Latest Odisha News

କୀଟନାଶକ ପିଇ ୪ ଶିଶୁ ଗୁରୁତର, ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ

ଭଦ୍ରକ: ଗୁରୁବାର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଝିଙ୍କିରିଆ ଗ୍ରାମରେ କୀଟନାଶକ ପିଇ ଦୁଇ ଭାଇ ଭଉଣୀଙ୍କ ସମେତ ୪ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ପିଲାଙ୍କ ପରିଚୟ ମିଳିନଥିବା ବେଳେ ସେମାନେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଚାରି ଜଣ ପିଲା, ଦୁଇ ଭାଇ ଭଉଣୀ, ଜଣେ ୧୮ ମାସର ବାଳକ ଏବଂ ଅନ୍ୟ ଏକ ପରିବାରର ଜଣେ ତିନି ବର୍ଷର ଝିଅ ଚାଷ ଜମି ପାଖରେ ଖେଳୁଥିଲେ। ଯେଉଁଠି ‘ଆକ୍ଟିଭ-୮୦’ ବୋଲି ଲେଖାଥିବା ଏକ କୀଟନାଶକ ବୋତଲ ପଡ଼ିଥିଲା। ଖେଳୁଥିବା ବେଳେ ପିଲାମାନେ ବୋତଲରେ ଥିବା କୀଟନାଶକକୁ ପାଣି ଭାବି ପିଇ ଦେଇଥିଲେ ବୋଲି ଅଭିଯୋଗ ରହିଛି।

ଏହାପରେ ପିଲାମାନେ ଅସ୍ୱାଭାବିକ ଆଚରଣ କରୁଥିବା ଦେଖି ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ସେମାନଙ୍କୁ ତିହିଡି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ପରେ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଜଣେ ଗ୍ରାମବାସୀ ପ୍ରଥମେ ସେମାନଙ୍କୁ ବିଲ ପାଖରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଏହା ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଥିଲେ ବୋଲି ଜଣେ ଗୁରୁତରଙ୍କ ସମ୍ପର୍କୀୟ କହିଛନ୍ତି।

ଚିକିତ୍ସା କରୁଥିବା ଡାକ୍ତରମାନେ ସେମାନଙ୍କୁ ଅବଜରଭେସନରେ ରଖିଥିବା ବେଳେ ଆବଶ୍ୟକ ପଡ଼ିଲେ କଟକ ଏସସିବି ମେଡିକାଲକୁ ରେଫର୍ କରାଯିବ ବୋଲି କହିଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ କେଉଁ କାରଣରୁ କୀଟନାଶକ ବୋତଲ ଚାଷ ଜମିରେ ପଡିଥିଲା ତାହା ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.