Latest Odisha News

BREAKING NEWS

ପୂର୍ବତନ ଅଲରାଉଣ୍ଡରଙ୍କ ରାଜନୈତିକ ମଇଦାନରେ ଡେବ୍ୟୁ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି କେଦାର ଯାଦବ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ ହୋଇଛନ୍ତି। ମଙ୍ଗଳବାର ମହାରାଷ୍ଟ୍ର ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାଭନକୁଲେଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି ।

ଭାଜପାରେ ଯୋଗଦେବା ପୂର୍ବରୁ କେଦାର ଯାଦବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ରବିନ୍ଦ୍ର ଚୌହ୍ବାନଙ୍କୁ ଭେଟିଥିଲେ। ଏହା ପରେ ସେ ମୁମ୍ବାଇ କ୍ରିକେଟ ଆସୋସିଏସନର ପୂର୍ବତନ ସଭାପତି ଏବଂ ଭାଜପାନେତା ଆଶିଷ ଶେଲାରଙ୍କୁ ଭେଟିଥିବା ଜଣାପଡ଼ିଛି।

ଭାଜପାରେ ଯୋଗଦେବା ପରେ କେଦାର ଯାଦବ କହିଛନ୍ତି ଯେ, ଦଳ ପକ୍ଷରୁ ତାଙ୍କୁ ଯେଉଁ ଦାୟିତ୍ୱ ମିଳିବ, ସେ ତାହାକୁ ପୂର୍ଣ୍ଣ ସଚ୍ଚୋଟତାର ସହିତ ପାଳନ କରିବାକୁ ଚେଷ୍ଟା କରିବେ।

ଗତ ବର୍ଷ ଜୁନ୍ ମାସରେ କେଦାର ଯାଦବ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିଲେ । ଏହି ସୂଚନା ସେ ସୋସିଆଲ୍ ମିଡିଆ ମାଧ୍ୟମରେ ଦେଇଥିଲେ । ସେ ପୁଣେର ବାସିନ୍ଦା ଅଟନ୍ତି ।

୪୦ ବର୍ଷୀୟ ଏହି ପୂର୍ବତନ କ୍ରିକେଟର ଭାରତୀୟ କ୍ରିକେଟ ଦଳ ପାଇଁ ୭୩ଟି ଦିନିକିଆ ଖେଳିଛନ୍ତି । ତାଙ୍କୁ ୯ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ସୁଯୋଗ ମିଳିଛି। ଜଣେ ଅଲରାଉଣ୍ଡର ଭାବରେ ଖେଳି ସେ ୭୩ଟି ଦିନିକିଆରେ ୧୩୮୯ ରନ କରିଛନ୍ତି ଏବଂ ୨୭ଟି ଓ୍ବିକେଟ ଅକ୍ତିଆର ମଧ୍ୟ କରିଛନ୍ତି । କିନ୍ତୁ ସେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଗୋଟିଏ ବି ବଲ ପକାଇ ନଥିଲେ।

ଭାଜପାରେ ଯୋଗଦେବା ପରେ କେଦାର ଆହୁରି କହିଛନ୍ତି ଯେ, ୨୦୧୪ ମସିହାରୁ, ଯେତେବେଳେ କେନ୍ଦ୍ରରେ ଭାଜପା ସରକାର କ୍ଷମତାକୁ ଆସିଲା, ସେମାନଙ୍କୁ ଯେଉଁ ପ୍ରକାରର ପ୍ରେମ ଏବଂ ସମର୍ଥନ ମିଳିଛି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଯେଉଁ ପ୍ରକାରର ସଫଳତା ହାସଲ କରିଛନ୍ତି, ତାହା ମୋତେ ବହୁତ ପ୍ରେରଣା ଦେଇଛି।

 

Comments are closed.