୱର୍ଗତ ନବକିଶୋର ରଥ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ମଧ୍ୟ ସେ ଇଂଜିନିଅରିଂ ସଦସ୍ୟ ଭାବେ କାର୍ଯ୍ୟ କରିବା ସହିତ ଓଡିଶା ବ୍ରିଜ୍ ଓ କନଷ୍ଟ୍ରକସନ କର୍ପୋରେସନର ନିର୍ଦ୍ଦେଶକ ଭାବେ କାମ କରିଥିଲେ ।

୧୯୯୭ ମସିହାରେ ସେ ଇଂଜିନିଅର ଇନ ଚିଫ୍ ତଥା ସଚିବ ପଦରୁ ଅବସର ଗ୍ରହଣ କରିଥିଲେ ।

ଶ୍ରୀ ରଥଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ପତ୍ନୀ ଓ ତିନି ପୁଅ ଓ ତିନି ବୋହୂ ଉପସ୍ଥିତ ଥିଲେ ।

Leave A Reply

Your email address will not be published.