ନବରଙ୍ଗପୁର: ଲାଞ୍ଚୁଆ ତହସିଲଦାରଙ୍କୁ ମିଳିଳା ୩ ବର୍ଷ କାରାଦଣ୍ଡ । ଜମି ପଞ୍ଜୀକରଣ ପାଇଁ ତହସିଲଦାରଙ୍କ ୨୦ ହଜାର ଟଙ୍କା ଲାଞ୍ଚ ମାମଲାରେ ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି କୋଡିଗାଁ ତହସିଲଦାରଙ୍କୁ ଏହି କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ତହସିଲଦାର ହେଲେ ନବରଙ୍ଗପୁର ଜିଲ୍ଲା କୋଡିଗାଁ ତହସିଲଦାର ସୁବ୍ରତ କୁମାର ବେହେରା ।
ଖବର ମୁତାବକ, ସୁବ୍ରତ କୁମାର ବେହେରା ୨୦୨୦ ମସିହାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ତହସିଲଦାର ଓ ସବରେଜିଷ୍ଟାର ରହିଥିଲେ । ସେ ଜଣେ ବ୍ୟକ୍ତି ତାଙ୍କ ଜମି ବିକ୍ରି କରିବାକୁ ଚାହୁଁଥିବା ବେଳେ ଏ ସଂପର୍କିତ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ପାଇଁ ୨୦୨୦ ନଭେମ୍ବର ୧୬ ତାରିଖରେ କୋଡିଗାଁ ତହସିଲଦାର ସୁବ୍ରତ କୁମାର ବେହେରା ତାଙ୍କ ଠାରୁ ଲାଞ୍ଚ ମାଗିଥିଲେ । ଏନେଇ ଉକ୍ତ ବ୍ୟକ୍ତି ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଯୋଜନା ମୁତାବକ ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ତତ୍କାଳୀନ ତରଭା ତହସିଲଦାର ସୁବ୍ରତ ବେହେରା ।
ଏନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ରାୟ ଶୁଣାଇଛନ୍ତି । ତହସିଲଦାରଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଦଣ୍ଡାଦେଶ ଆଧାରରେ ତହସିଲଦାରଙ୍କୁ ତାଙ୍କ ଚାକିରିରୁ ବରଖାସ୍ତ କରିବା ପାଇଁ ରାୟ ଶୁଣାଇଛନ୍ତି ।