Latest Odisha News

BREAKING NEWS

ଦିଲ୍ଲୀରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ: ଚାରି ଜଣଙ୍କ ମୃତ୍ୟୁ, ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ସତର୍କତା

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଦେଶର ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ଏନସିଆରରେ ପ୍ରବଳ ବର୍ଷା, ଝଡ଼ତୋଫାନ ସହିତ କୁଆପଥର ମାଡ଼ ଯୋଗୁଁ ୪୦ରୁ ଅଧିକ ବିମାନ ଅନ୍ୟତ୍ର ଡାଇଭର୍ଟ ହୋଇଥିବା ବେଳେ ପ୍ରାୟ ୧୦୦ଟି ବିମାନ ବିଳମ୍ବିତ ହୋଇଛି। ଦିଲ୍ଲୀର ଦ୍ୱାରକାରେ ପ୍ରବଳ ପବନ ଯୋଗୁଁ ଏକ ନିମ୍ବ ଗଛ କ୍ଷେତରେ ଥିବା ଏକ ଟ୍ୟୁବୱେଲ ଉପରେ ପଡ଼ିଥିଲା । ଏହା ଫଳରେ ସେହି ନିର୍ମାଣ ଭାଙ୍ଗି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ୨୬ ବର୍ଷୀୟ ମହିଳା ଓ ତାଙ୍କର ତିନି ସନ୍ତାନ ମାଟିରେ ପୋତି ହୋଇ ରହିଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରି ଆରଟିଆର ହସ୍ପିଟାଲକୁ ନେଇଥିଲେ, କିନ୍ତୁ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଛି। ମହିଳାଙ୍କ ସ୍ୱାମୀ ଅଜୟ ଏହି ଘଟଣାରେ ସାମାନ୍ୟ ଆଘାତ ପାଇଛନ୍ତି।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବର୍ଷା ପରେ ବିଭିନ୍ନ ଅଞ୍ଚଳରେ ପରିଦର୍ଶନ କରିଥିଲେ। ଦିଲ୍ଲୀ ପାଇଁ ଜାରି ହୋଇଥିବା ରେଡ ଆଲର୍ଟକୁ ଏବେ ଅରେଞ୍ଜ ଆଲର୍ଟରେ ପରିବର୍ତ୍ତନ କରାଯାଇଛି। ସକାଳ ୫ଟା ୩୦ରୁ ୫ଟା ୫୦ ମଧ୍ୟରେ ପ୍ରଗତି ମୈଦାନରେ ସର୍ବାଧିକ ୭୮ କିମି ପ୍ରତି ଘଣ୍ଟା ବେଗରେ ପବନ ବହିଥିଲା। ଅନ୍ୟାନ୍ୟ ଅଞ୍ଚଳ ଯଥା ଆଇଜିଏନଓୟୁରେ ୫୨ କିମି, ନଜଫଗଡ଼ରେ ୫୬ କିମି ଏବଂ ଲୋଧି ରୋଡ଼ ଓ ପିତମପୁରାରେ ୫୯ କିମି ପ୍ରତି ଘଣ୍ଟା ବେଗରେ ପବନ ବହିଥିଲା। ଅଚାନକ ବର୍ଷା ଯୋଗୁଁ ଲାଜପତ ନଗର, ଆରକେ ପୁରମ ଓ ଦ୍ୱାରକା ଭଳି ଅଞ୍ଚଳରେ ଜଳାର୍ଣ୍ଣବ ହୋଇଥିଲା ।

ଦିଲ୍ଲୀ ବିମାନବନ୍ଦର ଏକ୍ସରେ ଏକ ଆଡ଼ଭାଇଜରି ଜାରି କରି କରାଯାଇଥିଲା । ଖରାପ ପାଗ ଯୋଗୁଁ କିଛି ବିମାନ ପ୍ରଭାବିତ ହୋଇଛି ଏବଂ ଯାତ୍ରୀମାନଙ୍କୁ ସେମାନଙ୍କ ବିମାନ ସୂଚୀ ପାଇଁ ନିଜ ଏୟାରଲାଇନ୍ସ ସହ ଯୋଗାଯୋଗ ରଖିବାକୁ ପରାମର୍ଶ ଦିଆଯାଇଛି। ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ମଧ୍ୟ ଏହି ସତର୍କତା ଜାରି କରିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଆଗାମୀ ଦୁଇରୁ ତିନି ଘଣ୍ଟା ମଧ୍ୟରେ ଉତ୍ତର, ପୂର୍ବ ଓ ଦକ୍ଷିଣ ଭାରତର କିଛି ଅଞ୍ଚଳରେ ପ୍ରବଳ ଝଡ଼ତୋଫାନ, ପ୍ରବଳ ପବନ ଓ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାର କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ବିଜୁଳି ସହ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ପବନର ବେଗ ୬୦-୭୦ କିମି ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ଚେତାବନୀ ଦେଇଛି ଯେ ଏହି ଝଡ଼ତୋଫାନ ଯୋଗୁଁ ଚାଳ ଘର, ଚାଷ ଜମି ଓ ଗଛ ଗୁଡ଼ିକରେ କ୍ଷତି ହୋଇପାରେ ଏବଂ ବିଦ୍ୟୁତ ସରବରାହ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇପାରେ।

Comments are closed.