Latest Odisha News

BREAKING NEWS

Free Petrol Langar: ଜଲଦି ଯାଆନ୍ତୁ…ମାଗଣା ପେଟ୍ରୋଲ୍! ମାଗଣା ଆଇଫୋନ୍?

ଚଣ୍ଡିଗଡ: ମାଗଣାରେ ଖାଦ୍ୟ ବଣ୍ଟନ ହେଉଥିବା ଦେଖିଥିବେ, କିନ୍ତୁ ମାଗଣାରେ ପେଟ୍ରୋଲ ମିଳୁଛି ବୋଲି କେବେ ଶୁଣିଛନ୍ତି କି? ବର୍ତ୍ତମାନ ପେଟ୍ରୋଲ୍ ଦର ମହଙ୍ଗା ହେଉଥିବା ବେଳେ ଚଣ୍ଡୀଗଡ଼ରେ ଏଭଳି ଏକ ଅଭିନବ ପଦକ୍ଷେପକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅମୃତସରର ରାକେଶ ତ୍ରେହାନ। ସୋସିଆଲ ମିଡିଆରେ ସେ ‘ରାଜା ଦ କିଙ୍ଗ’ ନାମରେ ପରିଚିତ।  ସେ ପେଟ୍ରୋଲ୍ ଲଙ୍ଗର ଘୋଷଣା କରିଛନ୍ତି । ‘ଲଙ୍ଗର’ କହିଲେ ସାଧାରଣତଃ ମନେପଡ଼େ ମାଗଣା ଖାଦ୍ୟ। ଗୁରୁଦ୍ବାର ମାନଙ୍କରେ ମାଗଣା ଖାଦ୍ୟ ବଣ୍ଟନକୁ ଲଙ୍ଗର କୁହାଯାଏ । ଚଣ୍ଡୀଗଡ଼ରେ ଏବେ ଏମିତି ଏକ ‘ଲଙ୍ଗର’କୁ ନେଇ ଚର୍ଚ୍ଚା, ଯେଉଁଠି ଲୋକଙ୍କୁ ଖାଇବା ନୁହେଁ, ମିଳୁଛି ପେଟ୍ରୋଲ!

ଲୋକଙ୍କୁ ନିଜ ଅନ୍ଦାଜରେ ସାହାଯ୍ୟ କରିବା ପାଇଁ ରାକେଶ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। କେବେ ନଗଦ ଟଙ୍କା, ତ କେବେ ଖାଦ୍ୟ ବଣ୍ଟନ କରୁଥିବା ରାକେଶ ଏବେ ମାଗଣା ପେଟ୍ରୋଲ ବାଣ୍ଟିବାକୁ ଘୋଷଣା କରିଛନ୍ତି। ଏହାସହ ଖୁବଶୀଘ୍ର iPhone ମଧ୍ୟ ମାଗଣାରେ ବାଣ୍ଟିବେ ବୋଲି ଜଣାପଡ଼ିଛି। ଏବେ ତାଙ୍କ ନୂଆ ‘ପେଟ୍ରୋଲ ଲଙ୍ଗର’ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାକେଶ ନିଜ ଏକ ଭିଡିଓରେ କହିଥିଲେ ଯେ ଅଗଷ୍ଟ ୧୮ ତାରିଖ ସନ୍ଧ୍ୟା ପ୍ରାୟ ୫ଟାରେ ଚଣ୍ଡୀଗଡ଼ର ସେକ୍ଟର-୧୦ ଓ ସେକ୍ଟର-୭ର ଦୁଇଟି ପେଟ୍ରୋଲ ପମ୍ପରେ ଲୋକଙ୍କୁ ପେଟ୍ରୋଲ ପାଇଁ କୁପନ ବଣ୍ଟନ କରାଯିବ। ଛୋଟ ଗାଡ଼ି ପାଇଁ ୫୦୦ ଟଙ୍କା ଏବଂ ବଡ଼ ଗାଡ଼ି ପାଇଁ ୧୦୦୦ ଟଙ୍କାର କୁପନ ଦିଆଯିବ ବୋଲି ସେ କହିଛନ୍ତି। ତାଙ୍କ କହିବା ଅନୁସାରେ, ଏଥିପାଇଁ ତାଙ୍କୁ ‘ମାତା ରାଣୀ’ଙ୍କ ଅନୁମତି ମିଳିଛି। ତେବେ ଯେଉଁମାନଙ୍କ ପାଖରେ ଗାଡ଼ି ନାହିଁ, ସେମାନେ କେବଳ ପେଟ୍ରୋଲ ନେବା ଆଶାରେ ସେଠାକୁ ଆସି ନିଜ ସମୟ ନଷ୍ଟ ନକରିବାକୁ ରାକେଶ ସ୍ପଷ୍ଟ କରିଛନ୍ତି।

ପେଟ୍ରୋଲ ଲଙ୍ଗର ପରେ ରାକେଶଙ୍କ ଆଉ ଏକ ଘୋଷଣା ତାଙ୍କୁ ଚର୍ଚ୍ଚାକୁ ଆଣିଛି। ଖୁବଶୀଘ୍ର ସେ iPhone ଲଙ୍ଗର କରିବେ ବୋଲି ଜଣାପଡ଼ିଛି। ଯଦି ଏହା ବାସ୍ତବରେ ହୁଏ, ତେବେ ମାଗଣା ପେଟ୍ରୋଲ ପରେ ମାଗଣା iPhone ବଣ୍ଟନ ତାଙ୍କ ‘ଲଙ୍ଗର’ର ଆଉ ଏକ ଅଜବ ଅଧ୍ୟାୟ ହେବ।

ରାକେଶ ତ୍ରେହାନଙ୍କ ଆୟ ଓ ଏଭଳି ଖର୍ଚ୍ଚ ପାଇଁ ଟଙ୍କା କେଉଁଠୁ ଆସୁଛି, ଏହା ନେଇ ମଧ୍ୟ ଲୋକଙ୍କ ମନରେ ପ୍ରଶ୍ନ ରହିଛି। ରାକେଶଙ୍କ ଦାବି ଅନୁସାରେ, ତାଙ୍କ ବାପା ଟେକ୍ସଟାଇଲ୍ ବ୍ୟବସାୟ କରୁଥିଲେ ଏବଂ ତାଙ୍କ ଦେହାନ୍ତ ହୋଇସାରିଛି। ବାପାଙ୍କ ସମ୍ପତ୍ତିରୁ ତାଙ୍କୁ ଏକ ଅଂଶ ମିଳିଛି। ଏହାସହ ସେ ୨୦୧୦ରୁ କ୍ରିପ୍ଟୋକରେନ୍ସି ଓ ସେୟାର ବଜାରରେ ନିବେଶ କରୁଥିବା ଦାବି କରିଛନ୍ତି। ବିଶେଷକରି ବିଟକଏନ୍‌ରୁ ମିଳୁଥିବା ଲାଭର ଏକ ଅଂଶ ସେ ଆବଶ୍ୟକତା ଥିବା ଲୋକଙ୍କ ସେବାରେ ଖର୍ଚ୍ଚ କରନ୍ତି ବୋଲି କହିଛନ୍ତି।

ନିକଟରେ ଚଣ୍ଡୀଗଡ଼ର ସେକ୍ଟର-୮ରେ ଆୟୋଜିତ ଏକ ଲଙ୍ଗରରେ ରାକେଶ ଲୋକଙ୍କୁ ୫୦୦ ଟଙ୍କିଆ ନୋଟ୍‌, ଫାଷ୍ଟଫୁଡ୍‌, ମ୍ୟାକଡୋନାଲ୍ଡସ୍‌ ବର୍ଗର ଓ କୋଲ୍ଡ ଡ୍ରିଙ୍କ ବାଣ୍ଟି ମଧ୍ୟ ଚର୍ଚ୍ଚାରେ ଆସିଥିଲେ।

ରାକେଶ ନିଜକୁ ସମାଜସେବା ସହ ଜଡ଼ିତ ବୋଲି କହୁଥିବାବେଳେ, ତାଙ୍କ ଏଭଳି ଅନନ୍ୟ ସାହାଯ୍ୟ କରିବାର ଶୈଳୀ ଏବେ ଚଣ୍ଡୀଗଡ଼ କ’ଣ ପୂରା ଦେଶରେ ଚର୍ଚ୍ଚାର ବଡ଼ କାରଣ ପାଲଟିଛି। ଏବେ ତାଙ୍କ ମାଗଣା ପେଟ୍ରୋଲ ବଣ୍ଟନ ଘୋଷଣା ଲୋକଙ୍କ ମଧ୍ୟରେ କୌତୂହଳ ବଢ଼ାଇଥିବା ବେଳେ, ଆଗକୁ ସେ କିପରି iPhone ବଣ୍ଟନ କରିବେ, ତାହା ଉପରେ ନଜର ରହିଛି।

Leave A Reply

Your email address will not be published.