କାହାଣୀ

କାହାଣୀ

ସୂର୍ଯ୍ୟସ୍ନାତ ତ୍ରିପାଠୀ

ଶେଷରେ, କାହାଣୀଟିଏ ହେବା ହିଁ ଥୟ !

ଏ ବସନ୍ତର ପୀଡା, ଏ କୋହର ବିନ୍ୟାସ, ଏ ଦିନ-ରାତି, ଏ ଋତୁ-ରଙ୍ଗ
ଏ ସବୁ ଦିନେ ପାଲଟିବେ କରୁଣ କାହାଣୀ, ନିରର୍ଥକ କବିତାରେ
ସମାଧିସ୍ଥ ହେବେ

ନଈବଢି ପରେ, କେହି ଜଣେ ଲେଖିଦେବ ପଟୁର ମସୃଣ ଦେହେ
ସବୁଜ କବିତା… ପୋଡା ସଳିତାରେ, ସେଇ ପୁଣି ଆଙ୍କିଦେବ
ଦୀପ ତଳେ ଅସହାୟ ଅନ୍ଧାରର ଚିତା !

କିଏ ସେ ନିଷ୍ଠୁର, କାହିଁକି ସେ ଲେଖେ, କବିତାରେ, କାହାଣୀରେ,
ଅନ୍ଧ ମୂକ ବଧୀରଙ୍କ କଥା ?
ଲୁହରୁ ଲହୁରୁ ଛାଣି ଅଲଣା ଶବଦ, କାହା ଲାଗି ଛାଡିଯାଏ ଗପ,
ଇତିହାସ ବହି ଖୋଲି କିଏ ପଢେ ମଣିଷର ବ୍ୟଥା ?

ତଥାପି ତ, ଶେଷର ଶେଷରେ, କାହାଣୀଟିଏ ହେବା ହିଁ ଥୟ !

ଜାଣ, ନିଜ ନିଜ କାହାଣୀର ମୁଖବନ୍ଧ କେହି ବି ଲେଖେନି,
କେହି ଯାଇ ପଚାରେନି କୋଉ ନାୟକକୁ, କୁହ ତୁମ କାହାଣୀରେ
ନୀଳଆଖି ନାୟିକାର ନାଁ !
କେହି ଯାଇ ଖୋଜେନାହିଁ ମଝି ସମୁଦ୍ରରେ, ଜୁଆର ଛାଡିଲା ପରେ
ଜିଦଖୋର ପ୍ରେମିକର ଗାଁ !

ଆଛା କୁହ ତ,
ତୁମେ ମୋ କାହାଣୀର ଆରମ୍ଭରେ ଥିବ,
ନାଁ ମୁଁ ତୁମ କାହାଣୀର ଶେଷପୃଷ୍ଠା ହେବି ?

LEAVE A REPLY

Please enter your comment!
Please enter your name here