ନୂଆଦିଲ୍ଲୀ: ୧୨୮ ବର୍ଷ ତଳେ ଏକ ଭୟାବହ ସଂଘର୍ଷ ହୋଇଥିଲା। ଯୁଦ୍ଧରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷର ରାଜାଙ୍କ ମୁଣ୍ଡ କାଟି ବିଜୟର ଟ୍ରଫି ଭାବେ ସାଙ୍ଗରେ ନିଜ ଦେଶକୁ ନେଇ ଯାଇଥିଲେ। ଇତିହାରର ଏହି ଭୟାବହ ଯୁଦ୍ଧ ଫ୍ରାନ୍ସ ଓ ମାଡାଗାସ୍କର ମଧ୍ୟରେ ହୋଇଥିଲା। ଏଥିରେ ଫ୍ରାନ୍ସ ସୈନିକ ମାଡାଗାସ୍କରର ରାଜାଙ୍କ ମୁଣ୍ଡ କାଟି ନେଇଥିଲେ। ଆଫ୍ରିକାର ପୂର୍ବ ଉପକୂଳରେ ଭାରତ ମହାସାଗରରେ ଥିବା ମାଡାଗାସ୍କର ଦ୍ବୀପରେ ହୋଇଥିବା ଏହି ଭୟାବହ ସଂଘର୍ଷକୁ ଏବେବି ମନେ ରଖିଛନ୍ତି ଏଠାକାର ଜନଜାତି। ଦୀର୍ଘ ବର୍ଷ ପରେ ମାଡାଗାସ୍କରକୁ 3ଟି ମଣିଷ ଖପୁରୀ ଫେରାଇଛି ଫ୍ରାନ୍ସ। ଏସବୁକୁ ପ୍ୟାରିସର ସଂଗ୍ରହାଳୟରେ ରଖାଯାଇଥିଲା।
1897 ଯୁଦ୍ଧର କାହାଣୀ
ଉନବିଂଶ ଶତାବ୍ଦୀର ଆରମ୍ଭରେ ମାଡାଗାସ୍କରର ଅଧିକାଂଶ ଅଂଶ ମେରିନା ସାମ୍ରାଜ୍ୟ ଅଧୀନରେ ଥିଲା। ରଦାମା-1 ନାମକ ରାଜା ଏହାକୁ ଶାସନ କରୁଥିଲେ। ସେ ବ୍ରିଟିଶ ସାମ୍ରାଜ୍ୟବାଦୀଙ୍କ ସହ ବନ୍ଧୁତା କରିବା ସହ ଖ୍ରୀଷ୍ଟ ଧର୍ମ ପ୍ରଚାର କରିଥିଲେ। ତେବେ ତାଙ୍କ ମୃତ୍ୟୁ ପରେ ପୁଣି ୟୁରୋପ ସହ ସଂପର୍କ ସ୍ଥାପନ ହୋଇଥିଲା। 1895ରେ ଫ୍ରାନ୍ସ ସେନା ମାଡାଗାସ୍କରର ରାଜଧାନୀ ତାନାନାରିବ କବଜା କରି ନେଇଥିଲେ। ଭାରତ ମହାସାଗରର ରଣନୈତିକ କ୍ଷେତ୍ର କୁହାଯାଉଥିବା ମାଡାଗାସ୍କର ଉପରେ ନିୟନ୍ତ୍ରଣ ମଜବୁତ କରିବାକୁ ଉଦ୍ୟମ କରିଥିଲେ ଫ୍ରାନ୍ସ ଜେନେରାଲ ଜୋସେଫ ଗେଲିଏନି। ଏହି ସମୟରେ ବ୍ୟାପକ ହିଂସା ଦେଖିବାକୁ ମିିଳିଥିଲା। ରାଜା ଟୋଏରା ଓ ତାଙ୍କର ଅନେକ ଅନୁଗତଙ୍କ ଜୀବନ ଯାଇଥିଲା।
ରାଜା ଟୋଏରାଙ୍କ ମୁଣ୍ଡ କାଟିନେଲେ
ମାଡାଗାସ୍କରର ମେନାବେ କ୍ଷେତ୍ରର ସମ୍ମାନିତ ନେତା ଥିଲେ ରାଜା ଟୋଏରା। ସେ ସ୍ବାଧୀନତା ରକ୍ଷା କରିବା ସହ ବିଦେଶୀ ପ୍ରଭୁତାକୁ ବିରୋଧ କରିଥିଲେ। ପଶ୍ଚିମ ମାଡାଗାସ୍କର ଉପରେ ନିୟନ୍ତ୍ରଣ ସ୍ଥାପନ କରିବା ଦିଗରେ ସେ ଫ୍ରାନ୍ସ ଆଗରେ ସବୁଠୁ ବଡ଼ ବାଧା ହୋଇଥିଲେ। 1897 ମସିହା ଅଗଷ୍ଟ 29-30 ତାରିଖ ରାତିରେ ଫ୍ରାନ୍ସ ସେନାର ଅଭିଯାନ ଜୋରଦାର ହୋଇଥିଲା। ରାଜା ଟୋଏରା ଆଲୋଚନା କରିବାକୁ ଆଗ୍ରହ ଦେଖାଇବା ସତ୍ତ୍ବେ ଅମ୍ବିକି ଗାଁରେ ଅଚାନକ ଆକ୍ରମଣ କରିଥିଲା ଫ୍ରାନ୍ସ ସେନା। ଫଳରେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିଲା। ରାଜା ଟୋଏରାଙ୍କ ମୁଣ୍ଡ କାଟି ନେଇ ଯାଇଥିଲେ ଫ୍ରାନ୍ସ ସେନା।
128 ବର୍ଷ ପରେ ଫେରାଇଲେ ଖପୁରୀ
ଫ୍ରାନ୍ସର ଜାତୀୟ ସଂଗ୍ରହାଳୟରେ ଥିବା ଏସବୁ ଖପୁରୀ ମାନବୀୟ ଗରିମାର ଉଲ୍ଲଂଘନ କରିବା ସହ ଉପନିବେଶକ ହିଂସାକୁ ଦର୍ଶାଉଥିବା ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ରଚିଦା ଦାତି କହିଛନ୍ତି। ମାଡାଗାସ୍କରର ମନ୍ତ୍ରୀ ବେଲାମିରାନ୍ତୀ ଡୋନା ମାରା ଖପୁରୀ ଫେରାଯିବାକୁ ପ୍ରଶଂସା କରିଛନ୍ତି। ଏହା ଅତୀତକୁ ବର୍ତ୍ତମାନ ସହ ଯୋଡୁଥିବା ଅଦୃଶ୍ୟ ଅଂଶ ବୋଲି ସେ କହିଛନ୍ତି। ମିଳିତ ବୈଜ୍ଞାନିକ ସମିତି ଏସବୁ ଖପୁରୀ ସକଲଓ୍ବା ଗାଁର ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଏଥିରେ ରାଜା ଟୋଏରାଙ୍କ ଖପୁରୀ ରହିଛି କି ନାହିଁ ସେନେଇ ସ୍ପଷ୍ଟ ହୋଇନି।
ଆସନ୍ତା ରବିବାର ଏସବୁ ଖପୁରୀ ମାଡାଗାସ୍କର ଫେରିବ। ସେଠାରେ 128 ବର୍ଷ ପରେ ସମାନ ଦିନରେ ରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଅନ୍ତିମ ସଂସ୍କାର କରାଯିବ। ଗତ ଏପ୍ରିଲରେ ମାଡାଗାସ୍କର ଗସ୍ତ କରି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ ମାଡାଗାସ୍କରର ଖୁନୀ ଓ ଦୁଃଖବ ଉପନିବେଶୀକରଣ ପାଇଁ କ୍ଷମା ମାଗିବାକୁ କହିଥିଲେ। 1960ରେ ଫ୍ରାନ୍ସ ଠାରୁ ସ୍ବାଧୀନତା ପାଇଥିଲା ମାଡାଗାସ୍କର।
Comments are closed.