Latest Odisha News

BREAKING NEWS

ମାସୁଦ ପେଜେଶକିଆନ ଇରାନର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତି ନିର୍ବାଚନରେ କଠୋରପନ୍ଥୀ ଇସଲାମିଷ୍ଟଙ୍କୁ ଜବରଦସ୍ତ ଝଟକା ଲାଗିଛି । ନିର୍ବାଚନରେ ବାଜି ମାରିନେଇଛନ୍ତି ସଂସ୍କାରବାଦୀ ମାସୁଦ ପେଜେଶକିଆନ । କଠୋରପନ୍ଥୀ ପ୍ରାର୍ଥୀ ସଇଜ ଜଲିଲିଙ୍କୁ ହରାଇ ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଜଣେ ସଂସ୍କାରବାଦୀ ଓ ପାଶ୍ଚାତ୍ୟ ସମର୍ଥକ ଭାବେ ଜଣାଶୁଣା ମାସୁଦ ପେଜେଶକିଆନଙ୍କ ବିଜୟ ସିହା ମୁସଲିମ ବହୁଳ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଆୟୋତୋଲ୍ଲା ଖୋମିନୀଙ୍କ ଓ ତାଙ୍କ କଠୋରପନ୍ଥୀ  ସମର୍ଥକଙ୍କ ପ୍ରତି ଏକ ବଡ ଧକ୍କା ବୋଲି କୁହାଯାଉଛି ।

ଜୁନ ୨୮ ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଭୋଟିଂରେ କୌଣସି ପ୍ରାର୍ଥୀ ସଂଖ୍ୟାଗରିଷ୍ଠତା ହାସଲ କରିପାରିନଥିଲେ । ପ୍ରଥମ ପର୍ଯ୍ୟାୟ ମତଦାନ ହାର ମଧ୍ୟ ମାନ୍ଦା ରହିଥିଲା । ମାତ୍ର ୪୦ ପ୍ରତିଶତ ଭୋଟର ହିଁ ମତଦାନ କରିଥିଲେ, ଯାହା କି ଇରାନ ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ସର୍ବନିମ୍ନ । ରାଜନୈତିକ ସମୀକ୍ଷକମାନଙ୍କ ମତରେ କମ୍ ପ୍ରତିଶତ ମତଦାନରେ ସୁପ୍ରିମ ଲିଡର ଆୟୋତୋଲ୍ଲା ଖୋମିନିଙ୍କ ବିରୋଧରେ ଜନ ଅସନ୍ତୋଷ ପ୍ରତିଫଳିତ ହୋଇଛି ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଡକ୍ଟର ମାସୁଦ ପେଜେଶକିଆନ ୫୩ ପ୍ରତିଶତରୁ ଅଧିକ ଭୋଟ୍ ପାଇଛନ୍ତି । ତାଙ୍କ କଠୋରପନ୍ଥୀ ପ୍ରତିଦ୍ୱନ୍ଦୀ ସଇଦ ଜଲିଲି ୪୪ ପ୍ରତିଶତ ଭୋଟ୍ ପାଇଛନ୍ତି । ସୂଚନାଯୋଗ୍ୟ ଯେ, ଇରାନର ଗତ ରାଷ୍ଟ୍ରପତି ଇବ୍ରାହିମ ରଇସି ମେ’ ମାସରେ ଏକ ହେଲିକପଟର ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ନୂଆ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା ।

ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଡକ୍ଟର ପେଜେଶକିଆନଙ୍କୁ ଇରାନ ପ୍ରଗତିଶୀଳ ଯୁବ ଭୋଟରଙ୍କ ସମର୍ଥନ ଅଧିକ ମିଳିଥିବା କୁହାଯାଉଛି । ସେମାନେ ଇରାନରେ କଠୋର ଇସଲାମିକ ଶାସନ ଚାହୁଁନାହାନ୍ତି । ନିଜର ବିବାଦୀୟ ଆଣବିକ କାର୍ଯ୍ୟକ୍ରମ ପାଇଁ ବିଶ୍ୱରେ ଏକଘରିକିଆ ହୋଇଥିବା ଇରାନ ପୁଣି ମୁଖ୍ୟସ୍ରୋତକୁ ଫେରୁ ବୋଲି ଇରାନର ପ୍ରଗତିଶୀଳ ଯୁବ ଗୋଷ୍ଠୀ ଚାହାନ୍ତି । ଏ ପ୍ରକାର ବିଚାରଧାରା ରଖୁଥିବା ଯୁବ ଗୋଷ୍ଠୀ ପାଇଁ ଡକ୍ଟର ପେଜେଶକିଆନ ଉପଯୁକ୍ତ ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ।

ପୂର୍ବରୁ ହାର୍ଟ ସର୍ଜନ ଥିବା ଡକ୍ଟର ମାସୁଦ ପେଜେଶକିଆନ ଇରାନର ଏକଘରିକିଆ ସ୍ଥିତି ଶେଷ କରିବାକୁ ଚାହାନ୍ତି । ସେ ଇରାନର ଆଣବିକ କାର୍ଯ୍ୟକ୍ରମ ସଂପର୍କିତ ୨୦୧୫ରେ ହୋଇଥିବା ବୁଝାମଣା କାର୍ଯ୍ୟକାରୀ କରିବା ପାଇଁ ପାଶ୍ଚାତ୍ୟ ଦେଶଗୁଡିକ ସହ ପୁଣି ଥରେ ଆଲୋଚନା କରିବାକୁ ପ୍ରସ୍ତୁତ । ଇରାନ ଉପରୁ ଆର୍ଥିକ କଟକଣା ହଟୁ ବୋଲି ପେଜେଶକିଆନ ଚାହାନ୍ତି । ଏଥିପାଇଁ ସେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ସହ ଆଲୋଚନା ପାଇଁ କୋହଳ ମନୋଭାବ ପୋଷଣ କରିବେ ବୋଲି ନିର୍ବାଚନ ପ୍ରଚାର ବେଳେ ସ୍ପଷ୍ଟ କରିଥିଲେ ଡକ୍ଟର ପେଜେଶକିଆନ । ଏହାଛଡା ସେ ଇରାନର ରକ୍ଷଣଶୀଳ ମୋରାଲିଟି ପୋଲିସର ବିରୋଧୀ ଭାବେ ମଧ୍ୟ ଜଣାଶୁଣା ।

ଇରାନର ଅଧିକାଂଶ ଭୋଟର କଠୋରପନ୍ଥୀ ପ୍ରାର୍ଥୀ ସଇଦ ଜଲିଲିଙ୍କୁ ବିଜୟରୁ ବଂଚିତ କରିବା ପାଇଁ ୭୧ ବର୍ଷିୟ ଉଦାରବାଦୀ ଡକ୍ଟର ମାସୁଦ ପେଜେଶକିଆନଙ୍କୁ ଭୋଟ୍ ଦେଇଛନ୍ତି ବୋଲି କିଛି ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି । କାରଣ ସଇଦ ଜଲିଲ ରାଷ୍ଟ୍ରପତି ହେଲେ ପାଶ୍ଚାତ୍ୟ ଦେଶଗୁଡିକ ସହ ଇରାନର ତିକ୍ତତା ଆହୁରି ବଢିବ । ଏଥିସହ ଇରାନ ଉପରେ ଆହୁରି ଆର୍ଥକ କଟକଣା ଲାଗିବ ବୋଲି ଆଶଙ୍କା କରି ଅନେକ ଭୋଟର ଉଦାରବାଦୀ ଡକ୍ଟର ମାସୁଦ ପେଜେଶକିଆନଙ୍କୁ ଭୋଟ୍ ଦେବା ପାଇଁ ପସନ୍ଦ କରିଥିଲେ । ତେବେ, ପରାଜିତ ରାଷ୍ଟ୍ରପତି ପ୍ରାର୍ଥୀ ସୟିଦ ଜଲିଲିଙ୍କୁ ଇରାନ ବିଭିନ୍ନ ଧାର୍ମିକ ସଂଗଠନ ସମର୍ଥନ କରନ୍ତି ।

ଇରାନରେ ସୁପ୍ରିମ ଲିଡର ଆୟୋତୋଲ୍ଲା ଅଲ୍ଲୀ ଖୋମିନିଙ୍କ କଥାରେ ହିଁ ଶାସନ କାର୍ଯ୍ୟ ଚାଲେ । ତାଙ୍କ ଆଗରେ ଉଦାରବାଦୀ ଓ ସଂସ୍କାର କଥା କହୁଥିବା ନିର୍ବାଚିତ ରାଷ୍ଟ୍ରପତିମାନେ ମଧ୍ୟ ହାର ମାନନ୍ତି । ଏଥର କଣ ଡକ୍ଟର ମାସୁଦ ପେଜେଶକିଆନ ବ୍ୟତିକ୍ରମ ହେବେ ବୋଲି ପ୍ରଶ୍ନ ଉଠୁଛି ।

Comments are closed.