ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ଜୀବନ ଧାରଣ ପାଇଁ ଯେପରି ଆବଶ୍ୟକତା ରହିଛି ଯଥା:- ଅନ୍ନ, ବସ୍ତ୍ର ଓ ବାସଗୃହ। ସେହିପରି ଆତ୍ମାର ପ୍ରଗତି ନିମନ୍ତେ ଉପାସନା, ସାଧନା ଓ ଆରାଧନାର ପ୍ରୟୋଜନ ରହିଛି। ଉପାସନାର ଅର୍ଥ ହେଉଛି, ଭକ୍ତ ନିଜକୁ ଭଗବାନଙ୍କ ପାଖରେ ସମର୍ପଣ କରିବା । ସାଧନା ହେଉଛି ଯେପରି ସୁଗ୍ରୀବ, ବିଭୀଷଣ, ସୁଦାମା ଓ ଅର୍ଜୁନ ଆଦି ଭକ୍ତମାନେ ଯେଉଁ କର୍ମ କରି ଦେଖାଇଥିଲେ, ସେସବୁ ନିଜ ପୌରୁଷତ୍ୱପଣିଆ ବା ପରାକ୍ରମର ଫଳ ନ ଥିଲା, ସେଥିରେ ଈଶ୍ୱରଙ୍କ ମହାନତା ଥିଲା । ସେହିପରି ଜୀବନ ସାଧନା ଦ୍ୱାରା ଦୈବୀ ଅନୁଗ୍ରହ ମିଳିଥାଏ । ଉପାସନା ସହ ଏହାର ନିବିଡ଼ ସମ୍ବନ୍ଧ ରହିଛି । ବିଦ୍ୟୁତ୍ ଧାତୁ ପଦାର୍ଥରେ ଗତି କରେ, ମାତ୍ର ଶୁଖିଲା କାଠରେ ଗତି କରିପାରେ ନାହିଁ। ସେହିପରି ଭଗବାନଙ୍କ ନିକଟ ହେବା ପାଇଁ ନିଜ ଚରିତ୍ରକୁ ଶୁଦ୍ଧ ଓ ପବିତ୍ର କରିବାକୁ ହୁଏ । ଏଥିପାଇଁ ସାଧନା ଆବଶ୍ୟକ। ଆରାଧନାର ଅର୍ଥ – ଲୋକଙ୍କ ମଙ୍ଗଳ ସାଧନାରେ ନିରତ ରହିବା । ଜୀବନ ସାଧନାର ଅନ୍ୟ ରୂପ ଆତ୍ମ ସଂଯମ ଅଟେ।
ଆମ ପାପଗୁଡିକ ଈଶ୍ବରଙ୍କ ପ୍ରତି ଭକ୍ତି ଦ୍ୱାରା ଦୂର ହୋଇଯାଏ । ଈଶ୍ବରଙ୍କ ପ୍ରତି ଭକ୍ତି ହେତୁ, ଆମେ ପାପପୂର୍ଣ୍ଣ କାର୍ଯ୍ୟରୁ ରକ୍ଷା ପାଇଥାଉ । ପ୍ରକୃତ ଭକ୍ତି ଆମର ବୁଦ୍ଧି ଏବଂ ହୃଦୟକୁ ଏତେ ଶୁଦ୍ଧ ଏବଂ ନିର୍ମଳ କରିଥାଏ ଯେ ଭୁଲ୍ କରିବା ପୂର୍ବରୁ ଆମ ବିବେକ ଆମକୁ ଅଟକାଇଥାଏ। ମନକୁ ନିୟନ୍ତ୍ରଣ କରିବା ଏବଂ ଭଗବାନଙ୍କ ପାଦତଳେ ମନକୁ ରଖିବା ଅତ୍ୟନ୍ତ କଷ୍ଟକର । ଆରମ୍ଭରେ ଏଥିପ୍ରତି ମନୁଷ୍ଯ ପ୍ରସ୍ତୁତ ନୁହେଁ, କିନ୍ତୁ ଏହା ସାଧନାରୁ କିପରି ସିଦ୍ଧି ଲାଭ ? ଜଣେ ଶିଷ୍ୟ ଥିଲେ । ତାଙ୍କ ମନ ଈଶ୍ବରଙ୍କ ଉପାସନାରେ ଜଡିତ ରହୁ ନଥିଲା କିନ୍ତୁ ଆଧ୍ୟାତ୍ମିକ ଅଭ୍ୟାସ କରିବାର ଇଚ୍ଛା ଥିଲା । ଦିନେ ସେ ନିଜ ଗୁରୁଙ୍କ ନିକଟକୁ ଯାଇ କହିଥିଲେ – ହେ ଗୁରୁଦେବ ! ସାଧନା କରିବା ଭଳି ଅନୁଭବ କରୁଛି, କିନ୍ତୁ ମନ ଜଡିତ ହୋଇପାରୁନାହିଁ । ଗୁରୁ ଆଦେଶ ଦେଲେ ରାସ୍ତାରେ ବୁଲୁଥିବା ଦୁଇ କୁକୁର ଛୁଆଙ୍କୁ ନେଇ ଏକ ସପ୍ତାହ ସେମାନଙ୍କର ଯତ୍ନ ନିଅ ! ଗୁରୁଙ୍କ ଏହି ଅଜବ ଆଦେଶ ଶୁଣି ଭକ୍ତ ଆଶ୍ଚର୍ଯ୍ୟ ହୋଇଥିଲେ କିନ୍ତୁ କଣ କରିବେ, ଗୁରୁଙ୍କ ଆଦେଶ । ସେ କୁକୁର ଛୁଆକୁ ଧରିବାକୁ ଯାଇଥିଲେ କିନ୍ତୁ ଶିଷ୍ଯ ଧରିବାକୁ ଉଦ୍ୟତ ହେବା ମାତ୍ରେ ସେମାନେ ଦୌଡ଼ି ପଳାଉଥିଲେ । ବଡ କଷ୍ଟରେ ସେମାନଙ୍କୁ ଧରି ଆଣିଥିଲେ । କିଛି ସମୟ ରହିବା ପରେ ସେମାନେ ପୁଣି ପଳାଇ ଯାଇଥିଲେ । ପୁନର୍ବାର ସେମାନଙ୍କୁ ଆଣିଥିଲେ। ବର୍ତ୍ତମାନ ସେ କ୍ଷୀର ଓ ରୁଟି ଏକ ସପ୍ତାହ ପର୍ଯ୍ୟନ୍ତ ଖାଇବାକୁ ଦେଲେ । ସେ କୁକୁରମାନଙ୍କୁ ଏତେ ପରିଶ୍ରମ କଲେ ଯେ ବର୍ତ୍ତମାନ ସେମାନେ ତାଙ୍କୁ ଛାଡି ଯାଉନାହାଁନ୍ତି । ସେ ଯେଉଁଆଡେ ଯାଉଥିଲେ, କୁକୁରମାନେ ତାଙ୍କ ପଛେ ପଛେ ଦୌଡୁଥିଲେ । ଗୁରୁ ଏହା ଦେଖି ଆଦେଶ ଦେଲେ ଯେ, ଏହି କୁକୁରମାନଙ୍କୁ ତଡ଼ି ଦିଅ । ଶିଷ୍ଯ ଯେତେ ଉଦ୍ୟମ କଲେ ମଧ୍ୟ ସେହି ଛୁଆମାନେ ଆଉ ଯାଇ ନଥିଲେ । ଗୁରୁ କହିଥିଲେ – ହେ ଶିଷ୍ଯ ! ଆରମ୍ଭରେ ଏହି ଛୁଆମାନେ ତୁମ ସହିତ ରହିଲେ ନାହିଁ, କିନ୍ତୁ ତୁମେ ସେମାନଙ୍କୁ ଏତେ ସ୍ନେହ ଶ୍ରଦ୍ଧାରେ ରଖିଲ ଯେ ତୁମକୁ ଛାଡି କରି ଯିବାକୁ ଏବେ ସେମାନେ ପ୍ରସ୍ତୁତ ନୁହଁନ୍ତି । ଠିକ୍ ସେହିପରି ଭାବରେ, ତୁମେ ଯେତେ ଅଧିକ ସମୟ ଭଗବାନଙ୍କ ନିକଟରେ ବସିବ, ମନ ଧୀରେ ଧୀରେ ଈଶ୍ବରଙ୍କ ସୁଗନ୍ଧ ଏବଂ ଆନନ୍ଦରେ ବ୍ୟସ୍ତ ରହିବ। ଆମେ ଯେତେ ସମୟ ଭଗବାନଙ୍କୁ ସମର୍ପିତ ହେବ , ସେତେ ଭଗବାନଙ୍କ ନିକଟବର୍ତ୍ତୀ ହୋଇପାରିବ । ମନ ସେତେ ଈଶ୍ବରଙ୍କ ରସ ମଧୁପାନ କରିବ , ଏବଂ ଦିନ ଆସିବ ଯେ ଆମେ ତାଙ୍କ ବିନା ରହି ପାରିବା ନାହିଁ । ଆମ ସାଧନାରେ ଆମେ ସିଦ୍ଧି ଲାଭ କରିବା ।
ଚନ୍ଦ୍ରଗିରି, ଗଜପତି ୯୪୩୭୯୮୫୮୬୬
Comments are closed.