Latest Odisha News

ଦୃଢ଼ୀଭୂତ ହେଲା ଚର୍ଚ୍ଚା, ବିଜେପି ଛାଡ଼ିବେ ଗମାଙ୍ଗ ବାପପୁଅ !

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ବିଜେପିର ୨ ଦିନିଆ କାର୍ଯ୍ୟକାରିଣୀ । ହେଲେ କାର୍ଯ୍ୟକାରିଣୀକୁ ଆସି ନାହାଁନ୍ତି ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ । ଯାହାକୁ ନେଇ ବିଜେପି ଶିବିରରେ ଚର୍ଚ୍ଚା ହେଉଥିଲେ ବି ନେତା ମୁହଁ ଖୋଲୁ ନାହାନ୍ତି ।

ତେବେ ଗମାଙ୍ଗ ବାପପୁଅ କାହିଁକି ରାଜ୍ୟ ବିଜେପି କାର୍ଯ୍ୟକାରିଣୀକୁ ଆସିଲେନି ?  ଏନେଇ ଓଡ଼ିଶା ସମ୍ବାଦକୁ ପ୍ରତିକ୍ରିୟା ଦେଇ ଶିଶିର ଗମାଙ୍ଗ କହିଛନ୍ତି ଜାଣିଶୁଣି ଯାଇ ନାହିଁ । ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ଉଠାଇଥିବା ବେଳେ ଦଳ ଅଣଦେଖା କରି ଆସୁଛି, ତେଣୁ କାର୍ଯ୍ୟକାରିଣୀରେ ଅନୁପସ୍ଥିତ ରହିଛୁ । ବିଜେପି ଛାଡ଼ି ବିଆରଏସରେ ସାମିଲ୍ ହେବା ପ୍ରଶ୍ନରେ ଶିଶିର କହିଛନ୍ତି ଅପେକ୍ଷା କରନ୍ତୁ ଶୀଘ୍ର ଜାଣି ପାରିବେ ।

ଜାନୁଆରୀ ୧୩ ତାରିଖରେ ଗମାଙ୍ଗ ବାପୁପୁଅ ହାଇଦ୍ରାବାଦରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିଥିଲେ । ଉଭୟଙ୍କୁ କେସିଆର୍ ବିଆରଏସରେ ସାମିଲ୍ ହେବାକୁ ଆମନ୍ତ୍ରଣ କରିଥିବା ନିଜେ କହିଥିଲେ ଶିଶିର । ବିଜେପିରୁ ଇସ୍ତଫା ଦେଇ ନଥିବା ଓ ବିଆରଏସରେ ସାମିଲ୍ ନେଇ କୌଣସି ନିଷ୍ପତ୍ତି ନେଇ ନଥିବା ଶିଶିର ଗଣମାଧ୍ୟମକୁ କହିଥିଲେ ।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଠିକ୍ ୨ ଦିନ ପୂର୍ବରୁ ଶିଶିର କହିଥିଲେ ଓଡ଼ିଶାରେ ଯେତିକି ରାଜନୈତିକ ଦଳ ଅଛନ୍ତି, ସବୁର ସଭାପତି ହେଉଛନ୍ତି ନବୀନ ପଟ୍ଟନାୟକ । ବିଜେଡି ସବୁ ମ୍ୟାନେଜ କରୁଥିବାରୁ ବିରୋଧୀ ଦଳ ଉଠି ପାରୁ ନାହାଁନ୍ତି । ଆଉ ଏହି ମନ୍ତବ୍ୟ ମଧ୍ୟ ଶିଶିର ବିଜେପି ଛାଡ଼ିବା ନେଇ ଚର୍ଚ୍ଚା ସୃଷ୍ଟି କରିଥିଲା ।

ଏହା ପୂର୍ବରୁ ବି ଶିଶିର ବାରମ୍ବାର ରାଜ୍ୟ ବିଜେପି ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ । କହିଥିଲେ ଓଡ଼ିଶା ବିଜେପିରେ ନେତୃତ୍ୱ ସଂକଟ ରହିଛି । କେନ୍ଦ୍ରୀୟ ବିଜେପି, ଓଡ଼ିଶାରେ ସେଭଳି ଦକ୍ଷ ନେତା ଦଳକୁ ଚଳାଇବା ଭଳି ଖୋଜି ପାଉ ନାହିଁ । ଆଉ ଏବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଗମାଙ୍ଗ ବାପପୁଅଙ୍କ ଅନୁପସ୍ଥିତି, ଉଭୟ ବିଆରଏସରେ ସାମିଲ୍ ହେବା ଚର୍ଚ୍ଚାକୁ ଆହୁରି ଦୃଢ଼ୀଭୂତ କରିଛି ।

Leave A Reply

Your email address will not be published.