କଟକ: ମହାନଦୀରୁ ପୂର୍ବତନ ପ୍ରଫେସରଙ୍କ ମୃତଦେହ ଉଦ୍ଧାର ହୋଇଛି । କଟକ ଯୋବ୍ରା ବ୍ୟାରେଜ ନିକଟ ବ୍ୟାରେଜର ୯୩ ନମ୍ବର ଗେଟରେ ଲାଗିଥିବା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ରେଭେନ୍ସାର ପୂର୍ବତନ ପ୍ରଫେସର ବୈଷ୍ଣବ ଚରଣ ସିଂ । ତାଙ୍କ ଘର ରାଜେନ୍ଦ୍ରନଗରରେ ବୋଲି ଜଣାପଡିଛି ।
ପୋଲିସର ସୂଚନା ଅନୁଯାୟୀ, ବୈଷ୍ଣବ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପାଖ ଅଞ୍ଚଳରେ ରହୁଥିଲେ । ସେ ଗତ ୧୫ ତାରିଖରୁ ନିଖୋଜ ଥିଲେ । ଏନେଇ ପରିବାର ଲୋକେ ନନ୍ଦନକାନନ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା ପୋଲିସ । ତେବେ ସ୍ଥାନୀୟ ଲୋକେ ବୈଷ୍ଣବଙ୍କ ମୃତଦେହ ମହାନଦୀରେ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି ।
ତେବେ ପୂର୍ବତନ ପ୍ରଫେସର ବୈଷ୍ଣବ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ । ପୋଲିସ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ବିଭିନ୍ନ ଘଟଣାର ତଦନ୍ତ କରୁଛି ।