Latest Odisha News

BREAKING NEWS

ଆସନ୍ତୁ ଜାଣିବା ଉତ୍ତରପ୍ରଦେଶର ୫ ଚର୍ଚ୍ଚିତ ମାଫିଆଙ୍କ ବିଷୟରେ

କାନପୁର: ଉତ୍ତରପ୍ରଦେଶ ମାଫିଆଙ୍କୁ ନେଇ ବେଶ୍ ବଦନାମ ରହିଛି । ବିକାଶ ଦୁବେ ଏହି ଧାରାରେ ଉତ୍ତରପ୍ରଦେଶକୁ ଆହୁରି କଳଙ୍କିତ କରିଛନ୍ତି । ଆସନ୍ତୁ ଜାଣିବା ଏଠାକାର ୫ ମାଫିଆଙ୍କ ବିଷୟରେ..
ବଦନ ସିଂ ବଦୋ: ମୀରଟର ବଦନ ସିଂ ବଦୋ ଏବେ ମଧ୍ୟ ପୋଲିସ ହାତରେ ଧରାପଡି ନାହିଁ । ୧୫ ମାସ ହେବ ଏହି ଅପରାଧୀର ଖୋଜ ଖବର ପୋଲିସ ପାଉ ନାହିଁ । ୨୮ ମାର୍ଚ୍ଚ ୨୦୧୯ରେ ଗାଜିଆବାଦ କୋର୍ଟକୁ ଅଣାଯିବା ସମୟରେ ସେ ପୋଲିସକୁ ହାତ କରି ଖସିଯିବାର ଯୋଜନା ପ୍ରସ୍ତୁତ କରିଥିଲା । ମୁକୁଟ ମହଲ ହୋଟେଲରେ ପୋଲିସଙ୍କୁ ମାତଲ କରାଇ ଦାମିକିଆ କାରରେ ଖସି ଯାଇଥିଲା ଏହି ଅପରାଧୀ । ପୂର୍ବରୁ ୨୦୧୭ରେ କୋର୍ଟ ତାଙ୍କୁ ଆଜୀବନ କାରାବାସ ଦଣ୍ଡରେ ଦଣ୍ଡିତ କରିଥିଲା । କିଛି ମାସ ଜେଲରେ ରହିବା ପରେ ସେ ଖସି ଯାଇଥିଲା । ହତ୍ୟାଠାରୁ ଆରମ୍ଭ କରି ୪୦ ଅନ୍ୟ ମାମଲା ବଦନ ସିଂ ନାମରେ ରହିଛି । ପଞ୍ଜାବରୁ ମୀରଟ ଆସିଥିବା ଏହି ଅପରାଧୀ ପିଲାବେଳ ଚୋରା ମଦ କାରୋବାର କରୁଥିଲା । ପରେ ଗ୍ୟାଙ୍ଗଷ୍ଟର ରବୀନ୍ଦ୍ର ଭୂରା ଦଳରେ ସାମିଲ ହୋଇଥିଲେ । ୧୯୯୬ରେ ଓକିଲ ରବୀନ୍ଦ୍ର ସିଂଙ୍କୁ ହତ୍ୟା କରି ସେ ବେଶ୍ ଚର୍ଚ୍ଚିତ ହୋଇଥିଲେ ।
ଅତୀକ ଅହମ୍ମଦ: ପୂର୍ବ ସାଂସଦ ଅତୀକ ଅହମ୍ମଦ ୩ ବର୍ଷ ହେବ ଜେଲରେ ଦଣ୍ଡ ଭୋଗୁଛି । ତାଙ୍କ ବିରୋଧରେ ୮୩ରୁ ଅଧିକ ମାମଲା ରହିଛି । ଭାଇ ଅଶୋକଙ୍କ ସହ ମିଶି ସେ ଅନେକ ଅପରାଧୀକ ମାମଲାରେ ଜଡିତ ଥିଲେ । ଲକ୍ଷ୍ନୌ, କୌଶମ୍ବୀ, ଚିତ୍ରକୂଟ, ଆହ୍ଲାବାଦ ସମେତ ବିହାରରେ ହତ୍ୟା, ଲୁଟପାଟରେ ଜଡିତ ଥିଲେ । ୧୯୮୯ରେ ସେ ଆହ୍ଲାବାଦ (ପଶ୍ଚିମ)ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ୫ ଥର ବିଧାୟକ ଓ ଥରେ ୟୁପିର ସାଂସଦ ରହିଛନ୍ତି । ପ୍ରଥମେ ସମାଜବାଦୀ ପାର୍ଟି ଓ ପରେ ଅପନା ଦଳରେ ଯୋଗ ଦେଇଥିଲେ । ୧୯୮୯ରେ ଚାନ୍ଦ ବାବା, ୨୦୦୨ରେ ନସନ ଓ ୨୦୦୪ରେ ମୂରଲୀ ମନୋହର ଯୋଶୀଙ୍କ ନିକଟତର ବିଜେପି ନେତା ଅଶରଫଙ୍କୁ ହତ୍ୟା କରିଥିଲେ । ୨୦୧୨ରେ ଜେଲରେ ଥିବା ବେଳେ ନିର୍ବାଚନ ଲଢ଼ିବା ନେଇ ବେଲ୍ ଆବେଦନ କରିଥିଲେ । ହାଇକୋର୍ଟର ୧୦ ବିଚାରପତି କେସରୁ ଓହରି ଯାଇଥିଲେ । ୧୧ତମ ବିଚାରପତି ତାଙ୍କୁ ଜାମିନ ଦେଇଥିଲେ । ତେବେ ସେ ନିର୍ବାଚନ ହାରି ଯାଇଥିଲେ ।

ମୁଖତାର ଅନସାରୀ: ମୁଖତାର ଅନସାରୀ ୫ଥର ବିଧାୟକ ରହିଥିବା ବେଳେ ୧୫ ବର୍ଷ ଜେଲରେ କାଟିଛନ୍ତି । ତାଙ୍କ ବିରୋଧରେ ୪୦ରୁ ଊର୍ଦ୍ଧ୍ୱ ଅପରାଧ ମାମଲା ରୁଜୁ ହୋଇଛି । ତାଙ୍କ ଜେଜେବାପା କଂଗ୍ରେସ ଏବଂ ବାପା କମ୍ୟୁନିଷ୍ଟ ନେତା ଥିଲେ । ୨୦୦୫ରେ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କୁ ହତ୍ୟା କରିଥିଲେ । ଗ୍ୟାଙ୍ଗଷ୍ଟର ବୃଜେଶ ସିଂ ମୁଖତାରଙ୍କୁ ହତ୍ୟା କରିବା ପାଇଁ ଲମ୍ବୁ ସିଂଙ୍କୁ ୬ କୋଟି ଦେଇଥିଲେ । ୨୦୦୫ ମଉରେ ଘଟିଥିବା ହିଂସାକାଣ୍ଡ ପରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।

ବ୍ରଜେଶ ସିଂ ସିଂ: ବ୍ରଜେଶ ସିଂ ସିଂ ପୂର୍ବାଂଚଳର ହିଷ୍ଟ୍ରିଶିଟର ମାଫିଆ ଏବେ ବାରାଣାସୀର ସ୍ୱାଧୀନ ଏମଏଲସି ଅଛନ୍ତି । ବାପାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ସେ ୬ ଲୋକଙ୍କୁ ମାରି ଚର୍ଚ୍ଚାକୁ ଆସିଥିଲା । ତାଙ୍କ ବିରୋଧରେ ଏବେ ୩୦ରୁ ଅଧିକ କେସ୍ ରହିଛି । ବ୍ରଜେଶ ସିଂ ଓ ମୁଖତାର ଅଂସାରୀଙ୍କ ମଧ୍ୟରେ ଲଢ଼େଇ ସେ ସମୟରେ ଅଶାନ୍ତିକର ପରିବେଶ ସୃଷ୍ଟି କରିଥିଲା । ୨୦୦୩ରେ କୋଇଲା ମାଫିଆ ସୂର୍ଯ୍ୟଦେବ ସିଂଙ୍କ ପୁତ୍ର ଅପହରଣ ଓ ହତ୍ୟାକାଣ୍ଡର ମାମଲାର ସେ ମାଷ୍ଟରମାଇଣ୍ଡ ଥିଲେ ।
ଧନଞ୍ଜୟ ସିଂ: ପୂର୍ବାଂଚଳର ବାହୁବଳୀ ଭାବେ ପରିଚିତ ଧନଞ୍ଜୟ ସିଂଙ୍କ ନାମରେ ୪୦ ମାମଲା ରହିଛି । ୨ ଥର ବିଧାନସଭା ଓ ଗୋଟିଏ ଥର ଲୋକସଭା ଆସନ ଜିତିଥିବା ଏହି ଅପରାଧୀଙ୍କ ୩ଟି ସ୍ତ୍ରୀ । ପ୍ରଥମେ ସ୍ୱାଧୀନ, ପରେ ଜନତା ଦଳ ୟୁନାଇଟେଡ ଏବଂ ଶେଷରେ ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.