ନୂଆଦିଲ୍ଲୀ: ନେପାଳ ପରେ ଫ୍ରାନ୍ସରେ ମଧ୍ୟ ସରକାରଙ୍କୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ସେଠାକାର ନାଗରିକ ମାକ୍ରୋନ୍ ସରକାରଙ୍କ ବିରୋଧରେ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇ ବିରୋଧ କରିବା ସହ ପୋଡ଼ାଜଳା ମଧ୍ୟ କରିଛନ୍ତି।
ଏଥିସହିତ ପ୍ୟାରିସରେ ଫ୍ରାନ୍ସ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଷ୍ଟ୍ରପତି ମାକ୍ରୋନ୍ ସାରା ଦେଶରେ ୮୦ ହଜାର ସେନା କର୍ମଚାରୀଙ୍କୁ ମୁତୟନ କରିଛନ୍ତି ଓ ଏପର୍ଯ୍ୟନ୍ତ ୨୦୦ ପ୍ରଦର୍ଶନକାରୀଙ୍କୁ ଗିରଫ କରି ଅଟକ ରଖାଯାଇଛି। ତେବେ ଫ୍ରାନ୍ସରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତେଣୁ ପୋଲିସ ଲୁହ ବୁହା ଗ୍ୟାସ ସେଲ୍ ସହିତ ଲାଠିଚାର୍ଜ କରିବାରେ ଲାଗିଛି। ଏହି ପ୍ରତିବାଦ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ ସମେତ ସାରା ଦେଶରେ ମଧ୍ୟ ଦେଖିବାକୁ ମିଳିଛି।
ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଫ୍ରାନ୍କୋଇସ୍ ବେରୁଙ୍କ ସରକାରର ପତନ ହେବା ଫଳରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଙ୍କୁ ବର୍ଷକ ମଧ୍ୟରେ ଚତୁର୍ଥ ଥର ପାଇଁ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ପଡିଥିଲା। ଏହା ପରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା। ଏଥିସହିତ ମାକ୍ରୋନ୍ ସରକାରଙ୍କ ଉପରେ ଦୁର୍ନୀତି ଏବଂ ଜନସାଧାରଣଙ୍କୁ ଅଣଦେଖା କରିବାର ମଧ୍ୟ ଅଭିଯୋଗ ରହିଛି।
ପୂର୍ବରୁ ପ୍ରଧାନମନ୍ତ୍ରୀ ବାୟରୁ ଦେଶର ଭବିଷ୍ୟତ ପାଇଁ ସାଧାରଣ ଋଣକୁ ଏକ ବଡ଼ ବିପଦ ବୋଲି କହିବା ସହ ଏହାର ମୁକାବିଲା ପାଇଁ କଠୋର ଆର୍ଥିକ ନୀତି ଅବଲମ୍ବନ କରିବାକୁ ପଡ଼ିବ ବୋଲି କହିଥିଲେ। ଯାହାଦ୍ଵାରା ଜନସାଧାରଣଙ୍କ ମଧ୍ୟରେ ଏକ ଅସୁରକ୍ଷିତ ଭାବନାକୁ ବୃଦ୍ଧି କରିଥିଲା। ପରେ, ଟେଲିଗ୍ରାମ, ଟିକଟକ୍ ଏବଂ X ରେ #ବ୍ଲକନସ ଟାଉଟ୍ ହ୍ୟାସଟ୍ୟାଗ୍ ସହିତ ଏକ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଯାହାର ଲକ୍ଷ୍ୟ ଫ୍ରାନ୍ସର ସମସ୍ତ କାର୍ଯ୍ୟକଳାପ ବନ୍ଦ କରିବା ଥିଲା।
ତେବେ ଫ୍ରାନ୍ସରେ ବର୍ତ୍ତମାନ ଚାଲିଥିବା ଏହି ପ୍ରତିବାଦକୁ ସରକାର ବିରୋଧୀ ବାମପନ୍ଥୀ ଦଳ ଏବଂ ଅନ୍ୟାନ୍ୟ ଗୋଷ୍ଠୀ ସମର୍ଥନ କରୁଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି।
Comments are closed.