ଭୁବନେଶ୍ୱର: ଓଡିଶା, ଭରତ ଓ ସମଗ୍ର ବିଶ୍ଵରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ସମଗ୍ର ବିଶ୍ଵବାସୀ ପ୍ରଭାବିତ ହେଉଛନ୍ତି।ଯେଉଁଥିରୁ ଓଡିଶା ରାଜ୍ୟ ମଧ୍ୟ ବାଦ ପଡିନାହିଁ।
ଓଡିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ରାଜ୍ୟରେ କେତେକ ବ୍ୟକ୍ତିଙ୍କ ମଧ୍ୟ କାରୋନାରେ ମୃତ୍ୟୁ ଘଟିଛି। କରୋନା ମହାମାରୀ ଓଡିଆ ଜନ ଜୀବନକୁ ବିପର୍ଯ୍ୟସ୍ତ କରି ଦେଇଥିବା ବେଳେ କରୋନା ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛି କିଟ ବିଶ୍ୱବିଦ୍ୟାଳୟ।
କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅନୁରୋଧ କ୍ରମେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଓଡିଶାରେ କରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର କୌଣସି ପୁଅ ବା ଝିଅ କିଟରେ ବୈଷୟିକ ଉଚ୍ଚ ଶିକ୍ଷା ପାଇଁ ଯଦି ଆଗ୍ରହୀ ଥାନ୍ତି, ତେବେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ ସେମାନଙ୍କୁ କିଟ ବିଶ୍ଵବିଦ୍ୟାଳୟରେ ଯେ କୌଣସି ବୈଷୟିକ (ଟେକ୍ନିକାଲ) ଓ ବୃତ୍ତିଗତ (ପ୍ରୋଫେସନାଲ) ପାଠ୍ୟକ୍ରମରେ ସଂପୂର୍ଣ୍ଣ ମାଗଣାରେ ପଢିବାର ସୁଯୋଗ ଦିଆଯିବ।
ଆସନ୍ତା ଦୁଇ ଶିକ୍ଷାବର୍ଷ ୨୦୨୦-୨୧, ୨୦୨୧-୨୨ ବର୍ଷ ପାଇଁ ଏହା ଲାଗୁ ହେବ ବୋଲି କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷଣା କରା ଯାଇଛି।
କିଟରେ ଆଇଟିଆଇ, ଡିପ୍ଲୋମା ଇଞ୍ଜିନିୟରିଂ ସମେତ କିଟ ବିଶ୍ଵବିଦ୍ୟାଳୟର ସମସ୍ତ ବୈଷୟିକ ଶିକ୍ଷା (ଟେକ୍ନିକାଲ ଏଜୁକେଶନ) ଓ ବୃତ୍ତିଗତ ଶିକ୍ଷା (ପ୍ରୋଫେସନାଲ ଏଜୁକେଶନ) ପାଠ୍ୟକ୍ରମରେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ ଆବେଦନ କଲେ ସେମାନଙ୍କୁ ଏହି ସୁବିଧା ମିଳିବ।
ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ), ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ।
କରୋନା ମହାମାରୀ ସମୟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କାରୋନାରେ ଅସହାୟ ହୋଇପଡିଥିବା ଓଡିଶାବାସୀଙ୍କୁ କିଛିଟା ଆଶ୍ଵସ୍ତି ଦେବ ବୋଲି ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି।
ଆହୁରି ମଧ୍ୟ କରୋନାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ପିଲାଙ୍କୁ ସଂପୂର୍ଣ୍ଣ ମାଗଣା ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପାଇଁ ସୁଯୋଗ ଦେବାରେ କିଟ ବିଶ୍ଵର ଏକମାତ୍ର ଅନୁଷ୍ଠାନ ବୋଲି ସେ ପ୍ରକାଶ କରିଛନ୍ତି।
Comments are closed.