Latest Odisha News

BREAKING NEWS

ଖଡ଼ଗେ ହୋଇପାରନ୍ତି କଂଗ୍ରେସ ସଭାପତି !

କଂଗ୍ରେସ ସଭାପତି ଆସନ କଣ୍ଟକିତ

ନୂଆଦିଲ୍ଲୀ: 1996 ସେପ୍ଟେମ୍ବରରେ ସୀତାରାମ କେଶରୀ କଂଗ୍ରେସ ସଭାପତି ହୋଇଥିଲେ । ମାର୍ଚ୍ଚ 1998ରେ ତାଙ୍କୁ ହଟାଇ ଦିଆଯାଇଥିଲା । କଂଗ୍ରେସର ମଙ୍ଗ ଧରିଥିଲେ ସୋନିଆ ଗାନ୍ଧୀ ଆଉ ବନିଥିଲେ ସଭାପତି  । ସେବେଠାରୁ ଗାନ୍ଧୀ ପରିବାର ହାତରେ ଥିଲା ସଭାପତି ପଦ । ଏବେ ପୁଣି ସଭାପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ଆଉ ଯାହା ଦେଖାଯାଉଛି ଚଳିତ ବର୍ଷ ମଲ୍ଲିକାର୍ଜୁନ ଖଡ଼ଗେ ହିଁ ହେବେ ସଭାପତି । ତୃତୀୟ ପ୍ରାର୍ଥୀ ହଟିବା ପରେ ଏବେ ଦୁଇଜଣ ପ୍ରାର୍ଥୀ ରହିଛନ୍ତି । କିନ୍ତୁ ଶଶୀ ଥରୁରଙ୍କ ଅପେକ୍ଷା ଖଡ଼ଗେଙ୍କ ପଛରେ ସବୁ ନେତା ରହିଥିବା ଦୃଷ୍ଟିଗୋଚର ହୋଇଛି । ଏଥିରୁ ଜଣାପଡୁଛି ଏହି ନିର୍ବାଚନ ଏକପାକ୍ଷିଆ ହେବ ଏବଂ ଥରୁର ବହୁମତ ବ୍ୟବଧାନରେ ପରାଜିତ ହେବେ ।

ରେସରେ ଖଡ଼ଗେ ଆଗୁଆ

ଜାତୀୟ ଗଣମାଧ୍ୟମରେ 80 ବର୍ଷୀୟ  ଖଡ଼ଗେଙ୍କୁ ନେଇ ଅନେକ ଆଲୋଚନା ହେଉଛି । ଗାନ୍ଧୀ ପରିବାରର ଅତି ବିଶ୍ବସ୍ତ ହୋଇଥିବାରୁ ସେ ହିଁ ସଭାପତି ହେବାକୁ ଯାଉଛନ୍ତି, କାରଣ ତାଙ୍କ ସପକ୍ଷରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମର୍ଥନ ରହିଛି । ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମର୍ଥନ ଥିବାରୁ ଅଶୋକ ଗେହଲୋଟଙ୍କଠାରୁ ଆରମ୍ଭ କରି ଦିଗବିଜୟ ସିଂହ, ମନିଷ ତିଓ୍ବାରୀ , ଏକେ ଆଣ୍ଟୋନି, ଅମ୍ବିକା ସୋନି, ମୁକୁଳ ବାସନିକ, ପୃଥୀରାଜ ଚୈାହାନ, ଆନନ୍ଦ ଶର୍ମାଙ୍କ ଭଳି ସବୁଗୋଷ୍ଠୀର ନେତା ଏପରିକି ଜ-23ର ନେତାମାନେ ମଧ୍ୟ ଏବେ ମଲ୍ଲିକାର୍ଜୁନଙ୍କୁ ସମର୍ଥନ ଦେବାରେ ପଛଘୁଞ୍ଚା ଦେଇନାହାଁନ୍ତି । ସେଥିପାଇଁ ନାମାଙ୍କନ ପତ୍ର ଦାଖଲ ଦିନ ତାଙ୍କ ସମର୍ଥନରେ ଅଧିକାଂଶ ବରିଷ୍ଠ ନେତା ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ତେଣୁ ଅକ୍ଟୋବର 17 ନିର୍ବାଚନରେ ଖଡଗେ ବିଜୟୀ ହେବାର ସଂଭାବନା ଅଧିକ ।  ସବୁ ରାଜ୍ୟର ପସିସି ସଦସ୍ୟଙ୍କ ସଂଖ୍ୟା 9100 ଥିବା ବେଳେ ଅଧିକାଂଶ ପିସିସି ଅଧ୍ୟକ୍ଷ ଖଡ଼ଗେଙ୍କୁ ସମର୍ଥନ କରୁଛନ୍ତି । ଏପରିକି ବଡ଼ ବଡ଼ ରାଜ୍ୟର ପିସିସି ସଭାପତି ଖଡ଼ଗେଙ୍କ ପ୍ରାର୍ଥୀପତ୍ରରେ ଦସ୍ତଖତ କରିଛନ୍ତି ।

ରେସରେ ଥରୁର ପଛରେ 

66 ବର୍ଷୀୟ ଥରରୁ କଂଗ୍ରେସରେ ପରିବର୍ତ୍ତନ ଏବଂ ପ୍ରଗତି କରିବାକୁ ଚାହୁଁଛନ୍ତି । ଏଥିପାଇଁ ତାଙ୍କୁ କେବଳ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ସମର୍ଥନ ମିଳିଛି । ସେ ଚାହୁଁଛନ୍ତି ଦଳକୁ ଗତାନୁଗତିକ ଧାରାରେ ନଚଳାଇ ଆଧୁନିକ କରିବା ପାଇଁ କିନ୍ତୁ ତାହା ବର୍ତମାନ ସମୟରେ ସଂଭବ ନୁହେଁ । ଗାନ୍ଧୀ ନେହରୁ ପରିବାରର ବିଶ୍ବସ୍ତ ନେତା ଭାବେ ମଧ୍ୟ ଗଣାଯାଉନାହାଁନ୍ତି ଥରୁର । କଂଗ୍ରେସର ଅସନ୍ତୁଷ୍ଟ ନେତା ଭାବେ ତାଙ୍କୁ ଜାତୀୟ ଗଣମାଧ୍ୟମ ଦୁଇ ବର୍ଷ ହେଲା ଚିତ୍ରଣ କରୁଛି । ବିଜେପିକୁ ଟକ୍କର ଦେବା ପାଇଁ ସେ ଦଳକୁ ନୂଆ ରୂପ ଦେବାକୁ ଚାହାଁନ୍ତି । ଅବଶ୍ୟ 8 ତାରିଖ ରହିଛି ନାମାଙ୍କନ ପତ୍ରର ପ୍ରତ୍ୟାହାର ଶେଷ ଦିନ । ଥରୁର ଲଢ଼ିବେ ନା ନାହିଁ ସେଦିନ ଜଣାପଡିବ । ତେବେ ଏହା ହିଁ କୁହାଯାଇପାରେ ଯେ ନିର୍ବାଚନ ହେଉ ବା ନହେଉ ଖଡ଼ଗେ ସଭାପତି ରେସରେ ଆଗୁଆ ଅଛନ୍ତି ।

ସଭାପତି ଆସନ ବିପଦପୂର୍ଣ୍ଣ

ତେବେ ସବୁଠୁ ବଡ଼ କଥା ହେଲା ସଭାପତି ଯିଏ ହେଉ ନା କାହିଁକି ଏହା ବର୍ତ୍ତମାନ ପାଇଁ କଣ୍ଟକିତ ଆସନ । କାରଣ ଏବେ କଂଗ୍ରେସ ପାଇଁ ଖରାପ ସମୟ ଚାଲିଛି । ଆଗକୁ ଯେଉଁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ , ସେ ସବୁ ରାଜ୍ୟରେ କଂଗ୍ରେସର କିଛି ଭଲ ସ୍ଥିତି ନାହିଁ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି । ଏପରିକି ଗୁଜରାଟ ନିର୍ବାଚନ ଘଣ୍ଟି ବାଜି ସାରିଥିବା ବେଳେ ଦକ୍ଷିଣରେ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା କରୁଛନ୍ତି । ଯାହାକୁ ନେଇ ବେଶୀ ଆଲୋଚନା ହେଉଛି । ଆଉ ସବୁଠୁ ବଡ଼ କଥା ହେଲା 2024 ନିର୍ବାଚନରେ କଂଗ୍ରେସ ପରାଜୟ ହେଲେ ସଭାପତି ହିଁ ପ୍ରଥମେ ତଡ଼ା ଖାଇବେ । ଯେଉଁଭଳି 24 ବର୍ଷ ପୂର୍ବେ ନିର୍ବାଚନରେ କଂଗ୍ରେସ ପରାଜୟ ପରେ  ସୀତାରାମଙ୍କୁ ବେଦଖଲ କରାଯାଇଥିଲା ସେଭଳି ନୂଆ ସଭାପତିଙ୍କୁ କରାଯିବ ନାହିଁ ତ? ଏପରିକି ସଭାପତି ପଦରୁ ଯିବା ପରେ ସୀତାରାମଙ୍କୁ ରାଜ୍ୟସଭାକୁ ମଧ୍ୟ ଦଳ ପଠାଇନଥିଲା । ତେବେ ଅକ୍ଟୋବର 19ରେ  ଯିଏ ବି ସଭାପତି ଆସନରେ ବସନ୍ତୁ ତାଙ୍କ ପାଇଁ ଏହି ଆସନ ଗୋଲାପର ଆସନ ହେବନାହିଁ । କାରଣ  2024 ରେ କଂଗ୍ରେସ ସଫଳତା ପାଇଲେ ତାହା ଗାନ୍ଧୀ ପରିବାରକୁ ଯିବ କିନ୍ତୁ  ଦଳ ବିଫଳ ହେଲେ ସଭାପତିଙ୍କୁ ପଦଛାଡ଼ିବା ପାଇଁ ସମାଲୋଚନାର ଭୂତ ଗୋଡ଼ାଇବ । ଏହା ହିଁ ଏବେ ଜାତୀୟ ଗଣମାଧ୍ୟମରେ ବେଶି ଚର୍ଚା ହେଉଛି

Leave A Reply

Your email address will not be published.