ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ମାର୍ଚ୍ଚ ୮ରେ ଖେଳାଯିବ । ଏହା ପରେ କେତେଜଣ ଖେଳାଳି ସେମାନଙ୍କ ଅଧିନାୟକ ପଦ ହରାଇ ପାରନ୍ତି । ଏହି ତାଲିକାରେ ଭାରତର ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅଛନ୍ତି । ପାକିସ୍ତାନ ଏବେ ସେମିଫାଇନାଲ ପ୍ରବେଶ ପାଇଁ ଏକପ୍ରକାର ଭାଗ୍ୟ ସହାୟତାରେ ଅଛି । ପାକିସ୍ତାନର ଅଧିନାୟକ ସଲମାନ ଅଲୀ ଆଗା ତାଙ୍କ ପଦ ଏହା ପରେ ହରାଇବେ ବୋଲି ଅନୁମାନ କରାଯାଉଛି । ତାଙ୍କ ସ୍ଥାନରେ ଶାଦବ ଖାଁଙ୍କୁ ଦାୟିତ୍ୱ ଦିଆଯାଇପାରେ । ସେହିପରି ଆୟୋଜକ ହେବା ସତ୍ୱେ ଶ୍ରୀଲଙ୍କା ସେମିକୁ ଉନ୍ନୀତ ହୋଇ ନ ପାରିବା ପ୍ରଶଂସକଙ୍କୁ ନିରାଶ କରିଛି । ବିଶ୍ୱକପ ପରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନକ ତାଙ୍କ ପଦ ହରାଇବା ସହ ଦଳରେ ବଡ ଧରଣର ଅଦଳବଦଳ କରାଯିବ ବୋଲି ଜଣାପଡିଛି ।
ପ୍ରଥମ ରାଉଣ୍ଡରୁ ଅଷ୍ଟ୍ରେଲିଆ ଟିମ ବାହାରିଯିବା ମିଚେଲ ମାର୍ଶଙ୍କ ନେତୃତ୍ୱ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବ୍ୟାଟ୍ସମ୍ୟାନ ଭାବେ ତାଙ୍କ ପ୍ରଦର୍ଶନ ଭଲ ଥିଲେ ସେ ନେତୃତ୍ୱ ନେବାରେ ପ୍ରଭାବିତ କରି ପାରି ନାହାନ୍ତି । ଆଫଗାନିସ୍ତାନର ପ୍ରଶଂସକମାନେ ରଶିଦ ଖାଁଙ୍କ ନେତୃତ୍ୱରେ ଦଳ କିଛି ବଡ କରିବେ ଆଶା ରଖିଥିଲେ । ପ୍ରଥମ ରାଉଣ୍ଡରୁ ଆଫଗାନିସ୍ତାନ ବିଦା ହେବା ସେମାନଙ୍କୁ ନିରାଶ କରିଛି । ତାଙ୍କ ସ୍ଥାନରେ ଇବ୍ରାହିମ ଜାଡ୍ରାନଙ୍କୁ ଅଧିନାୟକ କରାଯିବା ନେଇ ଆଲୋଚନା ହେଉଛି । ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବିଶ୍ୱକପ ପରେ ତାଙ୍କ ପଦ ହରାଇ ପାରନ୍ତି । ଦଳ ଭଲ ପ୍ରଦର୍ଶନ କଲେ ବି ସୂର୍ଯ୍ୟକୁମାରଙ୍କ ବୟସ ତାଙ୍କ ପାଇଁ ବାଧକ ସାଜିଛି । ସେ ଏବେ ୩୬ ବର୍ଷର ହୋଇଯାଇଥିବାରୁ ତାଙ୍କ ସ୍ଥାନରେ ଏହି ଛୋଟ ଫର୍ମାଟରେ ଜଣେ ଯୁବ ଖେଳାଳିଙ୍କୁ ଦାୟିିତ୍ୱ ଦେବା ପାଇଁ ଆଲୋଚନା ହେଉଛି । ସୂର୍ଯ୍ୟକୁମାର ସମ୍ମାନର ସହ ବିଦା ହେବାକୁ ନିଶ୍ଚିତ ଭାବେ ଚାହିଁବେ ।