ଗାନ୍ଧୀ କିଏ?
ଦତ୍ତାତ୍ରେୟ ନାୟକ
ଗାନ୍ଧୀ କିଏ ? ପ୍ରଶ୍ନର ଉତ୍ତର ଏବେ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲାଣି । ଏବେକାର ନୂଆ ପିଢ଼ି ଗାନ୍ଧୀବାଦ ଓ ଗାନ୍ଧୀଙ୍କ ନୀତିକୁ ଖୋଲାଖୋଲି ଭାବେ ବିରୋଧ କଲେଣି । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଭାରତର ଜାତୀୟ ପିତା ବୋଲି ସମ୍ବୋଧିତ କରିବା ପରେ ଗାନ୍ଧୀ ଚରିତ୍ରର ବିଶ୍ଲେଷଣ ଏକ ଆବଶ୍ୟକତା ହେଲାଣି । ସତରେ କ’ଣ ଗାନ୍ଧୀ ଏତେ ମହାନ ଥିଲେ? ଭଗତ ସିଂହ, ସୁଭାଷ ବୋଷ ଆଉ ଜବାହରଙ୍କ ଭଳି ଅଗଣିତ ନେତା ସ୍ୱାଧୀନତା ପ୍ରାପ୍ତିକୁ ବ୍ରତ କରିଥିଲେ, ତେବେ କେବଳ ଗାନ୍ଧୀ କାହିଁକି? ଏହା ମୋ ପ୍ରଶ୍ନ ନୁହେଁ । ଏବେକାର ସାମାଜିକ ଗଣମାଧ୍ୟମରେ ନୂଆ ଯୁବପିଢ଼ିମାନେ ଗାନ୍ଧୀବାଦକୁ ବିରୋଧ କରି ଏମିତି ହଜାରେ ପ୍ରଶ୍ନ ଉଠାଉଛନ୍ତି । ତେବେ ସମସ୍ୟା କେଉଁଠି ରହିଛି? ଆମେ ଗାନ୍ଧୀଙ୍କୁ ନୂଆ ପିଢ଼ି ଆଗରେ ଉପସ୍ଥାପିତ କରିବାରେ ବିଫଳ ହେଉ ନାହେଁ ତ? ହଁ । ଆମେ ବିଫଳ । ଏତେ ବିଫଳ ଯେ ଆଗାମୀ ପିଢ଼ି ଗାନ୍ଧୀଙ୍କୁ ଏକ କାଳ୍ପନିକ ଚରିତ୍ର ବୋଲି ଭାବିବାର ସମ୍ଭାବନା ସୃଷ୍ଟି ହେଲାଣି ।
୧୯୪୭ ମସିହା ପୂର୍ବର ଭାରତକୁ ବ୍ରିଟେନର ଉପନିବେଶ ବୋଲି କୁହାଯାଉଥିଲା । ଉପନିବେଶ ବୋଇଲେ ଏକ ରାଷ୍ଟ୍ର ଦ୍ୱାରା ଆଇନଗତ ଓ ରାଜନୀତିକ ଭାବେ ଅଧିକୃତ ଭୂଖଣ୍ଡ । ଅର୍ଥାତ ଯେଉଁ ଦାସତ୍ୱ ଆମକୁ ମିଳିଥିଲା ତାହା ଆମର ସାମରିକ ପରାଜୟ ନୁହେଁ । ସେଥିପାଇଁ ତ ଆମେ ସ୍ୱାଧୀନତା ସଂଗ୍ରାମ ବୋଲି କହୁ, କ୍ରାନ୍ତି ବୋଲି ନୁହେଁ । ଏକଥା ଏଠାରେ ଉଲ୍ଲେଖ କରିବାର ଅର୍ଥ ସ୍ପଷ୍ଟ । ପ୍ରଥମେ ଏକଥା ବୁଝିବା ଦରକାର ଯେ, କାଗଜପତ୍ରରେ ପରାଧୀନ ହୋଇଥିବା ରାଷ୍ଟ୍ରକୁ ସ୍ୱାଧୀନତା ମିଳିବା ଯଥେଷ୍ଟ କଷ୍ଟ । ତେଣୁ ଭଗତ ଆଉ ଆଜାଦଙ୍କ ଉଦାହରଣ ଦେଇ ଗାନ୍ଧୀଙ୍କୁ ନିନ୍ଦୁଥିବା ଗୋଷ୍ଠୀଙ୍କ ଯୁକ୍ତି ଏକ ରକମର ତର୍କହୀନ । ମୁଖ୍ୟତଃ ଆମେ ସାମରିକ ସ୍ୱାଧୀନତା ପାଇଁ କେବେ ପ୍ରଚେଷ୍ଟା ମଧ୍ୟ କରିନେ । କରିଥିଲେ ଲାଭ ମଧ୍ୟ ହୋଇନଥାନ୍ତା । ପରାଧୀନତାର କାରଣ ଯାହା ତାହା ଉପରେ ଜୋର ନଦେଲେ ସ୍ୱାଧୀନତା ମିଳିବା ସମ୍ଭବ ନୁହେଁ । ଏହି ଯାନ୍ତ୍ରିକ ସମସ୍ୟାକୁ ବୁଝିବା ପାଇଁ ଭାରତରେ ବିଜ୍ଞଙ୍କର ମଧ୍ୟ ଢେ଼ର ଅଭାବ ଥିଲା । କିଭଳି ସ୍ୱାଧୀନତା ମିଳିବ ଆଉ କେଉଁ ରାସ୍ତା ଦେଇ ଗଲେ ସମୟକ୍ରମେ ଭାରତ ସ୍ୱାଧୀନ ହେବ ତାହାର ରୂପ ରେଖ ଟାଣିବା ପାଇଁ ଦେଶରେ ଦକ୍ଷ ଲୋକ ନଥିଲେ । ସେବେକାର ଭାରତକୁ ଗୋଟିଏ ନିହାତି ମୂର୍ଖ ଭୂଖଣ୍ଡ ବୋଲି କହିପାରିବେ । ମାତ୍ର ୬ରୁ ୭ ପ୍ରତିଶତ ଶିକ୍ଷିତ ଥିଲେ । ଚାର୍ଟର ଆକ୍ଟ, ଡକ୍ଟେରିନ ଅଫ ପାରାମାଉନସି ଶବ୍ଦ କେତେ ଜଟିଳ ତାହା ଜାଣିବା ଭାରତୀୟଙ୍କ ସାମର୍ଥ୍ୟ ବାହାରେ ଥିଲା । ଗୋଟିଏ ଶବ୍ଦରେ କହିଲେ ବ୍ୟବସ୍ଥାକୁ ବୁଝିବା କଷ୍ଟ ଥିଲା । ତେବେ ବ୍ୟବସ୍ଥା କଣ?
ଭାରତୀୟ ରାଜନୀତି ଭିତରକୁ ଗାନ୍ଧୀଙ୍କ ପ୍ରବେଶ ବେଳକୁ ଭାରତୀୟ ଉପନିବେଶରେ କ୍ଷମତାର କେନ୍ଦ୍ରୀକରଣ ହୋଇ ସାରିଥାଏ । ବାସ୍ତବରେ ଉପନିବେଶବାଦର ଅର୍ଥ ହିଁ କ୍ଷମତାର କେନ୍ଦ୍ରୀକରଣ। କ୍ଷମତା ଠୁଳ ନହେଲେ ତାହାକୁ ଅକ୍ତିଆର କରିବା ସମ୍ଭବ ନୁହେଁ । ଗାନ୍ଧୀଙ୍କ ଏକଥା ବୁଝିବାକୁ ସମୟ ଲାଗି ନଥିଲା । ସେତେବେଳର ଭାଇସରୟ ଚେମ୍ସଫୋର୍ଡ କୁହନ୍ତି ଗାନ୍ଧୀ ବ୍ୟବସ୍ଥାକୁ ବୁଝି ଲୋକଙ୍କୁ ବଝେଇବା ଆରମ୍ଭ କରିବା ପରେ ହିଁ ଭାରତୀୟ ଉପନିବେଶକୁ ନେଇ ସମସ୍ୟା ଆରମ୍ଭ ହେଲା । ଗାନ୍ଧୀ ଭଲ ଭାବେ ଜାଣିଥିଲେ, କ୍ଷମତାର ବିକେନ୍ଦ୍ରୀକରଣ ନହେବା ପର୍ଯ୍ୟନ୍ତ ସ୍ୱାଧୀନତା ମିଳିବା ଅସମ୍ଭବ । କାରଣ କ୍ଷମତା ଥିଲେ ହିଁ କ୍ଷମତା ବଢ଼ିବ । ଗାନ୍ଧୀ ସର୍ବ ପ୍ରଥମେ ପ୍ରାଦେଶିକ ବ୍ୟବସ୍ଥାପକ ସଭା ପାଇଁ କ୍ଷମତା ଦାବି କଲେ । ସେ ବିଚାର କଲେ ପ୍ରାଦେଶିକ ବ୍ୟବସ୍ଥାପକ ସଭା ହାତକୁ କ୍ଷମତା ଆସିଲେ କେନ୍ଦ୍ରୀୟ ବ୍ୟବସ୍ଥାକୁ ଆଇନଗତ ଭାବେ ହାସଲ କରିହେବ ।
ଗମେଣ୍ଟ ଅଫ ଇଣ୍ଡିଆ ଆକ୍ଟ-୧୯୧୯ ଆଉ ପରେ ସାଇମନ କମିଶନଙ୍କ ସୁପାରିସରେ ଗମେଣ୍ଟ ଅଫ ଇଣ୍ଡିଆ ଆକ୍ଟ-୧୯୩୫ରେ ଗାନ୍ଧୀଙ୍କ ଦାବିକୁ ଇଂରେଜମାନେ ଗ୍ରହଣ କଲେ । ଗ୍ରହଣ ଏଥିପାଇଁ କଲେ ଯେ, କାରଣ ଗାନ୍ଧୀଙ୍କୁ ଜଣାଥିଲା କ’ଣ ମାଗିବାର ଅଛି । ସଂଗ୍ରାମୀ ହୋଇ ଦେଶ ପାଇଁ ଜୀବନ ଦେବା ଛୋଟ କଥା ନୁହେଁ । ହେଲେ ଉପନିବେଶବାଦର ବ୍ୟବସ୍ଥାକୁ ପଙ୍ଗୁ କରି ସ୍ୱାଧୀନ ଭାରତର ସ୍ୱପ୍ନ ଦେଖିଥିବା ମଣିଷର ବିଜ୍ଞତା ଆଉ ଦକ୍ଷତା ସମସ୍ତଙ୍କ ପାଖରେ ନଥାଏ । ପ୍ରାଦେଶିକ କ୍ଷମତାର ଦାବିରେ ବ୍ରିଟେନ ଭାରତର ପ୍ରାଦେଶିକ ସଭାକୁ ନିର୍ଦ୍ଦିଷ୍ଟ କ୍ଷମତା ଦେଲେ । ପ୍ରାଦେଶିକ ସ୍ତରରେ ବଜେଟ ତିଆରିଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ବ୍ୟାପାରରେ ଭାଇସରୟଙ୍କ କର୍ତ୍ତୃତ୍ୱ କମିଲା । ପ୍ରଥମ ଥର ପାଇଁ ଭାରତୀୟ ଉପନିବେଶକୁ ସର୍ବଭାରତୀୟ ସଂଘର ମାନ୍ୟତା ମିଳିଲା । ଅର୍ଥାତ ଭାରତ ଏକ ସଂଘ ଯାହା ପ୍ରଦେଶକୁ ନେଇ ଗଠିତ । ଶୁଣିବାକୁ ବିଶେଷ ଆକର୍ଷଣୀୟ ମନେ ହେଉନଥିବ? ସହଜରେ ବୁଝିଲେ କେନ୍ଦ୍ରର ନିଷ୍ପତ୍ତିରେ ପ୍ରଦେଶର ଭୂମିକା ସ୍ଥାୟୀ ହେଲା । ଅର୍ଥାତ କେନ୍ଦ୍ରର ସର୍ବକାଳୀନ ନିଷ୍ପତ୍ତିରେ ପ୍ରାଦେଶିକ ବ୍ୟବସ୍ଥାପକ ସଭାର ଭୂମିକା ରହିଲା ।
ହେଲେ ସମସ୍ୟା ତଥାପି ସରିନଥାଏ । ବାସ୍ତବରେ ଆମେ ଯାହାକୁ ବ୍ରିଟିଶ ଇଣ୍ଡିଆ ବୋଲି କହୁଥିଲେ ତାହା କେବଳ ପ୍ରଦେଶ । ମାତ୍ର ଦେଶରେ ଥିବା ୫୬୫ ଗଡ଼ଜାତ ବ୍ରିଟିଶ ଇଣ୍ଡିଆ ଅଧୀନରେ ନଥିଲେ । ଏମାନେ କେବଳ ଡକ୍ଟାରାଇନ ଅଫ ପାରାମାଉନସିରେ ବନ୍ଧା ହୋଇଥିଲେ । ସରଳ ଭାଷାରେ ବୁଝିଲେ କେବଳ ବାହ୍ୟ ବ୍ୟାପାରକୁ ଛାଡ଼ି ସବୁ ଅଧିକାର ସେମାନଙ୍କ ନିଜ ଅଧୀନରେ ଥିଲା । ବ୍ରିଟିଶ ଇଣ୍ଡିଆର ଅନ୍ୟ କୌଣସି ଅଧିକାର ନଥିଲା । ଏହା ଥିଲା ଗାନ୍ଧୀଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା । ସେ ବୁଝିଥିଲେ ଭାରତକୁ ସଂଘର ମାନ୍ୟତା ମିଳିବା ବେଳେ ଏମାନଙ୍କୁ ବାଦ ଦେବା ସମ୍ଭବ ନୁହେଁ । ଦେଶ ସ୍ୱାଧୀନତା ପାଇବା ପୂର୍ବରୁ ଇଂରେଜଙ୍କ ମାଧ୍ୟମରେ ଭାରତୀୟ ଭୂଖଣ୍ଡକୁ ଏକତ୍ରୀକରଣ କରିବାର ସ୍ୱପ୍ନ ମଳିନ ପଡ଼ିଥିଲା । ତେବେ ଗାନ୍ଧୀଙ୍କ ପାଇଁ ସ୍ଥିତି ଓଲଟା ହେଲା । ଇଂରେଜ ସର୍ବଭାରତୀୟ ସଂଘ ପାଇଁ ପ୍ରସ୍ତୁତ, ମାତ୍ର ଗଡଜାତ ନାରାଜ ।
ଗଡଜାତ ନାରାଜ ହେବାପରେ ଗାନ୍ଧୀ ସାମ୍ବିଧାନିକ ଅଧିକାର ଚାହିଁଲେ । କଂଗ୍ରେସ ନିଜ ସମ୍ବିଧାନ ନିଜେ ଲେଖିବା ପାଇଁ ଦାବି କଲା । ତେବେ ଅନେକ ବିରୋଧ ପରେ ବ୍ରିଟେନର ତତକାଳୀନ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ କ୍ରିପ୍ସ ମିଶନ ମାଧ୍ୟମରେ ସମ୍ବିଧାନ ସଭାକୁ ଅନୁମୋଦନ ମିଳିଲା । ପ୍ରଥମ ଥରରେ ମୁସଲିମ ଲିଗର ବିରୋଧ ପରେ ଦ୍ୱିତୀୟ ପର୍ଯ୍ୟାୟରେ ଏହା ମଧ୍ୟ ଅନୁମୋଦିତ ହେଲା । ଏହାପରେ ଭାରତଛାଡ଼ ଆନେ୍ଦାଳନ ଆଉ ଇଣ୍ଡିଆନ ଇଣ୍ଡିପେଣ୍ଡେଣ୍ଟ ଆକ୍ଟ- ୧୯୪୭ । ଶେଷରେ ସ୍ୱାଧୀନ । ବ୍ୟବସ୍ଥକୁ ଏମିତି ଢ଼ଙ୍ଗରେ ମୋଡିଲେ ଯେ ଭାରତୀୟ କେବଳ ସ୍ୱାଧୀନ ହେଲେ ବୋଲି ନୁହେଁ ଶାସନ ବ୍ୟବସ୍ଥାକୁ ମଧ୍ୟ ବୁଝିଲେ । ସ୍ୱାଧୀନତା ବେଳକୁ ଯେଉଁ ରୂପରେଖା ଥିଲା ତାହାର ସ୍ପଷ୍ଟ ଚିତ୍ର ଭାରତୀୟମାନେ ବୁଝି ପାରୁଥିଲେ । ପ୍ରାଦେଶିକ ବ୍ୟବସ୍ଥାପକ ସଭାରେ ଭାରତୀୟମାନେ କାମ କରି ଦେଶ ଚଳେଇବା ଶିଖି ସାରିଥାନ୍ତି । ସରକାର କାହାକୁ କୁହନ୍ତି ବୁଝିସାରିଥାନ୍ତି ।
ସମାଲୋଚକଙ୍କ ଭାଷାରେ ଭାରତ ଗାନ୍ଧୀଙ୍କ ବିନା ବି ସ୍ୱାଧୀନ ହୋଇପାରିଥାନ୍ତ । ଯଦି ଏହାକୁ ସତ ବୋଲି ମନେ କରାଯାଏ ତେବେ ମଧ୍ୟ ସେଭଳି ସ୍ୱାଧୀନତାକୁ ଆମେ ଘୃଣା କରିଥାନ୍ତେ । ଆଜି ଯେଉଁ ଜ୍ଞାନକୌଶଳ ଦେଖୁଛ ସେସବୁ ନଥାନ୍ତା । ବ୍ରିଟେନର ବ୍ୟବସ୍ଥା ଯାହାର ଦାସତ୍ୱ ଏବେ ମଧ୍ୟ ବିଶ୍ୱର ପରିଚୟ । ବିଶ୍ୱର ଚାରି ଭାଗରୁ ଭାଗେକୁ ଶାସନ କରି ଘୃଣାର ପାତ୍ର ହୋଇଛି ସତ, ମାତ୍ର ସେସବୁ ସୃଜନଶୀଳତା ବିଷୟରେ ମଧ୍ୟ ଶିକ୍ଷା ଦେଇଛି ଯାହା ଏବେ ବିଶ୍ୱର ମୂଳଦୁଆ । ସବୁଠି ଶାସନ କରି ନିଜ ବ୍ୟବସ୍ଥକୁ ଲାଗୁ କରାଇଛି ଏବଂ ରାଜା ରାଜୁଡା ଶାସନରୁ ସମ୍ବିଧାନର ପରିଭାଷା ବି ତିଆରି କରିଛି । ଏତେ କିଛି ଶିଖାଇଛି ଯେ ଯାହା ଭାରତ ଶାସିତ ନହୋଇ ଶିଖି ପାରିନଥାନ୍ତା ।
ତେବେ ଚାଲାକ କାହାକୁ କୁହନ୍ତି? ତାଙ୍କଠାରୁ କିଛି ନିଶିଖି ବାଡେଇ ଦେଶରୁ ବିଦା କରିବା ନା ତାଙ୍କଠାରୁ ସବୁ ଶିଖି ତାଙ୍କୁ ଆଇନଗତ ଭାବେ ବିଦାୟ ଦେବା? ଯେଉଁ ଆଇନ ପଢେ଼ଇ ଚାଲାକି କରି ଆମକୁ ଶାସନ କରୁଥିଲେ ସେହି ଆଇନ ତାଙ୍କଠୁ ଶିଖି ତାଙ୍କୁ ବିଦା କରିବା ବୁଦ୍ଧିମତାର ପରିଚୟ ନୁହେଁ କି? ଫାର୍ସା, ଠେଙ୍ଗା ଆଉ ଅସ୍ତ୍ରଶସ୍ତ୍ରରେ ମଧ୍ୟ ସ୍ୱାଧୀନତା ମିଳି ପାରିଥାନ୍ତା ବୋଲି ଯେଉଁ ମତ ଏବେ ମଧ୍ୟ କୁହୁଳୁଛି ତାହା ଆମକୁ ଏତେ ସଭ୍ୟ ଆଉ ବ୍ୟବସ୍ଥିତ ରାଷ୍ଟ୍ରର ମାନ୍ୟତାରୁ ବଞ୍ଚିତ କରିଥାନ୍ତା ।
ଗାନ୍ଧୀ କିଏ? ପ୍ରଶ୍ନର ଉତ୍ତର ଅତି ସରଳ । ଆଇନଗତ ପରାଧୀନତାରୁ ଆଇନଗତ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ମିଳିବା ପଛର ଜନନାୟକ ହେଲେ ଗାନ୍ଧୀ । ଯେ ପ୍ରମାଣ କଲେ, ଯେଉଁ ମୂର୍ଖମାନଙ୍କୁ ଆଇନର ଛାଟ ଦେଖେଇ ପ୍ରବଞ୍ଚନା କରି ଶାସନ କରୁଥିଲ, ସେମାନେ ଆଇନ ଶିଖି ତୁମକୁ ସ୍ୱାଧୀନତା ଦେବାକୁ ବାଧ୍ୟ କରାଇଲେ ।
………………….
ସାମ୍ବାଦିିିକ
Comments are closed.