Latest Odisha News

BREAKING NEWS

ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ ନାଁରେ ଦେଢ କୋଟିର ଠକେଇ

କଟକ: ଦିନକୁ ଦିନ ବଢିଚାଲିଛି ଠେକଇ ମାମଲା। ସାଇବର ଅପରାଧି କଥା ଛାଡନ୍ତୁ, ଭଲ ଚାକିରି କରୁଥିବା ବ୍ୟକ୍ତି ମଧ୍ୟ ଏବେ ନିରିହ ଲୋକଙ୍କୁ ଠକିବା ଆରମ୍ଭ କଲେଣି।  ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ କରାଇବାକୁ କହି ପ୍ରାୟ ଦେଢ କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଛି। ଏନେଇ ଯୁବକଙ୍କୁ ବାନ୍ଧିଲା ଲାଲବାଗ ଥାନା ପୋଲିସ। ଏକାଧିକ ଲୋକଙ୍କୁ ଠକୁଥିଲା ଅଭିଯୁକ୍ତ। ଗିରଫ ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ମାଛଗାଁ ଅଞ୍ଚଳର ଆଶିଷ ଜେନା।

ଏକାଧିକ ଘରୋଇ ବ୍ୟାଙ୍କରେ ଥିବା ଆଶିଷଙ୍କ ୬ଟି ଆକାଉଣ୍ଟ ଫ୍ରିଜ୍ କଲା ପୋଲିସ। ଏହା ସହ ଗୋଟିଏ ଦାମୀ କାର୍, ଦୁଇଟି ମୋବାଇଲ ଫୋନ୍ ଓ ଲାପ୍‌ଟପ୍ ଜବତ କରାଯାଇଛି। ଆଶିଷ ଜେନା ଏକ ଘରୋଇ ବ୍ୟାଙ୍କରେ କାମ କରୁଛନ୍ତି। ୨୦୨୦ ରୁ ୨୦୨୪ ମସିହା ଭିତରେ ସେ ୩ଟି ବଡ଼ ଆର୍ଥିକ ଠକେଇ ମାମଲାରେ ସମ୍ପୃକ୍ତ ଅଛନ୍ତି। ଭୁବନେଶ୍ୱରର ଜଣେ ମହିଳାଙ୍କ ଠାରୁ ୭୦ ଲକ୍ଷ ୧୨ ହଜାର ୯୬୮ ଟଙ୍କା, କଟକର ଜଣେ ବ୍ୟକ୍ତିଙ୍କ ଠାରୁ ୮୨ ଲକ୍ଷ ୫୨ ହଜାର ୮୩୧ ଟଙ୍କା ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ୬ ଲକ୍ଷ ଟଙ୍କାର ଆର୍ଥିକ ଠକେଇ କରିଥିବା ଜଣାପଡିଛି।

ଏହିପରି ଏକାଧିକ ବ୍ୟକ୍ତିଙ୍କ ଠାରୁ ସେ ମୋଟ ଏକ କୋଟି ୫୮ ଲକ୍ଷ ଟଙ୍କାର ଠକେଇ କରିଛନ୍ତି। ମ୍ୟୁଚୁଆଲ‌୍ ଫଣ୍ଡରେ ନିବେଶ ନାଁରେ ଅଭିଯୋଗକାରୀମାନଙ୍କ ଠାରୁ ଏହି ଟଙ୍କା ଆଣିଛନ୍ତି। କିଛି ଅର୍ଥ ବିନିଯୋଗ କରି ବାକି ଟଙ୍କାରେ ଅଏସ୍ କରିଥିବା ଜଣାପଡ଼ିଛି। ଏପରିକି ଏହି ଅର୍ଥରେ ସେ ବିଦେଶ ଭ୍ରମଣ ବି କରିଛନ୍ତି। ଏନେଇ ଆଶିଷଙ୍କୁ ଏବେ ଲାଲବାଗ ଥାନା ପୋଲିସ ଗିରଫ କରିତଦନ୍ତ ଜାରି ରହିଥିବା ଆଡିସନାଲ ଡିସିପି କହିଛନ୍ତି।

 

Comments are closed.