Latest Odisha News

୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ‘ଲା ସିନେଫ୍’ ପୁରସ୍କାର ହାସଲ କଲେ ଏଫଟିଆଇଆଇ ଛାତ୍ର

ନୂଆଦିଲ୍ଲୀ: ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ‘ଲା ସିନେଫ୍’ ପୁରସ୍କାର ହାସଲ କଲେ ଏଫଟିଆଇଆଇ ଛାତ୍ର । ‘ସନ୍ ଫ୍ଲାୱାର୍ସ ଓୟାର ଦ ଫାଷ୍ଟ ୱାନ୍ସ ଟୁ ନୋ’ ଚଳଚ୍ଚିତ୍ର ଯାହାକି ପାଠ୍ୟକ୍ରମ ଶେଷ ନିମନ୍ତେ ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ ପ୍ରତିଷ୍ଠାନର ଚିଦାନନ୍ଦ ନାୟକଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏକ ଚଳଚ୍ଚିତ୍ର ।

ମେ ୨୩, ୨୦୨୪ ତାରିଖ ଦିନ ଦାପ୍ତରିକ ଭାବେ ବିଜୟୀଙ୍କ ନାମ ଘୋଷଣା କରାଯାଇଛି । ଏହି ଉତ୍ସବରେ ଉପସ୍ଥିତ ଥିବା ନିର୍ଦ୍ଦେଶକ ଛାତ୍ର ଶ୍ରୀ ଚିଦାନନ୍ଦ ନାୟକ ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଚଳଚ୍ଚିତ୍ରକୁ ଚିଦାନନ୍ଦ ଏସ୍ ନାୟକ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏହାର କ୍ୟାମେରା ଚିତ୍ର ଉତ୍ତୋଳନ କରିଛନ୍ତି ସୂରଜ ଠାକୁର । ଚଳଚ୍ଚିତ୍ରଟି ମନୋଜ ଭିଙ୍କ ଦ୍ବାରା ସଂପାଦିତ ଏବଂ ଏଥିରେ ଶବ୍ଦ ଦେଇଛନ୍ତି ଅଭିଷେକ କଦମ୍ । ‘ସନ୍ ଫ୍ଲାୱାର୍ସ ଓୟାର ଦ ଫାଷ୍ଟ ୱାନ୍ସ ଟୁ ନୋ’ ଚଳଚ୍ଚିତ୍ରଟିର କଥାବସ୍ତୁ ଜଣେ ବୟୋବୃଦ୍ଧା ମହିଳାଙ୍କ ଉପରେ ଆଧାରିତ । ଏହି ବୃଦ୍ଧା ଜଣକ ଗାଁରୁ ଗୋଟିଏ ଗଞ୍ଜା ଚୋରି କରେ । ଏହି ଘଟଣା ଗ୍ରାମ୍ୟ ସମାଜରେ ବେଶ୍ ହଟଚମଟ ସୃଷ୍ଟି କରେ । କୁକୁଡ଼ାଟିକୁ ଫେରାଇ ଆଣିବା ଲାଗି ଏକ ଭବିଷ୍ୟବାଣୀର ସହାୟତା ନିଆଯାଏ ଏବଂ ବୃଦ୍ଧାଙ୍କ ପରିବାରକୁ ଏଥିପାଇଁ ନିର୍ବାସିତ ହେବାକୁ ପଡ଼େ ।

ଭାରତୀୟ ସିନେମା ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ । ଭାରତୀୟ ଚଳଚ୍ଚିତ୍ର ସଂପ୍ରତି ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ବେଶ୍ ପ୍ରଶଂସା ଅର୍ଜନ କରୁଛି । ବିଶେଷକରି ଏଫଟିଆଇଆଇ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ କରିଥିବା ସଫଳତା ଉଲ୍ଲେଖନୀୟ । ଏହାର ଛାତ୍ରମାନଙ୍କ ଦ୍ବାରା ପ୍ରସ୍ତୁତ ଚଳଚ୍ଚିତ୍ରଗୁଡ଼ିକ ଗତ କିଛିବର୍ଷ ଧରି ଏହି ମହୋତ୍ସବରେ ପ୍ରଦର୍ଶିତ ହୋଇ ଆସୁଛି । ୪ ବର୍ଷ ପରେ ପୁଣିଥରେ ଏଭଳି ଏକ ବିରଳ ସମ୍ମାନ ଏଫଟିଆଇଆଇ ଛାତ୍ରଙ୍କୁ ମିଳିଛି । ଚାରିବର୍ଷ ପୂର୍ବେ ୭୩ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଏଫଟିଆଇଆଇର ଛାତ୍ରଙ୍କ ଦ୍ବାରା ପ୍ରସ୍ତୁତ କ୍ୟାଟ୍ ଡଗ୍ ଚଳଚ୍ଚିତ୍ର ଏହି ପୁରସ୍କାର ଲାଭ କରିଥିଲା ।

ସୂଚନାଯୋଗ୍ୟ ଯେ, ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତରୁ ବିଭିନ୍ନ ବର୍ଗର ଚଳଚ୍ଚିତ୍ର ସାମିଲ ହୋଇଛି । ଏଫଟିଆଇଆଇରୁ ଶିକ୍ଷା ସମାପ୍ତ କରିଥିବା ଅନେକ ଛାତ୍ର ଯଥା ପାୟଲ କପାଡ଼ିଆ, ମୈଶାମ ଅଲ୍ଲୀ, ସନ୍ତୋଷ ସିବାନ, ଚିଦାନନ୍ଦ ଏସ. ନାୟକ ଏବଂ ତାଙ୍କର ଟିମ୍ ଚଳିତ ବର୍ଷ କାନ୍ସରେ ସ୍ବୀକୃତି ପାଇଛନ୍ତି ।

 

Leave A Reply

Your email address will not be published.