Latest Odisha News

ସତୀଚଉରା ଶ୍ମଶାନରେ ସମ୍ପନ୍ନ ହେଲା ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ

କଟକ: ସତୀଚଉରା ଶ୍ମଶାନଠାରେ ସମ୍ପନ୍ନ ହେଲା ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ। ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ, ଡିସିପି ପ୍ରତିକ ସିଂହ, ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ।

ଗତକାଲି କଟକ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଓଡିଆ ସାହିତ୍ୟ ଜଗତର ବିରାଟ ଦ୍ରୁମ ବୀଣାପାଣି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା ।

୧୯୩୬ ମସିହାରେ ଜନ୍ମ ଗ୍ରହଣ କରିଥିବା ବୀଣାପାଣି ମହାନ୍ତି କଲେଜ ଜୀବନରୁ କବିତା ଲେଖୁଥିଲେ । ବିଭିନ୍ନ ପତ୍ରପତ୍ରିକା ଓ ପୁସ୍ତକରେ ତାଙ୍କର ୨୦୦ରୁ ଅଧିକ କବିତା ପ୍ରକାଶ ପାଇଛି । ୧୯୬୫ ମସିହାରୁ ସେ କ୍ଷୁଦ୍ରଗଳ୍ପ ଲେଖିବା ଆରମ୍ଭ କରିଥିଲେ। ତାଙ୍କ ରଚିତ ୩୦ରୁ ଅଧିକ ଗଳ୍ପ ପୁସ୍ତକ ଓ ୩ଟି ଉପନ୍ୟାସ ପ୍ରକାଶ ପାଇଛି। ତାଙ୍କ ରଚିତ କ୍ଷୁଦ୍ରଗଳ୍ପ ସଂକଳନ ‘ପାଟଦେଈ’ ୧୯୯୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ କରିଥିଲା।

୧୯୯୨ରେ ଗାଙ୍ଗଟକ୍‌ରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକ‌ାଡେମି ସମ୍ମେଳନରେ ସେ ଓଡ଼ିଆ ଭାଷା ସାହିତ୍ୟର ପ୍ରତିନିଧିତ୍ବ କରିଥିଲେ। ତାଙ୍କ ସାରସ୍ବତ ସୃ‌ଷ୍ଟି ନବତରଙ୍ଗ, ସାୟାହ୍ନର ସ୍ବର, ମଧ୍ୟାନ୍ତର, ଶକୁନିର ଚକ, ଅଭିନେତ୍ରୀ ଆଦି ଗଳ୍ପ ପୁସ୍ତକ, ମନସ୍ବିନୀ, କୁନ୍ତି କୁନ୍ତଳା ସକୁନ୍ତଳା ଭଳି ଉପନ୍ୟାସ, କବିତା ସଂକଳନ ଆସିବାର ବେଳ ଓ କ୍ରାନ୍ତି ଭଳି ଏକକ ଅଭିନୟ ପୁସ୍ତକ ସ୍ବତନ୍ତ୍ର ପାଠକୀୟ ଆଦୃତି ଲାଭ କରିଛି।

Leave A Reply

Your email address will not be published.