Latest Odisha News

ଗ୍ୟାସ ଦର କମିବ, କେନ୍ଦ୍ର ସରକାର ନିୟମରେ କଲେ ସଂଶୋଧନ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଅତିଷ୍ଠ ସାଧାରଣ ଜନତାଙ୍କୁ ଗ୍ୟାସ୍ ଦରରେ ବଡ଼ ଆଶ୍ୱସ୍ତି ମିଳିପାରେ। ଦରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ନୂଆ ଫର୍ମୁଲାକୁ ଅନୁମୋଦନ ଦେଇଛନ୍ତି। ଯାହାଫଳରେ ଖୁବ୍ ଶୀଘ୍ର ସିଏନଜି ଓ ପିଏନଜି ଦରରେ ୧୦ ପ୍ରତିଶତ ଯାଏ ହ୍ରାସ ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

କ୍ୟାବିନେଟ୍ ଏପିଏମ( Administered Price  Mechanism) ଗ୍ୟାସ୍ ପାଇଁ ଏମଏମବିଟିୟୁ ଡଲାର ପିଛା ୪ ଡଲାର ମୂଲ୍ୟକୁ ଅନୁମୋଦନ ଦେଇଛନ୍ତି ଏବଂ ଏହାର ସର୍ବୋଚ୍ଚ ମୂଲ୍ୟ ଏମଏମବିଟିୟୁ ଡଲାର ପିଛା ୬.୫ ଟଙ୍କା ଧାର୍ଯ୍ୟ କରିଛନ୍ତି। ଏହି ମୂଲ୍ୟ ସୀମା ଦୁଇ ବର୍ଷ ପାଇଁ ରହିବ ଏବଂ ଏହା ପରେ ଏହା ପ୍ରତିବର୍ଷ ୦.୨୫ ଡଲାର ହାରରେ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ କହିଛନ୍ତି। କିରୀଟ ପାରିଖଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ ଆଧାରରେ ଗ୍ୟାସ ମୂଲ୍ୟ ନିର୍ଦ୍ଧାରଣ ଫର୍ମୁଲାରେ ପରିବର୍ତ୍ତନ କରାଯାଇଛି।

କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ସରକାର ଘରୋଇ ପ୍ରାକୃତିକ ଗ୍ୟାସ୍ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଏକ ନୂଆ ଫର୍ମୁଲାକୁ ଅନୁମୋଦନ କରିଛନ୍ତି। ଏହାବ୍ୟତୀତ ସିଏନଜି ଏବଂ ପାଇପ୍ ଯୋଗେ ରନ୍ଧନ ଗ୍ୟାସ୍ ଯୋଗାଇବା ଉପରେ ମଧ୍ୟ ସୀମା ଧାର୍ଯ୍ୟ କରାଯାଇଛି। ଏହି ସୀମା ଦୁଇ ବର୍ଷ ପାଇଁ ଲାଗୁ ହେବ। ଠାକୁର କହିଛନ୍ତି ଯେ କ୍ୟାବିନେଟ୍ ଏପିଏମ୍ ଗ୍ୟାସ୍ ପାଇଁ ଏମଏମବିଟିୟୁ ପିଛା ୪ ଡଲାରର ମୂଳ ମୂଲ୍ୟକୁ ଅନୁମୋଦନ କରିଛନ୍ତି। ଏହାର ସର୍ବାଧିକ ମୂଲ୍ୟ ଏମଏମବିଟିୟୁରେ $୬.୫ ଧାର୍ଯ୍ୟ କରାଯାଇଛି।

ଏହି ନିଷ୍ପତ୍ତି ପରେ ଦିଲ୍ଲୀରେ ସିଏନଜି ଦର କିଲୋ ପିଛା ୭୯.୫୬ ଟଙ୍କାରୁ ୭୩.୫୯ ଟଙ୍କା ଏବଂ ପିଏନଜି ଦର ହଜାରେ କ୍ୟୁବିକ୍ ମିଟର ପିଛା ୫୩.୫୯ ଟଙ୍କାରୁ ୪୭.୫୯ ଟଙ୍କାକୁ ହ୍ରାସ ପାଇବ।

ଠାକୁର କହିଛନ୍ତି, ନୂଆ ଫର୍ମୁଲା ଅନୁଯାୟୀ ଘରୋଇ ପ୍ରାକୃତିକ ଗ୍ୟାସର ମୂଲ୍ୟ ଏବେ ଅନ୍ତର୍ଜାତୀୟ ହବ୍ ଗ୍ୟାସ ପରିବର୍ତ୍ତେ ଆମଦାନୀ ହେଉଥିବା ଅଶୋଧିତ ଗ୍ୟାସ ସହ ଯୋଡ଼ା ଯିବ। ଘରୋଇ ଗ୍ୟାସର ମୂଲ୍ୟ ଏବେ ଭାରତୀୟ ଅଶୋଧିତ ତୈଳର ବିଶ୍ୱ ମୂଲ୍ୟର ମାସିକ ହାରାହାରିର ୧୦ ପ୍ରତିଶତ ହେବ। ପ୍ରତି ମାସରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ।

ଏହାଦ୍ୱାରା ପିଏନଜି, ସିଏନଜି, ସାର କାରଖାନା ଆଦି ଉପକୃତ ହେବେ। ଏହାର ସିଧାସଳଖ ଲାଭ ଚାଷୀ ଓ ଖାଉଟିଙ୍କୁ ମିଳିବ।

Leave A Reply

Your email address will not be published.