Latest Odisha News

BREAKING NEWS

ସ୍ଵଭାବ କବି ଗଙ୍ଗାଧର ମେହେରଙ୍କର ଆଜି ଜନ୍ମ ତିଥି; ଜାଣନ୍ତୁ ତାଙ୍କ ସମ୍ପର୍କରେ

ଭୁବନେଶ୍ୱର: ଆଜି ଶ୍ରାବଣ ପୂର୍ଣ୍ଣିମା । ମାତୃ ଭାଷାର ମହାନ ଉପାସକ ଗଙ୍ଗାଧର ମେହେରଙ୍କର ଆଜି ଜନ୍ମ ତିଥି। ସେ ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ୯ ଅଗଷ୍ଟ ୧୮୬୨ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ ।

ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ୱଭାବ କବିର ଉପାଧି ପାଇଥିଲେ। ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପକୁ ବର୍ଣ୍ଣନା କରିବାରେ କବିଙ୍କର କୃତିତ୍ୱ ପ୍ରଶଂସା ଯୋଗ୍ୟ। ସେ ନିଜ ଲେଖାରେ କେବଳ ଉଚ୍ଚ ଆଦର୍ଶକୁ ସ୍ଥାନ ଦେଇ ନାହାନ୍ତି, ସେଥିରେ ସେ ମାନବତାର ଜୟଗାନ ମଧ୍ୟ କରିଛନ୍ତି । ଛନ୍ଦମାଧୁର୍ଯର ଆଧୁନିକୀକରଣ କରି ସେ ଓଡ଼ିଆ କବିତାରେ ଗାନଯୋଗ୍ୟତା ଭରିଛନ୍ତି । ଅର୍ଘ୍ୟଥାଳି କବିତାମାଳାର ଭକ୍ତି, ଅମୃତମୟ ଓ ମଧୁମୟ କବିତା ଓଡ଼ିଶାର ପୁରପଲ୍ଲୀରେ ଅତି ପରିଚିତ କବିତାମାନଙ୍କ ଭିତରୁ ଅନ୍ୟତମ ।

ବାଲ୍ୟକାଳରୁ ଗଙ୍ଗାଧର କବିତା ଲେଖିବା ଆରମ୍ଭ କରିଥିଲେ। ଓଡ଼ିଶାର ପୁରାତନ କବି ମାନଙ୍କର ପଦାଙ୍କ ଅନୁସରଣ କରି ସେମାନଙ୍କ ଶୈଳୀରେ ସେ ନିଜର ପ୍ରଥମ ଲେଖା ସବୁ ଲେଖିଥିଲେ । ତାଙ୍କର ଆଦ୍ୟ ରଚନାବଳୀ ଭିତରେ ରସ ରତ୍ନାକର ଓ ଅହଲ୍ୟା ସ୍ତବ ଆଦି ଅନ୍ୟତମ। ଏ ଗୁଡ଼ିକ ରୀତି ଯୁଗୀୟ ଶୈଳୀରେ ରଚନା କରାଯାଇଥିଲା। ଏହା ପରେ କବିବର ରାଧାନାଥ ରାୟଙ୍କ ପ୍ରରୋଚନାରେ ସେ ଆଧୁନିକ ଶୈଳୀରେ ଇନ୍ଦୁମତୀ ନାମକ କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟର ଆଧୁନିକ କବିମାନଙ୍କ ଭିତରେ ନିଜର ସ୍ଥାନ ସ୍ଥାପିତ କରି ପାରିଥିଲେ। ତାଙ୍କ ଲେଖା ସବୁ ଉତ୍କଳ ଭାରତୀର ଅମୂଲ୍ୟ ରତ୍ନ।

Comments are closed.