Latest Odisha News

BREAKING NEWS

କାରଗିଲରୁ ଅପରେସନ ସିନ୍ଦୂର: ପ୍ରତିରକ୍ଷା କ୍ଷେତ୍ରରେ କେତେ ବଦଳିଛି ଭାରତ ଓ ଏହାର ଯୁଦ୍ଧାସ୍ତ୍ର?

ନୂଆଦିଲ୍ଲୀ: ଭାରତ ପାଳୁଛି କାରଗିଲରେ ବିଜୟର ୨୬ ବର୍ଷ। ୧୯୯୯ର ଗ୍ରୀଷ୍ମ ଋତୁରେ, ଭାରତୀୟ ସୈନିକମାନେ କାରଗିଲର ଦୁର୍ଗମ ଶିଖରରେ ପାକିସ୍ତାନ ବିରୁଦ୍ଧରେ ଏକ ଅତ୍ୟନ୍ତ କଷ୍ଟକର ଯୁଦ୍ଧ ଲଢ଼ିଥିଲେ । ମେ ୩ରୁ ଆରମ୍ଭ ହୋଇ ଏହି ଯୁଦ୍ଧ ଜୁଲାଇ ୨୬ରେ ଶେଷ ହୋଇଥିଲା । ଆଉ ଏହାର ୨୬ ବର୍ଷ ପରେ ପହଲଗାମ ହତ୍ୟାକାଣ୍ଡ ପରେ ଏହି ବର୍ଷ ଏକ ଭୟଙ୍କର ଅପରେସନରେ ପାକିସ୍ତାନକୁ ପୁଣି ଥରେ ମୁକାବିଲା କରିଥିଲେ ଭାରତୀୟ ସେନା । ଆଉ ଜବାବ ୨୬ ବର୍ଷ ପୂର୍ବ ସହ ସମାନ ଥିଲା କିନ୍ତୁ କିଛି ଆଧୁନିକ ସ୍ବଦେଶୀ ପ୍ରତିରକ୍ଷା ଅସ୍ତ୍ର ସହ । କାରଗିଲ ଏକ ଲମ୍ବା ଯୁଦ୍ଧ ଥିଲା ଯାହା ମୁଖ୍ୟତଃ ପଦାତିକ ବାହିନୀ ଦ୍ୱାରା ସିଧାସଳଖ ଯୁଦ୍ଧ ଏବଂ ତୋପ ରେଜିମେଣ୍ଟରେ ଲଢ଼ାଯାଇଥିଲା, ଆଉ ଅପରେସନ ସିନ୍ଦୂର ହେଉଛି କ୍ଷେପଣାସ୍ତ୍ର, ବାୟୁ ପ୍ରତିରକ୍ଷା ଏବଂ ଘାତକ ଯୁଦ୍ଧାସ୍ତ୍ର ସହିତ ଏକ ଯୋଗାଯୋଗହୀନ ଅପରେସନ । ଏହି ଦୁଇ ଦଶନ୍ଧି ଭିତରେ ଭାରତୀୟ ସଶସ୍ତ୍ର ବାହିନୀର ବୀରତ୍ୱ, ସାହସ ଏବଂ ନିଷ୍ଠା ସମାନ ରହିଛି, କିନ୍ତୁ ପ୍ରଯୁକ୍ତିବିଦ୍ୟା ଏବଂ ଯୁଦ୍ଧ ଦୃଷ୍ଟିରୁ, ଭାରତୀୟ ସାମରିକ ବାହିନୀ ଅପରେସନ ବିଜୟରୁ ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ଏକ ଦୂର ଯାତ୍ରା କରିସାରିଛି ।

କାରଗିଲରେ ପାକିସ୍ତାନକୁ କନ୍ଦାଇଥିଲା ଏହି ଅସ୍ତ୍ର…

କାରଗିଲ ଯୁଦ୍ଧରେ ବୋଫର୍ସ ଏଫଏଚ-୭୭ବି ତୋପ, ମିରାଜ-୨୦୦୦ ଏବଂ ଏକେ-୪୭, ଏସଏଫ କାର୍ବାଇନ୍ ଭଳି ଅସ୍ତ୍ରଶସ୍ତ୍ର ନିର୍ଣ୍ଣାୟକ ପ୍ରମାଣିତ ହୋଇଥିଲା। ଯେଉଁଥିରେ ତୋପ, ଯୁଦ୍ଧ ବିମାନ ଏବଂ ଛୋଟ ଅସ୍ତ୍ରଶସ୍ତ୍ର ପାକିସ୍ତାନକୁ ନାକରେ କନ୍ଦାଇଥିଲା । ଉଚ୍ଚ ଉଚ୍ଚତା ଅଞ୍ଚଳରେ ଯୁଦ୍ଧର ଚ୍ୟାଲେଞ୍ଜ ସତ୍ତ୍ୱେ, ଏହି ଅସ୍ତ୍ରଶସ୍ତ୍ର ଶତ୍ରୁଙ୍କ ବଙ୍କର ଏବଂ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହା ଭିତରେ ସବୁଠୁ ଘାତକ ଥିଲା ରକେଟ୍ ଏବଂ ମୋର୍ଟାର । ଯାହା ପ୍ରତି ମିନିଟ୍ ରେ ଗୋଟିଏ ରାଉଣ୍ଡ ହାରରେ ୧୭ ଦିନ ଧରି ଗୁଳିଚାଳନା ଜାରି ରହିଥିଲା। ଏଥିସହିତ କିଛି ଇସ୍ରାଏଲୀୟ ଯୁଦ୍ଧାସ୍ତ୍ର ଲେଜର-ଗାଇଡେଡ୍ ମିସାଇଲ୍, ହେରନ୍ ଡ୍ରୋନ୍ (UAV), ଏବଂ ମୋର୍ଟାର ଏବଂ ଗୁଳିଗୋଳା ପାକିସ୍ତାନକୁ ଘଉଡାଇବାରେ ବଡ ସହଯୋଗ କରିଥିଲା ।

ଆଜିର ଅସ୍ତ୍ରଶସ୍ତ୍ର କେତେ ଭିନ୍ନ?

କାରଗିଲ ଯୁଦ୍ଧକୁ ୨୬ ବର୍ଷ ବିତିଗଲାଣି ଏବଂ ଏହି ବିଗତ ବର୍ଷଗୁଡ଼ିକରେ ଭାରତ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ବହୁତ ଅଗ୍ରଗତି କରିଛି। ଆଜିର ଭାରତୀୟ ସେନା ଅତ୍ୟାଧୁନିକ ଧନୁଷ ତୋପ, ରାଫେଲ ବିମାନ, ପିନାକା ରକେଟ୍ ଏବଂ ଉନ୍ନତ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ, ଯାହା ପୂର୍ବ ଅସ୍ତ୍ରଶସ୍ତ୍ର ଅପେକ୍ଷା ଅଧିକ ସଠିକ୍ ଏବଂ ଘାତକ। ଆଜି ଭାରତରେ ପୂର୍ବ ଅପେକ୍ଷା ଅଧିକ ଆଧୁନିକ ଏବଂ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଅଛି। ଯାହା ମଧ୍ୟରେ ଧନୁଷ ହାୱିଟଜର, ଅଲ୍ଟ୍ରା-ଲାଇଟ୍ ହାୱିଟଜର (ଏମ୭୭୭), କେ୯ ବଜ୍ର ଭଳି କିଛି ତୋପ ରହିଛି । ସେହିପରି ଫ୍ରାନ୍ସରୁ ଆମଦାନି ହୋଇଥିବା ସାଢେ ୪ ପିଢ଼ିର ଲଢ଼ୁଆ ବିମାନ, ସ୍କାଲପ୍ କ୍ରୁଜ୍ କ୍ଷେପଣାସ୍ତ୍ର, ଉଲ୍କା ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ର, ଯାହାର ପରିସର ଏବଂ ସଠିକତା ମିରାଜ-୨୦୦୦ ଅପେକ୍ଷା ବହୁତ ଭଲ । ଏଥିସହିତ ତେଜସ ଏମକେ-୧ଏ ସ୍ୱଦେଶୀ କ୍ଷେପଣାସ୍ତ୍ର ସିଷ୍ଟମ, ଡ୍ରୋନ୍ ହେରନ୍ ଟିପି ଏବଂ ସ୍ୱିଚ୍ ୟୁଏଭି ଭଳି ସ୍ୱଦେଶୀ ଏବଂ ଇସ୍ରାଏଲୀ ଡ୍ରୋନ୍, ଏସଆଇଜି ସାଉର୍ ରାଇଫଲ୍, ଏମ୪ଏ୧ କାର୍ବାଇନ୍, ସ୍ୱଦେଶୀ ଏଏସଏମଆଇ, ପିନାକା ଏମବିଆରଏଲ, ଆକାଶ ଏବଂ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ରହିଛି । ଯାହାର ପରାକ୍ରମ ଅପରେସନ ସିନ୍ଦୂର ବେଳେ ସାରା ବିଶ୍ବ ଦେଖିଥିଲା ।

ଆଜି ଭାରତୀୟ ସେନା କେବଳ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ନୁହେଁ, ବରଂ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ମଧ୍ୟ ସଜ୍ଜିତ । ଦେଶ ସାମରିକ ଏବଂ ଡିଜିଟାଲ ଯୁଦ୍ଧ କ୍ଷମତାରେ ମଧ୍ୟ ଆତ୍ମନିର୍ଭରଶୀଳ ହେଉଛି ।

Comments are closed.