Latest Odisha News

BREAKING NEWS

“ଭରସା ଅଛି, ଇତିହାସ ମୋ ସହିତ ନ୍ୟାୟ କରିବ”, କାହିଁକି ଏପରି କହିଥିଲେ ମନମୋହନ ସିଂହ ?

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଛି। ତାଙ୍କ ଦେହାନ୍ତରେ ଦେଶ ସାରା ଶୋକର ଲହରୀ ଖେଳିଯାଇଛି। ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ପରଲୋକରେ କେନ୍ଦ୍ର ସରକାର ୭ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।

ମନମୋହନ ଭାରତର ଆର୍ଥିକ ବିଦ୍ବାନ ଭାବରେ ବେଶ ଜଣାଶୁଣା। ୧୦ ବର୍ଷର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟକାଳ ସମୟରେ ସେ ଭାରତୀୟ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିଥିଲେ। ଡକ୍ଟର ମନମୋହନ ସିଂହଙ୍କ ସମୟରେ ଆର୍ଥିକ ଉଦାରିକରଣ ଓ ଲାଇସେନ୍ସ ରାଜର ସମାପ୍ତି ହୋଇଥିଲା। ତାଙ୍କ ସରକାର ସମୟରେ ସୂଚନା ଅଧିକାର, ଶିକ୍ଷା ଅଧିକାର ସହିତ ଭୋଜନରୁ ଆରମ୍ଭ କରି ରୋଜଗାର ପର୍ଯ୍ୟନ୍ତ ଯୋଜନା ଆରମ୍ଭ ହୋଇଥିଲା।

ଏସବୁ ଭିତରେ କିଛି ଦିନ ପାଇଁ ବିବାଦ ଘେରରେ ରହିଥିଲେ ମନମୋହନ। ତାଙ୍କ ସମୟରେ ଦରଦାମ ବୃଦ୍ଧି, ଟେଲିକମ, କୋଇଲା ଘୋଟଲା ଭଳି ସମସ୍ୟା ସାରା ଦେଶରେ ରହିଥିଲା। ଏମିତିକି ତାଙ୍କୁ ମଧ୍ୟ ଅଯୋଗ୍ୟ ପ୍ରଧାନମନ୍ତ୍ରୀ ବୋଲି ଶୁଣିବାକୁ ପଡିଥିଲା। ହେଲେ ସେ କହିଥିଲେ, “ମୋର ଭରସା ଅଛି, ଇତିହାସ ମୋ ସହିତ ନ୍ୟାୟ କରିବ”। ସେ ଗଣମାଧ୍ୟମକୁ କହିଥିଲେ, ଭାରତ ସରକାରଙ୍କ କ୍ୟାବିନେଟର ସମସ୍ତ ତଥ୍ୟ ଏଠାରେ ଉପସ୍ଥାପନ କରିବ ଠିକ ହେବ ନାହିଁ। କିନ୍ତୁ ମୁ ଦେଶ ପାଇଁ ଯେତିକି କରିଛି ଠିକ ଆଉ ଭଲ କରିଛି ବୋଲି ସେ କହିଥିଲେ।

ସେ କେବେ କାହାକୁ ଉଚ୍ଚ ସ୍ଵରରେ କଥା କହୁନଥିଲେ। ବହୁ ଗମ୍ଭୀର ରାଜନୈତିକ ପରିସ୍ଥିରେ ମଧ୍ୟ ତାଙ୍କୁ ହସୁଥିବାର ଦେଖିବାକୁ ମିଳୁଥିଲା। ସଂସଦରେ ଅନେକ ପ୍ରତିକୂଳ ପରିସ୍ଥିତି ଦେଖା ଯାଇଥିଲେ ମଧ୍ୟ ସେ କେବେହେଲେ ସାଂସଦ ପଦର ମର୍ଯ୍ୟାଦା କରି ନ ଥିଲେ।

ମନମୋହନ ୧୯୮୨ ମସିହାରୁ ୧୯୮୫ ଜାନୁଆରୀ ମାସ ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବରେ କାର୍ଯ୍ୟ ତୁଳାଇଥିଲେ। ଜୁନ ୧୯୯୧ ରୁ ୧୯୯୬ ପର୍ଯ୍ୟନ୍ତ ପି ଭି ନରସିଂହ ରାଓଙ୍କ ସରକାର ସମୟରେ ଅର୍ଥମନ୍ତ୍ରୀ ଥିଲେ। ମାର୍ଚ୍ଚ ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବରେ ନେତୃତ୍ୱ ନେଇଥିଲେ। ପରେ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବରେ ରହିଥିଲେ। ୧୯୯୧ ରୁ ୨୦୨୪ ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ରହିଥିଲେ। ସ୍ବାସ୍ଥ୍ୟବସ୍ଥା ଖରାପ କାରଣରୁ ହ୍ଵିଲ ଚେୟାରରେ ତାଙ୍କୁ ସଂସଦରେ ଦେଖିବାକୁ ମିଳିଥିଲା।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Leave A Reply

Your email address will not be published.