ଗାନ୍ଧୀ ଓ ସର୍ବୋଦୟର ବିଚାର

ଗାନ୍ଧୀ ଓ ସର୍ବୋଦୟର ବିଚାର

କେଦାର ମିଶ୍ର

ଆମେ ଯେଉଁ ସମୟରେ ବଞ୍ଚୁଛୁ, ସେ ସମୟ ହୁଏତ ଆସନ୍ତାକାଲି ନଥିବ। ଆସନ୍ତାକାଲି ଏକ ନୂଆ ସମୟର ପାହାଚ। ସେ ପାହାଚକୁ ଆମେ ସ୍ଵାଗତ କରୁଛୁ। ପୃଥିବୀର ମଣିଷ, ଭାରତର ନାଗରିକ ଓ ଓଡିଶାର ବାସିନ୍ଦା ଭାବରେ ଆମେ ଆମ ସମୟକୁ ଓ ଆମର ସମାଜକୁ କେମିତି ଦେଖୁଛୁ, ତାରି ଉପରେ ଆମର ଭବିଷ୍ୟତ ତିଆରି ହେବ। ତେବେ ନୂଆ ସ୍ଵପ୍ନର କଥା କହିଲା ବେଳେ ଆମେ ଯେ ଗୋଟେ ଭୟଙ୍କର ସମୟରେ ବଞ୍ଚୁଛୁ ଓ ଏ ସମୟର ସଙ୍କଟକୁ ଭେଦ କରି ଆଗକୁ ଯିବା କିଛି କମ ଆହ୍ଵାନ ନୁହେଁ। ଗୋଟେ ନୂଆ ସମୟର କଥା କହିବାବେଳେ ଇତିହାସର ଗୋଟେ କଥା ଆମକୁ ଆଜି ଅଧିକ ପ୍ରାସଙ୍ଗିକ ମନେହେଉଛି। ଆଜିର ରାଜନୀତିରେ ଯେତେପ୍ରକାର ବିଭେଦ, ବିଭାଜନ, ହିଂସା, ଅସହିଷ୍ଣୁତା ଓ ବିଷକଥା ଭରି ରହିଛି, ସେତେବେଳେ ଇତିହାସର ଛୋଟିଆ ଉଦାହରଣଟିଏ ହୁଏତ ଆମଲାଗି ନୂଆ ବାର୍ତ୍ତା ଦେଇପାରେ ।

୧୯୦୪ ମସିହାରେ ମୋହନଦାସ କରମଚାନ୍ଦ ଗାନ୍ଧୀ, ଗୋଟେ ଲମ୍ବା ଟ୍ରେନ ଯାତ୍ରାରେ ବାହାରିଥାନ୍ତି। ବାଟରେ ପଢିବାଲାଗି ତାଙ୍କୁ ଗୋଟେ ବହି ମିଳିଥିଲା। ବହିଟି ଥିଲା ବ୍ରିଟିଶ ଦାର୍ଶନିକ ଜନ ରସ୍କିନଙ୍କର “ଅନ ଟୁ ଦିସ ଲାଷ୍ଟ” ଓ ବହିଟି ଗାନ୍ଧୀଙ୍କ ପାଖକୁ ଆସିଥିଲା ଦକ୍ଷିଣ ଆଫ୍ରିକାର ସାମ୍ବାଦିକ ହେନେରୀ ପୋଲକଙ୍କ ସୌଜନ୍ୟରୁ। ବାଟ ସାରା ବହିଟି ପଢିଲାପରେ ଗାନ୍ଧୀଙ୍କ ନିଦ ହଜିଯାଇଥିଲା। ସତେକି ସେ ନିଜ ରାଜନୈତିକ ଲକ୍ଷ୍ୟ ବିନ୍ଦୁକୁ ସେ ବହିରେ ପାଇ ଯାଇଥିଲେ। ଗାନ୍ଧୀ ପରବର୍ତ୍ତୀ ସମୟରେ ଏ ବହିର ମର୍ମାନୁବାଦ ପ୍ରସ୍ତୁତ କଲେ ଓ ବହିର ନାଁ ରଖିଲେ “ସର୍ବୋଦୟ”। ଜୀବନ ଓ ସଭ୍ୟତାର ବିକାଶର ଲାଭ ପ୍ରତ୍ୟେକ ମଣିଷ ପାଖରେ ପହଞ୍ଚୁ ଓ ପ୍ରତ୍ୟେକ ଶ୍ରମଜୀବୀ ମଣିଷ ସମାନ ସାମାଜିକ ସମ୍ମାନ ପାଉ ବୋଲି ରଷ୍କିନ ଚାହୁଁଥିଲେ। ଗାନ୍ଧୀ ଏହି ଦର୍ଶନର ମୂଳ ସକ୍ରେଟିସଙ୍କ ପାଖରେ ଦେଖିଥିଲେ ଓ ସେଥିରେ ଉପନିଷଦ ବିଚାରର “ସର୍ବଜନ ହିତାୟ, ସର୍ବ ଜନ ସୁଖାୟ” କୁ ସାମିଲ କରିଥିଲେ। ଗୁଜୁରାଟୀରେ ଗାନ୍ଧୀ ଏହାର ନାଁ ରଖିଥିଲେ “ସର୍ବୋଦୟ”।

ସବୁ ମଣିଷକୁ ସମାନ ଭାବରେ ସଭ୍ୟତାର ଲାଭ ଦେବା ପାଇଁ ଉଦ୍ଦିଷ୍ଟ ବିଚାର ହେଉଛି ସର୍ବୋଦୟ। ସେତେବେଳେ ପୁଞ୍ଜିବାଦର ଲାଭଖୋର ମନୋବୃତ୍ତି ବିରୋଧରେ ଏହା ଥିଲା ଏକ ସଶକ୍ତ ପ୍ରତିବାଦ। ତେବେ ଆଜିର ବଜାରତନ୍ତ୍ର ଆଗରେ ସର୍ବୋଦୟର ଗୁରୁତ୍ଵ ଅଛି କି?

• ଆମ ସମୟର ରାଜନୀତିରେ ବୈଷମ୍ୟ ବିରୋଧରେ ଠିଆ ହେବାର ସାହସ କେତେଜଣ ରାଜନେତାଙ୍କର ରହିଛି?
• ଆମ ରାଜନୀତି ବିକାଶକୁ ସମସ୍ତଙ୍କର ପ୍ରାପ୍ୟ ବୋଲି ଭାବୁଛି କି?
• ଆମ ରାଜନୀତି କ୍ଷମତା ଦଖଲ ଲାଗି ମଣିଷ ସମାଜ ଭିତରେ ଧର୍ମ, ଜାତି ଓ ଗୋଷ୍ଠୀ ଭିତ୍ତିରେ ବିଭାଜିତ କରୁନାହିଁ କି?
• ଆମ ରାଜନୀତିରେ ମିଛ ପ୍ରଚାର କୌଶଳ ଏକ ସର୍ବଗ୍ରାସୀ ଭିଡତନ୍ତ୍ରକୁ ଜନ୍ମ ଦେଇନାହିଁ କି?

ଗାନ୍ଧୀଙ୍କ “ହିନ୍ଦ ସ୍ଵରାଜ”କୁ ନେଇ ଯେତେ ଚର୍ଚ୍ଚା ହୋଇଥାଏ, “ସର୍ବୋଦୟ” କୁ ନେଇ ଆମେ ସେତିକି ଉଦାସୀନ। ଗୋଟେ ସମୟରେ ଗାନ୍ଧୀଙ୍କର ଶିଷ୍ୟ ବିନୋବା ଭାବେ ସର୍ବୋଦୟକୁ ନିଜର ରଚନାତ୍ମକ ଆଂଦୋଳନର ଆଧାର ଭାବେ ଗ୍ରହଣ କରିଥିଲେ। ତେବେ ଗାନ୍ଧୀଙ୍କ ସର୍ବୋଦୟରେ ରାଜନୀତିକୁ ଏକ ଆଧ୍ୟାତ୍ମିକ ଅଭ୍ୟାସ ଭାବରେ ଗ୍ରହଣ କରିବାର ସୂତ୍ର ରହିଥିଲା। କ୍ଷମତା ରାଜନୀତିରେ ସର୍ବୋଦୟ ଭଳି ଏକ ବିଚାର ଅନେକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେବା ସ୍ଵାଭାବିକ। ଆଚାର୍ୟ ବିନୋବା ସର୍ବୋଦୟକୁ ଅଣରାଜନୈତିକ କରିବାର ପ୍ରୟାସରେ ଗାନ୍ଧୀଙ୍କ ମୌଳିକ ଲକ୍ଷ୍ୟକୁ ଆହତ କରିଛନ୍ତି ବୋଲି ମୋର ବିଶ୍ଵାସ। ମୋ ମତରେ ଗାନ୍ଧୀଙ୍କ ସର୍ବୋଦୟର ବିଚାର ଯେ କୌଣସି ସମୟର ରାଜନୀତି ପାଇଁ ପ୍ରାଥମିକ ପାଠ୍ୟକ୍ରମ ହେବା ଉଚିତ।

ଆମ ସମୟର ଅନେକ ଜଟିଳ ସାମାଜିକ ପ୍ରଶ୍ନର ଉତ୍ତର ଗାନ୍ଧୀଙ୍କ ସର୍ବୋଦୟରେ ରହିଛି। ତେବେ ଗାନ୍ଧୀଙ୍କୁ ପଢିବ କିଏ? ଆଜିର ତାରିଖରେ ଗାନ୍ଧୀ କେବଳ ଏକ ଛବି ଓ ଗାନ୍ଧୀଙ୍କ ଚଷମା କେବଳ ବିଜ୍ଞାପନର ଏକ ପ୍ରତୀକ। ଗାଈ ଓ ମଣିଷର ତୁଳନା କରି ଆମେ ଆଜି ମଣିଷମରାକୁ ନ୍ୟାୟ ସଙ୍ଗତ ବୋଲି ଆମେ କହୁଛୁ। ଆମର ଭିଡ ଏଠି ଶକ୍ତିଶାଳୀ ହୋଇ ଚାଲିଛି। ବୈଚାରିକ ସହିଷ୍ଣୁତା ରାଜନୀତିରେ ମରିସାରିଛି। ସେତେବେଳେ ଆଉଥରେ ଆମେ ସର୍ବୋଦୟର କଥା ଭାବି ପାରିବା କି? ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ବେଳେ ସର୍ବୋଦୟର ବିଚାର ଆମ ରାଜନୈତିକ ଓ ସାମାଜିକ ଜୀବନରେ କିଛିଟା ତରଙ୍ଗ ଖେଳାଇ ପାରିବ କି?