Latest Odisha News

ଉଚ୍ଚଶିକ୍ଷାରେ ଏସସି/ଏସଟି ସଂରକ୍ଷଣ ସଂଶୋଧନ ଦାବି କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ

ଭୁବନେଶ୍ୱର: ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅନୁସୂଚିତ ଜାତି ଓ ଜନଜାତି (ଏସ୍ ଟି)ଙ୍କ ପାଇଁ ସଂଶୋଧିତ ସଂରକ୍ଷଣ କୋଟା ଲାଗୁ କରିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଦାବି କରିଛନ୍ତି। ୨୦୨୪-୨୫ ଶିକ୍ଷାବର୍ଷରୁ ଏହି ପରିବର୍ତ୍ତନ ଲାଗୁ କରିବାକୁ ନେତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଶ୍ରୀକାନ୍ତ ଜେନା ଓ ଅନନ୍ତ ସେଠୀ କହିଛନ୍ତି, ରାଜ୍ୟ ସରକାର ୨୦୧୫ମସିହାରେ ଅନୁସୂଚିତ ଜାତି ଓ ଜନଜାତି ସଂପ୍ରଦାୟ ପାଇଁ ସଂରକ୍ଷଣ ୨୦ ପ୍ରତିଶତରୁ ୨୮.୭୫ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଘୋଷଣା ଅନୁଯାୟୀ ୨୨.୫% ସିଟ୍ ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଏବଂ ୧୭.୨୫% ଏସସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ । ଏହି ସଂଶୋଧନ ଉଭୟ ସରକାରୀ ଓ ବେସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ସମେତ ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନ ତଥା ରାଜ୍ୟର ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ଲାଗୁ ହେବ।

ଚିଠିରେ କୁହାଯାଇଛି ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଉଚ୍ଚଶିକ୍ଷା ବିଭାଗ ସେହି ବର୍ଷ ଏକ ନିର୍ଦ୍ଦେଶନାମା ଜାରି କରି ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସଂଶୋଧିତ ସଂରକ୍ଷଣ ନୀତି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲା।

ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସଂଶୋଧିତ ସଂରକ୍ଷଣ କାର୍ଯ୍ୟକାରୀ ହୋଇନଥିବାରୁ ନେତାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜନଗଣନା ତଥ୍ୟ ଅନୁଯାୟୀ ଓଡ଼ିଶାର ମୋଟ ଜନସଂଖ୍ୟାର ପ୍ରାୟ ୫୨% ହେଉଛନ୍ତି ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟ।

୨୦୨୪-୨୫ ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ପଛୁଆ ବର୍ଗଙ୍କ ପାଇଁ ସଂଶୋଧିତ ସଂରକ୍ଷଣ ଲାଗୁ କରିବା ଜରୁରୀ ବୋଲି ଶ୍ରୀକାନ୍ତ ଜେନା ଓ ଅନନ୍ତ ସେଠୀ ଚିଠିରେ ନିବେଦନ କରିଛନ୍ତି।

Comments are closed.