Latest Odisha News

BREAKING NEWS

କର୍ମ ଫଳ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଲେ – “କର୍ମଣ୍ୟେବାଧିକାରସ୍ତୁ ମା ଫଳେଷୁ … ଅର୍ଥାତ୍ କର୍ମ କରି ଚାଲ ଫଳ ପଛରେ ଆସୁଛି । ଆମେ ଆମର କର୍ମ ଅନୁସାରେ ଫଳ ଭୋଗ କରୁଛେ । ସେ ସତ୍ କର୍ମ ହେଲେ ସତ୍ ଫଳ, ଅସତ୍ କର୍ମ ହେଲେ ଅସତ୍ ଫଳ । କର୍ମର ଫଳ ଏହି ଜନ୍ମରେ ହିଁ ଭୋଗ କରିବାକୁ ପଡିବ । ଶ୍ରୀକୃଷ୍ଣଙ୍କର ଜଣେ ଭକ୍ତ ତାଙ୍କର ନାମ ଭଜନ କୀର୍ତ୍ତନ ରେ ନିଜର ସମସ୍ତ ସମୟ ଅତିବାହିତ କରୁଥିଲା । ଘର ଲୋକ ଏହାକୁ ସହ୍ୟ କରୁ ନ ଥିଲେ । ପରିଶେଷରେ ବୟସ ବଢିବା ସଙ୍ଗେ ସଙ୍ଗେ ସେ ରୋଗାକ୍ରାନ୍ତ ହେଲା । ଶଯ୍ୟାଶାୟୀ ହୋଇଗଲା କହିଲେ ଅତ୍ୟୁକ୍ତି ହେବନାହିଁ । ଶୌଚ, ସ୍ନାନ ଆଦି ନିଜେ କରି ପାରିଲା ନାହିଁ । ସେ ସମୟରେ ସାହାରା ଦେବାପାଇଁ ନିଜ ସନ୍ତାନମାନଙ୍କୁ ଡାକୁଥିଲା ।

ଧିରେ ଧିରେ ସନ୍ତାନ ସନ୍ତତି ମାନେ ପରସ୍ପର ଆଳ କରି ଆସିବା ବନ୍ଦ କରିଦେଲେ । ସେ ସେହି ଅପରିଷ୍କାର ବିଛଣା ରେ ଦିବା ନିଶି କଟିବାକୁ ଲାଗିଲା । ଦିନେ ରାତିରେ ଏକ ଅଲୌକିକ ଘଟଣା ଅନୁଭବ କଲା । ସେ ଆକୁଳ କଣ୍ଠରେ ତାର ପୁଅ ଶ୍ରୀକୃଷ୍ଣ ନାମ ଧରି ଡାକ ଛାଡିଲା । ସଙ୍ଗେ ସଙ୍ଗେ ଜଣେ ବାଳକ କୋମଳ ହାତରେ ତାଙ୍କୁ ଧରି ନେଇ ବାହାରେ ଉପବିଷ୍ଠନ କରାଇଲା । ବିଛଣା ପରିଷ୍କାର ପରିଚ୍ଛନ୍ନ କରି ଶୁଆଇ ଦେଲା । ଧିରେ ଧୀରେ ଏହି କାର୍ଯ୍ୟ ପ୍ରତ୍ୟେହ ଚାଲିଲା । ବୃଦ୍ଧ ବ୍ୟକ୍ତି ଜଣକ ମନରେ ସନ୍ଦେହ ପ୍ରକଟିତ ହେଲା । ଆଗେ ତ ଡାକ ଛାଡିଲେ ସମସ୍ତ ଘରଲୋକ ନ ଶୁଣିବାର ଛଳନା କରୁଥିଲେ । ଏବେ କିନ୍ତୁ ଇଏ କିଏ? ପଦେ ଡାକିଲା ମାତ୍ରେ ହାଜର । ଏହା ଭାବି ପିଲାଟିର କୋମଳ ହାତକୁ ଧରି ପରିଚୟ ପଚାରିଲେ । ତତ୍ କ୍ଷଣାତ ଏକ ଅଲୌକିକ ଆଭା ଅନ୍ଧକାର ଗୃହରେ ପ୍ରତିଫଳିତ ହେଲା । ସ୧ୁଖରେ ବାଳକ ରୂପୀ ଭଗବାନ ଶ୍ରୀକୃଷ୍ଣ ବଂଶୀ ଧରି ଦଣ୍ଡାୟମାନ । ବ୍ୟକ୍ତିଙ୍କୁ ଚିହ୍ନିବାରେ ଆଉ ବିଳମ୍ବ ହେଲା ନାହିଁ । ଲୋତକର ଧାର ବହି ଯାଉଥାଏ । ରୁଦ୍ଧ କଣ୍ଠରେ ବୃଦ୍ଧ ଜଣକ କହିଲେ, “ମୁଁ କେତେ ବଡ଼ ପାମର । ମୋର ନିବୃତ୍ତି ଆପଣଙ୍କ ଦ୍ୱାରା କରାଇଲି । ହେ ପ୍ରଭୁ! ଯଦି ଆପଣ ମୋ ଉପରେ ଏତେ ପ୍ରସନ୍ନ ତେବେ ମୋତେ ମୁକ୍ତି କରି ଦେଉ ନାହାଁନ୍ତି କାହିଁକି? ଭଗବାନ କହିଲେ, ଯାହା ତୁମେ ଭୋଗ କରୁଛ, ତାହା ତୁମ କର୍ମର ଫଳ । ତୁମେ ମୋର ଜଣେ ପରମ ସାଧକ । ଦିବାନିଶି ମୋ ନାମ ଭଜନ କୀର୍ତ୍ତନ କରୁଥିଲ । ମୁଁ ତୁମକୁ ଛାଡ଼ିବି କିପରି? ମୁଁ ମୋର ଭକ୍ତର ସେବା କରୁଅଛି ଏହା ମୋର କର୍ମ । ତେଣୁ “ଗରୁଡ ପୁରାଣ’ରେ କୁହାଯାଇଅଛି– ଅବଶ୍ୟମେବ ଭୋକ୍ତବ୍ୟଂ କୃତଂ କର୍ମ ଶୁଭାଶୁଭମ୍ , ନାଭୁକ୍ତଂ କ୍ଷୀୟତେ କର୍ମ ଜନ୍ମ କୋଟି ଶତୈରପି । । ପୂର୍ବ କୃତ କର୍ମ ଶୁଭ ହେଉ ବା ଅଶୁଭ ଏ ଜନ୍ମ ହେଉ ବା ପର ଜନ୍ମ ଭୋଗ କରିବାକୁ ପଡିବ । ଏଥିରେ ତିଳେ ମାତ୍ର ଅବକାଶ ନାହିଁ । ଅବଶ୍ୟ କର୍ମର ଫଳ ଭୋଗିବାକୁ ପଡିବ । ଯେ ଶ୍ରଦ୍ଧା ଓ ବିଶ୍ୱାସର ସହିତ ପ୍ରଭୁଙ୍କର ଶରଣାଗତ ହୁଏ । ପ୍ରଭୁ ସ୍ୱୟଂ ସାଙ୍ଗରେ ରହି ଏହାର ତୀବ୍ରତର କଷ୍ଟରେ ଉପଶମ ଆଣି ଦିଅନ୍ତି ।

 

Leave A Reply

Your email address will not be published.