ନୂଆଦିଲ୍ଲୀ: ଗୁଗଲ ମ୍ୟାପ୍, ସହଜ..ସରଳ ବାଟ ଦେଖାଇବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ଟେକନୋଲୋଜି । ହେଲେ ବିଡମ୍ବନାର ବିଷୟ, ପ୍ରତିଦିନ ଏଥିରେ ବାଟବଣା ହେଉଛନ୍ତି ଲୋକେ । କେଉଁଠି ଭୁଲ ବାଟ ଦେଖାଇ ମରୁଭୂମିରେ ଫସାଇଲାଣି ତ, ଆଉ କେଉଁଠି ବାଟବଣା ହୋଇ ଜୀବନ ହାରିଲେଣି ଲୋକ । ପ୍ରତିଦିନ ଗୁଗୁଲ ମ୍ୟାପ୍ ଡିରେକ୍ସନ ନେଇ କିଛି ନା କିଛି ରୋଚକ ଚିତ୍ର ସାମ୍ନାକୁ ଆସୁଛି । ଆଉ ଏବେ ପୁଣି ଦୁଇ ଜଣ ଫ୍ରେଞ୍ଚ ବ୍ୟକ୍ତିଙ୍କୁ ସିଧା ଆଣି ଉତ୍ତରପ୍ରଦେଶରେ ପହଞ୍ଚାଇ ଦେଇଛି ଗୁଗଲ ମ୍ୟାପ୍ ।
ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣ ଫ୍ରେଞ୍ଚ ବ୍ୟକ୍ତି ସାଇକେଲରେ ନେପାଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଯେଉଁଥିରେ ସେମାନେ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିଥିବା ବେଳେ ଭାୟା ତନକପୁର ଦେଇ ନେପାଳର କାଠମାଣ୍ଡୁ ପାଇଁ ବାହାରିଥିଲେ । ଯେଉଁଥିପାଇଁ ଗୁଗଲ ମ୍ୟାପର ସହାୟତା ନେଇଥିଲେ ଦୁଇ ବ୍ୟକ୍ତି । ଆଉ ଗୁଗଲ ମ୍ୟାପ, ବରେଲିର ବହେରି ଦେଇ ସେମାନଙ୍କୁ ସଟକଟ ରାସ୍ତା ଦେଖାଇଥିଲା । ହେଲେ ଦେଖିଲା ବେଳକୁ ପ୍ରାୟ ମଧ୍ୟରାତ୍ରି ବେଳକୁ ସେମାନେ ୟୁପିର ଚୁରାଇଲି ଡ୍ୟାମ୍ ପାଖରେ ପହଞ୍ଚିଥିଲେ । ମଝି ରାତିରେ ଏଭଳି ଦୁଇ ଜଣ ଅଜଣା ବ୍ୟବକ୍ତିଙ୍କୁ ଦେଖି, ପୋଲିସ ହେପାଜତରେ ଦେଇଥିଲେ ସେଠିକା ଗାଁ ଲୋକେ ।
ଯାହାକୁ ନେଇ ପୋଲିସ୍ କହିଛି, ଦୁଇ ଜଣ ଫ୍ରେଞ୍ଚ ବ୍ୟକ୍ତି ଗିଲବର୍ଟ ଏବଂ ଗାବରିଲ ଗତ ଜାନୁଆରୀ ୭ ତାରିଖରେ ପ୍ୟାରିସରୁ ଦିଲ୍ଲୀ ପାଇଁ ଉଡାଣ ଭରିଥିଲେ । ପରେ ସେମାନେ କାଠମାଣ୍ଡୁକୁ ସାଇକେଲ ଯୋଗେ ବାହାରିଥିଲେ । ହେଲେ ଗୁଗଲ ମ୍ୟାପ ଭୁଲ ରାସ୍ତାରା ଦେଖାଇବାରୁ ଦୁଇ ଜଣ ବ୍ୟକ୍ତି ଏଭଳି ଅପଦସ୍ତ ହୋଇଛନ୍ତି । ଗାଁ ଲୋକମାନେ ଦୁଇ ଜଣ ବ୍ୟକ୍ତିଙ୍କୁ ରାତି ଅଧରେ ସାଇକେଲ ଚଲାଉଥିବାର ଦେଖିଥିଲେ । ହେଲେ ସେମାନେ ସେମାନଙ୍କ ଭାଷା ବୁଝିପାରିନଥିଲେ । ଯେଭଳି ଦୁଇ ବିଦେଶୀଙ୍କ ସାଙ୍ଗରେ ସେଭଳି କିଛି ଘଟଣା ନଘଟୁ, ତେଣୁ ସେମାନଙ୍କୁ ତୁରନ୍ତ ନିକଟସ୍ଥ ପୋଲିସ୍ ଥାନା ନେଇଯାଇଥିଲେ ଗାଁ ଲୋକେ । ପରେ ସେମାନଙ୍କୁ ପଚରାଉଚରା ପରେ ସବୁ ସତ ଜଣାପଡିଥିଲା । ସେଦିନ ରାତିରେ ସେ ଗାଁରେ ରହିବା ପରେ, ତାଙ୍କୁ ସକାଳେ ଗାଁ ଲୋକମାନେ ସମ୍ମାନର ସହିତ ଠିକ୍ ରାସ୍ତା ବତାଇଦେଇ ବିଦାୟ ଦେିଥିଲେ ।
Comments are closed.