Latest Odisha News

BREAKING NEWS

ବର୍ବରତାର ନଗ୍ନତା

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’

ଗତ ‘ମେ’ ମାସର ଘଟଣା  । ଆଜି ଭିଡ଼ିଓ ଭାଇରାଲ ହେଉଛି  । କି ଭୟଙ୍କର ସେ ଦୃଶ୍ୟ  । କି କଷ୍ଟ ସେ ଦୁଇ ମହିଳାଙ୍କ ଯନ୍ତ୍ରଣା  । ତା’ଠାରୁ ବେଶି ବଳିଯାଇଥିବ ପରିବାର ସଦସ୍ୟଙ୍କ ସ୍ଥିତି  । ଯେତେ ନିନ୍ଦା କଲେ କମ ପଡ଼ିଯିବ  । ବରଂ ଯେତେ କଠିନରୁ କଠିନ ଶାସ୍ତି ସେ ଦୋଷୀମାନଙ୍କୁ ଦେଇହେବ ନ୍ୟାୟ ବ୍ୟବସ୍ଥାର ସୀମା ଭିତରେ ତାହା ବୋଧେ ହେବ ଆଗାମୀ ଦିନରେ ଏମିତି ମାନସିକତା ରଖୁଥିବା କିଛି ଲୋକଙ୍କ ପାଇଁ ଗୋଟିଏ ସଠିକ ଜବାବ କହିଲେ କିଛି ଭୁଲ ହେବ ନାହିଁ  ।  ଆଜି ସୋସିଆଲ ମିଡ଼ିଆ ଖୋଲିଲେ ସେଇ ଭୟଙ୍କର ପରିସ୍ଥିତିର ଖବର ବିଚଳିତ କରୁଛି  । ଆମ ରାଷ୍ଟ୍ରରେ ନ୍ୟାୟ ଅଛି, ଆମ ରାଷ୍ଟ୍ରର ରାଷ୍ଟ୍ରପତି ହେଉଛନ୍ତି ଜଣେ ମହିଳା, ମନ୍ତ୍ରୀ ମଣ୍ଡଳରେ ଅନେକ ମହିଳା ମନ୍ତ୍ରୀ ଅଛନ୍ତି  ।  ଆଉ ସବୁ ସଂସଦ, ବିଧାନସଭାରେ ମହିଳାମାନେ ପ୍ରତିନିଧିତ୍ୱ କରୁଛନ୍ତି  ।  ଏ ସବୁ ସତ୍ତ୍ୱେ ବି ଆଜି ଆମ ସଭ୍ୟ ସମାଜରେ ନାରୀ ଅସୁରକ୍ଷିତ  । ଆଜି ବି ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ଟିଏ ହିଁ ହେଉଛି ସମସ୍ତଙ୍କର ସଫ୍ଟ ଟାର୍ଗେଟ ଏଥିରେ ଦ୍ୱିମତ ନାହିଁ  ।

ପୁରାଣ କାଳରେ ଦେଖିଲେ ଭରା ରାଜସଭାରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ହୋଇଥିଲା ; ଆଉ ତା’ପରେ ଏଇ ପ୍ରକାର ମନୋଭାବରେ କୋଣସି ପ୍ରକାରର ପରିବର୍ତ୍ତନ ଘଟିନାହିଁ  । ସେଦିନ ରାଜସଭା ଆଉ ଆଜି ରାଜରାସ୍ତାରେ ମହିଳାଙ୍କ ପ୍ରତି ହେଉଛି ଅତ୍ୟାଚାର  । ସେତେବେଳେ ବି ଚୁପ ସମସ୍ତେ ଓ ଆଜି ବି ସମସ୍ତେ ଚୁପ  ।

ଗଣତନ୍ତ୍ରରେ ଯେଉଁଠି ସମ୍ବିଧାନ ସମସ୍ତଙ୍କ ପାଇଁ ସମାନ ସେଠାରେ ଏଭଳି ଘଟଣା ବ୍ୟଥିତ କରୁଛି  । ମଣିପୁର ହିଂସା ଘଟଣା ପାଇଁ ସରକାର କାର୍ଯ୍ୟାନୁଷ୍ଠାନ ନକଲେ ଆମେ କରିବୁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ  । ସତରେ କି ଅସହ୍ୟ ଯନ୍ତ୍ରଣାରେ ସେଇ ପରିବାର ର ସ୍ଥିତି ଥିବ ଏବେ  । ସଂସଦରେ କଥା ଉଠିଛି  । ଉଠିବା ବି ସ୍ୱଭାବିକ କଥା  । ପ୍ରଧାନମନ୍ତ୍ରୀ ନିର୍ଭର ପ୍ରତିଶୃତି ଦେଇଛନ୍ତି ଯେ କୌଣସି ଦୋଷୀ ରକ୍ଷା ପାଇପାରିବେ ନାହିଁ  । ସେ ନିର୍ଭର ପ୍ରତିଶୃତି ଯେମିତି ଆଗକୁ ମହିଳାଙ୍କ ପାଇଁ ନିର୍ଭର ଯୋଗ୍ୟ ହେଉ ବୋଲି ଆମେ ଆଶା କରିବା ନିଶ୍ଚିତ ଭାବରେ ।

ଏପଟେ ଦେଶର ସର୍ବୋଚ୍ଚ ଆସନରେ ଆଦିବାସୀ ମହିଳା ବସିଥିଲା ବେଳେ ସେପଟେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲେଇବା ଗୋଟିଏ ଭୟଙ୍କର ବାର୍ତ୍ତା ସମାଜକୁ ଦେଉଛି  । କଣ ରହି ଯାଉଛି ଭୁଲ ଆମର? ସରକାରଙ୍କ ଭୁମିକା କଣ ରହିବ? ଆଇନର ପ୍ରହାର ଏଇ ପ୍ରକାର ମାନସିକତା ରଖୁଥିବା ଲୋକଙ୍କୁ ବାଟକୁ ଆଣିପାରିବ ତ? ଏଇ ଭଳି ଅନେକ ପ୍ରଶ୍ନ ମନରେ  ।

ଏତେ ଭିଡ଼ ତା ଭିତରେ ଦୁଇ ଆଦିବାସୀ ମହିଳାଙ୍କୁ ଏ ପ୍ରକାର ନିର୍ଯ୍ୟାତନାର ବ୍ୟଭିଚାର କ୍ଷମଣୀୟ ନୁହେଁ  ।  ତେଣୁ ଆଗକୁ ଆଉ ଏମିତି ପରିସ୍ଥିତି ନଆସୁ ସେଥି ପ୍ରତି ଦୃଷ୍ଟି ଦେବାର ଏହା ପ୍ରକୃଷ୍ଟ ସମୟ  ।

୨୦୧୨ ନିର୍ଭୟା ଘଟଣା । ତାପରେ ଦୋଷୀମାନଙ୍କର ତାରିଖ ପରେ ତାରିଖ ଗଡେ଼ଇବା । ୨୦୨୦ ହାଥରସ ଗଣ ଦୁଷ୍କର୍ମ, ତାପରେ୨୦୦୨ ବିଲକିସ ବାନୋଙ୍କ ଘଟଣା ରେ ୨୦୨୨ ରେ ଦୋଷୀମାନେ ଖଲାସ ହେବା କେତେ ଦୁର୍ଭାଗ୍ୟ ଜନକ ଆମ ରାଷ୍ଟ୍ର ପାଇଁ ତାହା କଳ୍ପନାର ବାହାରେ  ।

ରାଷ୍ଟ୍ର ଶକ୍ତିର ଉତ୍ସ ହେଉଛି ମହିଳାଙ୍କ ଶକ୍ତି । କିନ୍ତୁ ମହିଳା ଙ୍କ କ୍ଷେତ୍ରରେ ଯେତେବେଳେ ଶୋଷଣ ବଢ଼ିଯାଉଛି ସେତେବେଳେ ଆମେ କୁମ୍ଭୀର କାନ୍ଦଣା ଆଉ ମିଛ ଶୋକରେ ସୀମିତ ରହି ଯାଉଛେ  । ଆମ ରାଜ୍ୟର ଅବସ୍ଥା ମଧ୍ୟ ସେଇ ଭଳି  ।  ଆମ ରାଜ୍ୟରେ ଗଣ ଦୁଷ୍କର୍ମରେ କୌଣସି ରାଜନେତାଙ୍କର ସମ୍ପୃକ୍ତିର ଯଦି କିଛି ଖବର ଆସେ ତାହେଲେ ଆମର ସେ ଦଳର ନେତ୍ରୀମାନଙ୍କର ପାଟିଚୁପ ହୋଇଯାଏ  । ନ୍ୟାୟର କଥା ଯଦି ଦେଖିବା ଏଇ ପୀଡ଼ିତାମାନଙ୍କର ସବୁଠାରୁ ବେଶି ପ୍ରତିବନ୍ଧକ ସାଜିଥାନ୍ତି ପୋଲିସ  । ଯାହା ଦ୍ୱାରା ସେମାନଙ୍କୁ ଆଉ ତାଙ୍କ ପରିବାରକୁ ନ୍ୟାୟ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ମିଳିନଥାଏ l ଅଞ୍ଜନା, ଇତିଶ୍ରୀ, ସସ୍ମିତା, ବେବିନା, ମାଧବୀଳତା,ମମିତା ସମସ୍ତେ ଦୁଷ୍କର୍ମ ପୀଡ଼ିତା । କେବଳ ଅଞ୍ଜନାଙ୍କୁ ଛାଡିଦେଲେ ଆଉ ସମସ୍ତେ ହାର ମାନିଗଲେ  । ଆଜି ବି ଅଞ୍ଜନାଙ୍କୁ ନ୍ୟାୟ ମିଳିନାହିଁ ଆଜି ବି ସେ ଲଢ଼ୁଛନ୍ତି  । କିନ୍ତୁ ଆମ ସରକାର କଥାରେ ବେଶ ସଶକ୍ତ ମହିଳାଙ୍କୁ ନେଇ । ବାସ୍ତବ କ୍ଷେତ୍ରରେ ଆଦୌ ଆନ୍ତରିକତା ଦେଖାଉନାହାନ୍ତି ।

ସଶକ୍ତ ହେବା କିନ୍ତୁ ସୁରକ୍ଷିତ ରଖିବାର ପ୍ରତିଶୃତି ବି ଦେବା  । ଯାହା ଏବେ ସରକାରଙ୍କର ମୂଳ ଉଦ୍ଦେଶ୍ୟ ରହିବା ଦରକାର । ଆଉ ସବୁ ଠାରୁ ବେଶି ବ୍ୟଥିତ କରେ ଏଇ ରାଜନୀତିକ ଦଳର ନେତ୍ରୀମାନଙ୍କୁ ଦେଖିଲେ ଆଉ ତାଙ୍କର ଅଜବ ଯୁକ୍ତି ଶୁଣିଲେ । ମହିଳାଟିଏ ଆଜି ଶୋଷଣ ହେଉଛି ଆମେ କିନ୍ତୁ ଦେଖୁଛେ କୋଉ ରାଜନେତା କିମ୍ଵା ଦଳର କୁଜିନେତା ସମୃକ୍ତ ଅଛନ୍ତି କି? ଛି ଧିକ୍କାର ଆସେ ଏଇ ଭଳି ମନୋଭାବ ରଖୁଥିବା ମହିଳାଙ୍କ ପ୍ରତିକ୍ରିୟା ଶୁଣିଲେ  ।ମହିଳାଟିଏ ମହିଳାଙ୍କ ପାଇଁ ଠିଆ ହେବ ସେ ଯେ କୌଣସି ଦଳର ବି ହେଇଥାଉ ତାହେଲେ ଏ ପ୍ରକାର ମାନସିକତା ରଖୁଥିବା ଲୋକଙ୍କ ମନରେ ଭୟ ନିଶ୍ଚୟ ଆସିବ ଏଥିରେ ସନ୍ଦେହ ନାହିଁ  ।

ହଥରସ, ନିର୍ଭୟା, ବିଲକିସ, ମଣିପୁର, କୁନ୍ଦୁଲି, ବେବିନା, ମମିତା ଆଦି ଘଟଣା ଅନେକ କଥା ଶିଖେଇ ଦେଇଗଲା ଆମକୁ । କିନ୍ତୁ ଆମେ କଣ ଶିଖିଲେ ଆଉ କଣ କରିପାରିଲେ ଏତିକି ପ୍ରଶ୍ନ ଆଜି ନିଜକୁ ଏଇ ରାଜନେତ୍ରୀମାନେ ପଚାରି ପାରିବେ ତ ?

ସୁରକ୍ଷା ଲୋଡ଼ା ପ୍ରତ୍ୟେକ ମହିଳାଙ୍କୁ ଯେଉଁମାନେ ଏବେ ବି ସଂଗ୍ରାମ ଜାରି ରଖିଛନ୍ତି  । ପ୍ରଶାସନର ସହଯୋଗ ବହୁତ ଲୋଡ଼ା ଏଇ ସମୟରେ ଯେତେ ପୀଡ଼ିତା ଅଛନ୍ତି  । ଆଜି ଘଟିଗଲା ଆଉ କାଲି ଘଟିବ ନାହିଁ ବୋଲି ବି ଆମେ କହି ପାରିବା ନାହିଁ  । ସମୟ କ୍ରମେ ସବୁ ଭୁଲିଯିବା । ଆଜି ମହମବତୀ ରାଲି, ଫ୍ଲାକାର୍ଡ଼  ଧରି ଧାରଣା ଆଉ କିଛି ଦିନ ପରେ ତା ଉପରେ ଚଳଚିତ୍ର ଆମେ ଏଇ ସବୁ ଜିନିଷରେ ପୁରା ଅଭ୍ୟସ୍ତ ହେଇଗଲେଣି । ଏହାର ଆଗକୁ ବଢ଼ି ଆମେ ଆଉ କୌଣସି ପ୍ରକାର ନିଷ୍ପତି ସରକାରଙ୍କ ଉପରେ ଲଦିବାକୁ ଆମେ ଚେଷ୍ଟା କରୁନେ  । ଆଗକୁ ଏଇ ପ୍ରକାର ସମସ୍ୟାର ସମାଧାନ ସମସ୍ତଙ୍କ ପ୍ରଚେଷ୍ଟାରେ ନେବାକୁ ପଡ଼ିବ  । ମହିଳାଙ୍କ ସୁରକ୍ଷା ସମସ୍ତଙ୍କର ପ୍ରସଙ୍ଗ ହେବା ଦରକାର ; ତାହେଲେ ଆନ୍ତରିକତା ଆସିବାରେ ସୁବିଧା ହେବ  ।

Leave A Reply

Your email address will not be published.