Latest Odisha News

ନିର୍ଭୟାରୁ ଅଭୟା

ପ୍ରୀତିଛନ୍ଦା ଧଳଙ୍କ ସ୍ତମ୍ଭ ‘ପ୍ରୀତିଲେଖା’

ସାରା ଦେଶ ଆଜି ଗୋଟିଏ ଘଟଣାକୁ ନେଇ ସ୍ତବ୍ଧ ।  ମୋ ରାଷ୍ଟ୍ର ଆଜି ୭୮ ତ୍ତମ ସ୍ୱାଧୀନତାର ଉଲ୍ଲାସକୁ କୋଣ ଅନୁକୋଣରେ ପାଳନ କରୁଥିଲା ବେଳେ କିନ୍ତୁ ସମସ୍ତଙ୍କ ମନ ସେଇ ଗୋଟିଏ କୋହ ଆଉ ଭୟରେ ପୂର୍ଣ୍ଣ ହେଇଯାଇଛି ଆଉ ବଡ଼ ପ୍ରଶ୍ନ ପଚାରୁଛି ତାହା ହେଉଛି ମୋ ଦେଶରେ ଆଜି ମୁଁ ସୁରକ୍ଷିତ ତ ?

ଆଜି ବି ସେ ନିର୍ଭୟା ଘଟଣା ମନରୁ ଲିଭିନଥିଲା ବେଳେ ପୁଣି ଆଉ ଏକ ଭୟlନକ ଘଟଣାକୁ ଆମେ ଆଖି ସାମ୍ନାରେ ଦେଖୁଛେ ।  ଅନେକ ତର୍କ ବିତର୍କ ଆରମ୍ଭ ହୋଇଗଲାଣି ଏଇ ଘଟଣାକୁ ନେଇ ।  ନ୍ୟାୟ,ନ୍ୟାୟ, ନ୍ୟାୟ ଦରକାର ଆମକୁ ବୋଲି ମହମବତୀ ହାତରେ ଧରି ସମସ୍ତେ ସବୁ ଆଡ଼େ ଏଇ ଘଟଣାର ପ୍ରତିବାଦ କରୁଛନ୍ତି ।  କିଛି ନୂଆ କଥା ନୁହେଁ ପ୍ରତିବାଦ କରିବା l ଆଉ ପ୍ରତିବାଦ କରିବା ବି ଉଚିତ  । ଆଜି ଏମିତି ଏ ଭୟଙ୍କର ହିଂସା କ୍ଷେତ୍ରରେ ଯଦି ସ୍ୱର ଉତ୍ତୋଳନ ନକରିବା ତାହେଲେ ବ୍ୟବସ୍ଥା ତ ସ୍ଥାଣୁ ପାଲଟି ଯିବ ଏଥିରେ କିଛି ବି ଦ୍ୱିମତ ନାହିଁ ।

ଖାଲି ଅଭୟା ଘଟଣା ନୁହେଁ ଏମିତି ଅନେକ ଝିଅ ଆଉ ମହିଳା ଆଜି ହିଂସାର ସ୍ରୋତରେ ଭାସମାନ ଅବସ୍ଥାରେ ଅଛନ୍ତି । କିଏ କେଉଁଠି ଚୁପ ହେଇକି ସବୁ ସହିଯାଉଛି ତ ଆଉ କେଉଁଠି ବ୍ୟବସ୍ଥା ବିରୁଦ୍ଧରେ ଯାଇ ଅଭୟl ଭଳି ଅବସ୍ଥା ଭୋଗିବାକୁ ପଡୁଛି । କିନ୍ତୁ ଜଣେ ମାଆ ହିସାବରେ ଜଣେ ମହିଳା ହିସାବରେ ଆମ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ କାହିଁକି ଏ ପ୍ରକାର ହିଂସା ଆମ ମହିଳାଙ୍କ ପାଇଁ ।  ସମାନତାର କଥା କହୁଛି ଆଜି ସମାଜ କିନ୍ତୁ ମହିଳାଙ୍କ ସୁରକ୍ଷାର କଥା ଆସିଲା ବେଳକୁ ପ୍ରସଙ୍ଗ ଏପଟ ସେପଟ ହେlଇଯାଉଛି ସବୁବେଳେ । ସଂରକ୍ଷଣ ହୋଇଛି ଆମ ପାଇଁ ରାଜନୀତିର କ୍ଷେତ୍ରରେ ଶୀର୍ଷରେ ପହଞ୍ଚିବାକୁ । ହେଲେ ସୁରକ୍ଷାକୁ ନେଇ ସବୁ ବେଳେ ଚିନ୍ତା କେବଳ ମହିଳାଟିଏ ହିଁ କାହିଁ କରିବ କଣ ସମାଜରେ ଥିବା ପୁରୁଷମାନେ ଏ ଦିଗ ରେ ଚିନ୍ତା କରିପାରିବେ ନାହିଁ ?

ସୋସିଆଲ ମିଡ଼ିଆରେ ଅନେକ ପ୍ରଶ୍ନ ଏବେ ସବୁ ଦେଖିଲା ପରେ ଆଉ ପଢ଼ିଲା ପରେ ଅନୁଭବ ହେଉଛି ସତରେ କଣ ଛୋଟ ଡ୍ରେସ ପିନ୍ଧିଲେ ଦୁଷ୍କର୍ମ ହୁଏ? ରାତିରେ ଏକଲା ବାହାରେ ଚାଲିଗଲେ କଣ ଦୁଷ୍କର୍ମ ହୁଏ ?

କେତେ କଣ ଧରା ବନ୍ଧା ନିୟମ ଆମର ସମାଜର କେବଳ ମହିଳାମାନଙ୍କ ପାଇଁ ତଥାପି ବି ତା ଭିତରେ ଅଭୟା ଭଳି ଝିଅମାନେ ଫୁଲ ଡ୍ରେସରେ ରହି ଆଉ ରୋଗୀ ସେବା କରିବା ଭିତରେ ମଧ୍ୟ ଦୁଷ୍କର୍ମର ଶିକାର ହୋଇସାରିଲା ପରେ ମଧ୍ୟ ସେମାନଙ୍କୁ ଅତି ବିଭତ୍ସ ଭାବରେ ମାରି ଦିଆଯାଉଛି । ସତରେ ସେଇ ଜାଗାରେ ସମାଜ କାହାକୁ ଦୋଷ ଦେବ ଛୋଟ ଡ୍ରେସକୁ ନା ରାତିରେ ଏକୁଟିଆରେ ବାହାରେ ଝିଅଟି ନିଜର କର୍ତ୍ତବ୍ୟ କରୁଥିବା ପରିସ୍ଥିତିକୁ ?

ସମୟ ବଦଳିଛି ତା’ ସାଙ୍ଗରେ ମାନସିକତା ମଧ୍ୟ ବଦଳିବା ଦରକାର ଆମ ସଭ୍ୟ ସମାଜର । ସଭ୍ୟ ସମାଜ ଏଇଥି ପାଇଁ କହିଲି ଯେ , ଅନେକ ଘଟଣାରେ ଆମେ ଦେଖିଛେ ଯେ ଏଭଳି ଅପରାଧ ଯିଏ କରିଥାଏ ସେ ନିଶ୍ଚିତ ଭାବରେ ଅପରାଧ ଘଟେଇଲା ପରେ ଗୋଟିଏ ରାଜନୀତିକ ଚାପରେ ଖସି ଆସିବାକୁ ସମର୍ଥ ହୋଇଥାଏ ।  ଅନେକ ରାଜନେତା ସେମାନଙ୍କୁ ଏ ଦିଗରେ ସାହାଯ୍ୟ କରିଥାନ୍ତି ।  ଆଜି ବି ଏ ପ୍ରକାର ମନୋବୃତ୍ତି ରେ କୌଣସି ପ୍ରକାରର ପରିବର୍ତ୍ତନ ଆସିନାହିଁ l କେଉଁଠି ଦଳ ଚୁପ ତ, କେଉଁଠି ନେତା ଚୁପ ।  ଯାହା ଆଗାମୀ ଦିନରେ ଅପରାଧ ବଢ଼ିବାର ଗୋଟିଏ ସ୍ପଷ୍ଟ ସୂଚନା ଦେଉଛି ।  ଅଥଚ ଲାଲକିଲ୍ଲା ରୁ ପ୍ରଧାନମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି ଯେ ଆଗାମୀ ଦିନରେ ମହିଳା ବିରୋଧୀ ହିଂସା କ୍ଷେତ୍ରରେ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା କରାଯିବ ।  ଅପରାଧର ବିଚାର ଶୀଘ୍ର କରାଯାଇ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ଯାହା ଫଳରେ ସମାଜରେ ବିଶ୍ୱାସର ବାତାବରଣ ସୃଷ୍ଟି ହୋଇପାରିବ ।  ଏଇ କଥା ଦୁଇ ପଦ ଅନେକ ଆଶା ଆଉ ସମ୍ଭାବନା ଆଣୁଛି ମହିଳା ଙ୍କ ସୁରକ୍ଷାକୁ ନେଇ ।

ନ୍ୟାସନାଲ କ୍ରାଇମ ରେକଡ଼ ବ୍ୟୁରୋର ତଥ୍ୟ ପ୍ରତି ଦିନ ଆମ ଦେଶ ରେ ୮୬ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି ଯାହା କି ଅତ୍ୟନ୍ତ ଉଦବେଗଜନକ ସ୍ଥିତି ଆମ ସମାଜରେ ମହିଳାଙ୍କ ସୁରକ୍ଷାକୁ ନେଇ ।  ଆଜି ଅଭୟା କାଲି ପୁଣି ଆଉ କିଏ ନୂଆ ପୀଡ଼ିତା ସାମ୍ନାକୁ ଆସିବ ।  ସେଥିପାଇଁ ଅପରାଧୀର ମନରେ ଭୟ ସୃଷ୍ଟି ହେବା ଦରକାର ଏଇ ଜଘନ୍ୟ ଅପରାଧ ପାଇଁ l ଦେଶର ମାଆ ଆଉ ଝିଅ ଆଜି ଅସୁରକ୍ଷିତ ଆମେ ଯଦି ସେମାନଙ୍କ ସୁରକ୍ଷାକୁ ଗୋଟିଏ ପ୍ରସଙ୍ଗ ନକରିବା ତାହେଲେ ଦେଶର ଶୀର୍ଷ ସ୍ଥାନରେ ମହିଳାମାନେ ବସିଲେ ବି ସଶକ୍ତିକରଣର ପୁରା ସ୍ବପ୍ନ ସମ୍ଭବ ନୁହେଁ ।  ଅଭିଯୁକ୍ତକୁ ଆମେ ଯଦି ରାଜନୈତିକ ସଂରକ୍ଷଣ ଦେବା ତାହେଲେ ଆମ ଦେଶର ମହିଳାମାନେ କାହା ପାଖରୁ ନ୍ୟାୟ ଆଶା କରିବେ ? କୁହାଯାଇଛି ମହିଳା ଙ୍କ ପ୍ରଗତି ରେ ହିଁ ଦେଶ ର ପ୍ରଗତି ସମ୍ଭବ । ଯଦି ସୁରକ୍ଷା ନରହିବ ମହିଳା ମାନଙ୍କର ତା’ହେଲେ ପ୍ରଗତି ଠପ ହୋଇଯିବ ଏଇଠି ।  ଆମେ ଆଜି ଜଷ୍ଟିସ ଫର ଅଭୟାର ଆନ୍ଦୋଳନରେ ଅଛେ କିନ୍ତୁ ଆମ ସମାଜ ସେତିକି ସତର୍କ ହେଉ ଯେମିତି ଆଗାମୀ ଦିନରେ ଆଉ ଅଭୟା ଭଳି ପୀଡ଼ିତାମାନେ ନିର୍ଯ୍ୟାତନାର ଶିକାର ନହୁଅନ୍ତୁ । ପରିବାର ହେଉ କି କର୍ମକ୍ଷେତ୍ର ସବୁ ଜାଗାରେ ସୁରକ୍ଷିତ ପରିବେଶ ଦରକାର ଗୋଟିଏ ମହିଳାର ଏ କଥା ଆମ ସମାଜ ଭୁଲିଯିବା ଉଚିତ ନୁହେଁ । ସମାଜରେ ଏ ଭଳି ଅପରାଧୀ ମାନଙ୍କର କୌଣସି ସ୍ଥାନ ନାହିଁ ସେ କଥା ଆମ ବ୍ୟବସ୍ଥା ତାଙ୍କୁ ଉପଲବ୍ଧ କରେଇବା ଦରକାର ।  ତାହେଲେ କିଛି ମାତ୍ରାରେ ଆମେ ଆମ ଅଭୟାଙ୍କ ଶ୍ରଦ୍ଧାଞ୍ଜଳିରେ ଛୋଟ ଭୂମିକାଟିଏ ନେଇପାରିବା ।

Comments are closed.