Latest Odisha News

ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ: ନହେଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟ ଠାରୁ ଦେଶ ସବୁଆଡେ କରୋନା ଭୟ । ଏହାର ମୁକାବିଲା ପାଇଁ ପ୍ରଶାସନ ତତ୍ପର। ଏପ୍ରିଲ ୯ ତାରିଖ (ଆଜି) ଠାରୁ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ । ଯିଏ ମାସ୍କ ପିନ୍ଧିବେନି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନେଇ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା ହୋଇଛି । ମାସ୍କ ନପିନ୍ଧି ଘରୁ ବାହାରିବା ଉପରେ କଟକଣା ଲଗାଯାଇଥିବା ନେଇ ସୂଚନା ଦେଇଛନ୍ତି କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ ।

ଘରୁ ବାହାରକୁ ବାହାରିବା ସମୟରେ ମୁହଁରେ ଯେ କୌଣସି ମାସ୍କ, କନା, ରୁମାଲ୍‌, ଗାମୁଛା,ଓଢଣୀ ଆଦି ବାନ୍ଧି ବାହାରକୁ ବାହାରିବା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ କଡା ଦୃଷ୍ଟି ରଖିବାକୁ ଜିଲ୍ଲା ପ୍ରଶାସନ ଓ ମୁନିସିପାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଯଦି କୌଣସି ବ୍ୟକ୍ତି ଗୋଟିଏ ଥର ବ୍ୟବହାର କରାଯାଉଥିବା ମାସ୍କ ପିନ୍ଧନ୍ତି ତେବେ ନିର୍ଦ୍ଧାରିତ ଅବଧି ପରେ ସେହି ମାସ୍କକୁ ଏଠିସେଠି ନ ଫୋପାଡ଼ି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ନଷ୍ଟ କରିବା ଦରକାର।

ସେହିପରି ଜଣେ ବ୍ୟକ୍ତି ଯଦି କନାରେ ତିଆରି ମାସ୍କ ପିନ୍ଧନ୍ତି ତାହେଲେ ନିୟମିତ ବ୍ୟବଧାନରେ ସାବୁନ, ଡିଟରଜେଣ୍ଟ୍‌, ବିଶୋଧକ ଦ୍ବାରା ବିଶୋଧନ ପୂର୍ବକ ପାଣିରେ ଧୋଇ ଟାଣ ଖରାରେ ଅନ୍ୟୂନ ୫ ଘଣ୍ଟା ଶୁଖାଇ ପୁନର୍ବାର ସେହି ମାସ୍କକୁ ବ୍ୟବହାର କରିପାରିବେ ବୋଲି ବାଗଚୀ କହିଛନ୍ତି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସାମାଜିକ ଦୁରତା କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି ପରିପ୍ରେକ୍ଷିରେ ଲୋକେ ମାନୁ ନଥିବା ବେଳେ ମାସ୍କ ବ୍ୟବହାର କରିବାକୁ କହିଛନ୍ତି ରାଜ୍ୟ ସରକାର ।

ରାଜ୍ୟସରକାରଙ୍କ ତରଫରୁ ଏଭଳି କଟକଣା ଲାଗୁ ହେବା ପରେ ରାଜ୍ୟରେ ମାସ୍କର ଅଭାବକୁ ପୂରଣ କରିବା ପାଇଁ ଏସ୍ଏଚଜି ମହିଳାଙ୍କୁ ମାସ୍କ ପ୍ରସ୍ତୁତିରେ ନିୟୋଜିତ କରାଯାଇଛି ବୋଲି ବାଗଚୀ କହିଛନ୍ତି ।

Comments are closed.