ସାମ୍ବାଦିକ ଗାନ୍ଧୀ

ସାମ୍ବାଦିକ ଗାନ୍ଧୀ

ଜ୍ୟୋତିପ୍ରକାଶ ମହାପାତ୍ର

 

ଗାନ୍ଧୀଙ୍କ ତିରୋଧାନର କିଛି ଦିନ ପରେ ଏ କଥା “ଦି ଇଣ୍ଡିଆନ୍ ଲିସନର୍’ ନାମକ ପତ୍ରିକା ଲେଖିଥିଲା । ୧୯୪୮ ମସିହା ଫେବୃଆରୀ ୨୨ ତାରିଖର ସଂସ୍କରଣରେ ।

୧୯୪୭ ମସିହା ଶେଷ ଆଡ଼କୁ ସମସ୍ତେ ଅନୁରୋଧ କଲେ ଗାନ୍ଧୀଙ୍କୁ ରେଡ଼ିଓରେ କିଛି କହିବା ପାଇଁ । ଅନୁରୋଧ ଏଡ଼ାଇ ନ ପାରି ଗାନ୍ଧୀ ସେ ବର୍ଷ ଦିଆଲୀ (ନଭେମ୍ବର ୧୨) ତାରିଖରେ ଦିଲ୍ଲୀର ବ୍ରଡ଼କାଷ୍ଟିଂ ହାଉସକୁ ଯାଇଥିଲେ । ଗାନ୍ଧୀଙ୍କ ପାଇଁ ରେକର୍ଡିଙ୍ଗ ରୁମକୁ ଦିଆଯାଇଥିଲା ନୂଆ ରୂପ । ବିର୍ଲା ହାଉସର ପ୍ରାର୍ଥନା ସଭା ପରି ସୃଷ୍ଟି କରାଯାଇଥିଲା ସମସ୍ତ ପରିବେଶ । କିନ୍ତୁ ଗାନ୍ଧୀ ଟିକେ ଲାଜେଇଲେ । ଆଉ ଯେତେବେଳେ ପ୍ରଥମ ଶବ୍ଦ ତାଙ୍କ ମୁହଁରୁ ବାହାରିଲା, ତାହା ଥିଲା ବେଶ ସ୍ପଷ୍ଟ । ତୋଫା । ୨୦ ମିନିଟର ସେଇ କାର୍ଯ୍ୟକ୍ରମରେ ଗାନ୍ଧୀଙ୍କ ପ୍ରବାହ ଥିଲା ନିଆରା । କାର୍ଯ୍ୟକ୍ରମ ଶେଷରେ ପୂର୍ବରୁ ରେକର୍ଡିଙ୍ଗ ହୋଇଥିବା “ବନ୍ଦେ ମାତରମ୍’ ବାଜିଥିଲା ଆଉ ଗାନ୍ଧୀ କହିଥିଲେ- ଏଇ ରେଡ଼ିଓ ଭିତରେ ମୁଁ ଅସରନ୍ତି ଶକ୍ତି ଦେଖୁଛି । ମୁଁ ଦେଖୁଛି ଶକ୍ତିର ଅନ୍ୟ ଏକ ଉଦାହରଣ ।

ସାମ୍ବାଦିକତାର ଆରମ୍ଭ

ଗାନ୍ଧୀଙ୍କ ଆନ୍ଦୋଳନ ସମୟରେ ନା ଥିଲା ରେଡ଼ିଓ ନା ଆଜି ପରି ହଜାରେ ଟେଲିଭିଜନ୍ ଚ୍ୟାନେଲ୍ । କଳାଧଳା କାଳିରେ ଲେଖା ଖବରକାଗଜ ହିଁ ଥିଲା ବଞ୍ଚିଥିଲା ସେତିକିବେଳେ ।

ଗାନ୍ଧୀଙ୍କ ସାମ୍ବାଦିକତା ଜୀବନର ମୂଳଦୁଆ ପଡ଼ିଥିଲା ଦକ୍ଷିଣ ଆଫ୍ରିକାରେ । ଜୀବିକା ସନ୍ଧାନରେ ହଜାର ହଜାର ମାଇଲ୍ ସମୁଦ୍ର ପାରି ହୋଇ ଦକ୍ଷିଣ ଆଫ୍ରିକା ଯାଇଥିବା ଗାନ୍ଧୀ ସେଠାରେ ଭାରତୀୟଙ୍କ ସମସ୍ୟା ଓ ନିର୍ଯାତନାର ପରିଧି ଭିତରେ ହଜି ଯାଇଥିଲେ । ରାସ୍ତା ଖୋଜିଥିଲେ ପରିଧି ହଟେଇବାକୁ । ସେଇଠୁ ଆରମ୍ଭ ହୋଇଥିଲା ଲଢେଇ ।

ଲଢେଇର ରାସ୍ତାରେ ଗାନ୍ଧୀ ଜାଣିଥିଲେ ଜନଜୀବନକୁ ଓ ଲୋକମତକୁ ପ୍ରଭାବିତ କରିବା ପାଇଁ ଶ୍ରେଷ୍ଠ ଉପାୟ ହେଉଛି ଖବରକାଗଜ । ତେଣୁ ନିୟମିତ ଭାବେ “ସଂପାଦକଙ୍କୁ ପତ୍ର’, “ଖୋଲା ଚିଠି’ ଆଦି ଲେଖିବା ଆରମ୍ଭ କରିଥିଲେ ଗାନ୍ଧୀ । କିନ୍ତୁ ଅନିୟମିତ ଲେଖା ଓ ସେଠାକାର ଖବରକାଗଜଗୁଡ଼ିକରେ ଆତିଥ୍ୟ ଲେଖା ଯେ, ଆନେ୍ଦାଳନ ପାଇଁ ଅପର୍ଯ୍ୟାପ୍ତ ତାହା ସେ ବୁଝିଥିଲେ । ସେଇଠୁ ଆରମ୍ଭ ହୋଇଥିଲା ସାମ୍ବାଦିକ ଗାନ୍ଧୀ। ପ୍ରକାଶିତ ହୋଇଥିଲା ‘ଇଣ୍ଡିଆନ୍ ଓପିନିଅନ୍’, ଜୁନ୍୧୯୦୩ ମସିହାରେ । ୧୯୧୪ ପର୍ଯ୍ୟନ୍ତ ଏହି ପତ୍ରିକାର ପ୍ରତିଟି ସଂଖ୍ୟାରେ ଗାନ୍ଧୀ ଲେଖୁଥିଲେ । ବର୍ଣ୍ଣବୈଷମ୍ୟଠାରୁ ଆରମ୍ଭ କରି ପରିମଳ, ଆତ୍ମ ସଂଯମ ଆଦି ସମସ୍ତ ବିଷୟରେ ଗାନ୍ଧୀ ଲେଖିଥିଲେ । ଇଂରାଜୀ, ତାମିଲ୍ ଏବଂ ଗୁଜୁରାଟୀ ଭାଷାରେ ପ୍ରକାଶିତ ହେଉଥିଲା ‘ଇଣ୍ଡିଆନ୍ ଓପିନିଅନ୍’ ।

ଦେଶ ଏପାରିରେ ସାମ୍ବାଦିକତା

ଭାରତ ଫେରିବା ପରେ ଖବରକାଗଜର ଅସରନ୍ତି ଶକ୍ତିକୁ ଠିକଣା ଭାବେ ଗାନ୍ଧୀ ବ୍ୟବହାର କରିଥିଲେ । ସ୍ୱାଧୀନତା, ଛୁଆଁ ଅଛୁଆଁ, କୁସଂସ୍କାର ଆଦି ପ୍ରତିଟି ବିଷୟକୁ ଛୁଇଁଥିଲା ତାଙ୍କ ଲେଖା । “ୟଙ୍ଗ୍ ଇଣ୍ଡିଆ’ ଏବଂ “ହରିଜନ’ ଦୁଇଟି ପତ୍ରିକା ଗାନ୍ଧୀଙ୍କର ପ୍ରତିଟି କଥାକୁ ଲୋକଙ୍କ ପାଖରେ ପହଞ୍ଚାଉ ଥିଲା । ଗାନ୍ଧୀ ନିଜେ ଏ ଦୁଇଟି ପତ୍ରିକାର ସଂପାଦକ ଥିଲେ । ପରେ ଦାୟିତ୍ୱ ନେଇଥିଲେ “ନବଜୀବନ’ର । “ହରିଜନ’ ପତ୍ରିକା ପରେ ଗୁଜୁରାଟୀ ଏବଂ ହିନ୍ଦୀରେ “ହରିଜନ ବନ୍ଧୁ’ ଏବଂ ‘ହରିଜନ ସେବକ’ ଭାବେ ପ୍ରକାଶିତ ହେଲା ।

୧୯୨୫ ଜୁଲାଇ୨ର ‘ହରିଜନ’ ସଂଖ୍ୟାରେ ଗାନ୍ଧୀ ଲେଖିଥିଲେ- ଅବସର ସମୟ କଟାଇବାକୁ କିମ୍ବା ପେଟପାଟଣା ପୋଷିବାକୁ ମୁଁ ଖବରକାଗଜ ଆରମ୍ଭ କରିନି । ବରଂ ଜୀବନର ରାସ୍ତାରେ, ଯେଉଁ ଖିଅ ଧରି ମୁଁ ଆଗେଇଛି ତାକୁ ଆହୁରି ସ୍ପଷ୍ଟ, ଶାଶିତ କରିବାକୁ ଏଇ ଖବରକାଗଜ ଗୁଡ଼ିକର ଜନ୍ମ। ଖବରକାଗଜର ମୂଳ ଲକ୍ଷ୍ୟ ଲୋକଙ୍କ ଛାତି ଭିତରକୁ ପଢିବା ଏବଂ ପ୍ରତିଟି ବେଦନା ଓ ଯନ୍ତ୍ରଣାକୁ ସାମ୍ନାକୁ ଆଣିବା ।

ନିଜ ଆତ୍ମଜୀବନୀ ‘ମାଇଁ ଏକ୍ସପେରିମେଣ୍ଟ ଉଇଥ୍ ଟ୍ରୁଥ୍’ରେ ଗାନ୍ଧୀଜୀ ସାମ୍ବାଦିକତା ସଂପର୍କରେ ଖୁବ ସରଳ ଭାଷାରେ ଅନେକ ବିଷୟ କହିଛନ୍ତି । ଗାନ୍ଧୀ ଲେଖିଛନ୍ତି- ଖବରକାଗଜ ଏକ ବିରାଟ ଶକ୍ତି । କିନ୍ତୁ ସେଥିରେ ଲେଖିବା ବେଳେ ଆତ୍ମସଂଯମ ନିହାତି ଜରୁରୀ । ନ ହେଲେ ଯେମିତି ଅନିୟନ୍ତ୍ରିତ ପାଣି ମାଡ଼ି ଯାଇ ବନ୍ୟାର ବିଭୀଷିକା ସୃଷ୍ଟି କରେ, ସେମିତି ଅମାନିଆ କଲମ ସମାଜରେ ଅଶେଷ କ୍ଷତି ସାଧନ କରେ ।

ଶବ୍ଦର ଯାଦୁକର

ଗାନ୍ଧୀ ନିଜର ପ୍ରତିଟି ଶବ୍ଦ ଉପରେ ଗୁରୁତ୍ୱ ଦେଇ ଆସିଥିଲେ । ସେ ମଣିଷର ନାଡ଼ିକୁ ଚିହ୍ନି ଥିଲେ । ଜାଣିଥିଲେ- ଶବ୍ଦ ଯଦି ମଣିଷର ମସ୍ତିସ୍କ ବାହାର ଦେଇ ବୋହିଯାଏ, ତେବେ ସେମିତି ଶବ୍ଦ ଲେଖି, କହି କିଛି ବି ଲାଭ ନାଇଁ । ଯାହା ମଣିଷ ଛାତି ଭିତର ଦେଇ ଦପ୍ କରି ଭିତରକୁ ପଶିଯାଏ, ସେଇମିତି ଶବ୍ଦ ଗାନ୍ଧୀ ବ୍ୟବହାର କରୁଥିଲେ । ତେଣୁ ଯେଉଁ ଛୁଆଟି ସ୍କୁଲ ବେଳରେ ପାଟି ଖୋଲିବାକୁ ବି ଲାଜ କରୁଥିଲା, ସେଇ ମଣିଷଟି ପରବର୍ତ୍ତୀ ପର୍ଯ୍ୟାୟରେ ଯାହା କହିଲା, ଯାହା ଲେଖିଲା- ତାହା ସମୁଦାୟ ପୃଥିବୀକୁ ଦୋହଲାଇ ଦେଲା ।

୧୯୪୨ ମସିହାରେ ଗାନ୍ଧୀ ଆରମ୍ଭ କରିଥିଲେ ଭାରତ ଛାଡ଼ ଆନେ୍ଦାଳନ । ଇଂରାଜୀରେ କହିଲେ- କୁଇଟ୍ ଇଣ୍ଡିଆ ମୁଭମେଣ୍ଟ । ଏଇଠି ଶବ୍ଦର ବ୍ୟବହାର ଲକ୍ଷ୍ୟ କରିବାର କଥା । ଗାନ୍ଧୀ ଏ ଆନେ୍ଦାଳନର ନାଁ ଦେଲେ କୁଇଟ୍ ଇଣ୍ଡିଆ । ଅର୍ଥାତ୍ ଇଂରେଜମାନେ ଭାରତ ଛାଡ଼ । ଅର୍ଥାତ୍ ଏ ଦେଶ ଆମର । ଆମେ ଏଠିକାର ସବୁକିଛି । ତମେ ଇଂରେଜ ଏଇଠୁ ବାହାରି ଯାଅ । କୁଇଟ୍ । ଯାହା ଭାରତୀୟଙ୍କ ଭିତରେ ଆତ୍ମପ୍ରତ୍ୟୟକୁ ବହୁଗୁଣିତ କରିଥିଲା । ଏକା ଅର୍ଥରେ ଗାନ୍ଧୀ କହି ପାରି ଥାଆନ୍ତେ- ଲିଭ୍ ଇଣ୍ଡିଆ । ଯାହାର ଅର୍ଥ ବି ସମାନ । କିନ୍ତୁ କୁଇଟ୍ ଇଣ୍ଡିଆ ଶବ୍ଦରେ ଏକ ଆଦେଶ ରହୁଛି, ଏକ ଆତ୍ମ ବିଶ୍ୱାସ ରହୁଛି, ଯାହା ଲିଭ୍ ଇଣ୍ଡିଆରେ ରହୁନାହିଁ ।

ସେମିତି ଗାନ୍ଧୀ କହିଥିଲେ- ଡୁ ଅର୍ ଡାଇ । କର ବା ମର । ଗାନ୍ଧୀ ଚାହିଁଥିଲେ କହି ପାରିଥାଆନ୍ତେ- ପରଫର୍ମ ଅର୍ ପେରିଶ୍ । ଯାହାର ଅର୍ଥ ସମାନ । କିନ୍ତୁ ଡୁ ଅର୍ ଡାଇ ପରି ଦେଶ ପାଇଁ ଜୀବନ ଦେବାର ଅଦମ୍ୟ ଉତ୍ସାହ ସେଥିରେ ରହୁନାହିଁ । ଗାନ୍ଧୀ ସେଇ ଅନୁସାରେ ଶବ୍ଦ ଚିହ୍ନୁଥିଲେ । ବାଛୁଥିଲେ ଓ ବ୍ୟବହାର କରୁଥିଲେ ।

ଶେଷ କେଇ ଧାଡ଼ି

ପ୍ରାର୍ଥନା ସଭା । ୧୯୪୬ ଜୁନ୍ ୧୯ ତାରିଖ । ଦେଶ ସ୍ୱାଧୀନ ହେବାକୁ ଆଉ ଅଳ୍ପ କେଇ ମାସ ବାକି ଥାଏ । ଗାନ୍ଧୀ ସେ ଦିନ କହିଥିଲେ – ମତେ ଯଦି କିଏ ଦିନକ ପାଇଁ ଅଧୀଶ୍ୱର କରି ଦିଅନ୍ତି, ମୁଁ ହୁଏତ ଏଠାକାର ସବୁ ଖବରକାଗଜକୁ ବନ୍ଦ କରି ପକାନ୍ତି । ପରେ ମୁହୂର୍ତ୍ତେ ବିଶ୍ରାମ ନେଇ ଗାନ୍ଧୀ ଯୋଡ଼ିଥିଲେ- କେବଳ ହରିଜନ ପତ୍ରିକାକୁ ବାଦ୍ ଦେଇ ହୁଏତ । କାରଣ- ବିଜ୍ଞାପନ, ଆଡଭୋଟୋରିଆଲ୍ (ବିଜ୍ଞାପନ ସଂପର୍କିତ ସଂପାଦକୀୟ), ରେସପନସ ଫିଚର୍ (ବିଜ୍ଞାପନ ଉପରେ ଆଧାରିତ ନିବନ୍ଧ) ଭିତରେ ସାମ୍ବାଦିକତା ହୁଏତ ହଜି ସାରିଛି ।