Latest Odisha News

BREAKING NEWS

ଚଳିତ ମାସଠାରୁ ଆରମ୍ଭ ହେବ ଗଗନଯାନ ମହାକାଶଚାରୀଙ୍କ ପ୍ରଶିକ୍ଷଣ

ନୂଆଦିଲ୍ଲୀ: ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ “ଗଗନଯାନ”ର ମହାକାଶଚାରୀମାନେ ଚଳିତ ମାସ ଠାରୁ ସେମାନଙ୍କ ପ୍ରଶିକ୍ଷଣ ଆରମ୍ଭ କରିବେ ।

ପ୍ରାପ୍ତ ସୂଚନାନୁଯାୟୀ ଏହି ପ୍ରଶିକ୍ଷଣ ଜାନୁଆରୀ ତୃତୀୟ ସପ୍ତାହ ଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଉତର ପୂର୍ବାଞ୍ଚଳ କ୍ଷେତ୍ର ବିକାଶ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଓ ମହାକାଶ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡ. ଜିତେନ୍ଦ୍ର ସିଂ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ପ୍ରଥମ ମହାକାଶ ଅଭିଯାନରେ ସାମିଲ ହେବାକୁ ଥିବା ମହାକାଶଚାରୀଙ୍କ ପ୍ରଶିକ୍ଷଣ ରୁଷରେ ହେବ । ଏହି ଅଭିଯାନ ପାଇଁ ୪ ଜଣ ମହାକାଶଚାରୀଙ୍କୁ ଚୟନ କରାଯାଇଛି ।

୧୧ ମାସ ଧରି ଏହି ୪ ଜଣ ମହାକାଶଚାରୀ ପ୍ରଶିକ୍ଷଣ ନେବେ । ମହାକାଶ ଅଭିଯାନରେ ସାମିଲ ହେବାକୁ ଥିବା ୪ଜଣ ମହାକାଶଚାରୀ ପୁରୁଷ, ତେବେ ସେମାନଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ।

ରୁଷରେ ୧୧ ମାସ ଧରି ତାଲିମ ନେବା ପରେ ଏହି ମହାକାଶଚାରୀମାନେ ଭାରତରେ ସ୍ୱତନ୍ତ୍ର ମଡ୍ୟୁଲ ତାଲିମ ନେବେ । ଏଥିରେ ସେମାନେ ଇସ୍ରୋ ଦ୍ୱାରା ଡିଜାଇନ ହୋଇଥିବା କ୍ରିଉ ଓ ସର୍ଭିସ ମଡ୍ୟୁଲ ସମ୍ପର୍କରେ ପ୍ରଶିକ୍ଷଣ ନେବେ । ଇସ୍ରୋ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭାରତର ସବୁଠୁ ଭାରୀ ମହାକାଶ ଉତକ୍ଷେପଣ ଯାନ “ବାହୁବଳୀ” ଜିଏସଏଲଭି ମାର୍କ-ଥ୍ରୀ ଜରିଆରେ ମହାକାଶଚାରୀମାନେ ମହାକାଶକୁ ଯିବେ ।

ଗଗନଯାନ ପ୍ରକଳ୍ପ ଲାଗି କେନ୍ଦ୍ର କ୍ୟାବିନେଟ ପୂର୍ବରୁ ୧୦ ହଜାର କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି । ଗତବର୍ଷ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ଘୋଷଣା କରିଥିଲେ ।

ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଗଗନଯାନ ଅଭିଯାନ ଆରମ୍ଭ କରାଯିବ । ୧୯୮୪ରେ ପ୍ରଥମ ଭାରତୀୟ ଭାବେ ରାକେଶ ଶର୍ମା ମହାକାଶ ଯାତ୍ରା କରିଥିଲେ । ତେବେ ଯେଉଁ ମହାକାଶଯାନରେ ସେ ମହାକାଶକୁ ଯାଇଥିଲେ ତାହା ଭାରତୀୟ ନଥିଲା । ତେଣୁ ପ୍ରଧାନମନ୍ତ୍ରୀଙ୍କ “ମେକ ଇନ ଇଣ୍ଡିଆ” ସ୍ୱପ୍ନକୁ ବାସ୍ତବରେ ପ୍ରତିଫଳିତ କରୁଥିବା “ଗଗନଯାନ” ଭାରତ ଦ୍ୱାରା କଳ୍ପିତ ଏବଂ ବିକଶିତ ପ୍ରଥମ ମାନବ ମହାକାଶ ଅଭିଯାନ ହେବ ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.