Latest Odisha News

BREAKING NEWS

କରୋନାକୁ ଜଗିବ ଲେନ୍‌ସ: ଜିଲ୍ଲା ପ୍ରବେଶପଥରେ ଲାଗିଲା ସିସିଟିଭି !

ବ୍ରହ୍ମପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାର ପ୍ରବେଶପଥରେ ଯାନବାହନ ଓ ପଥଚାରୀଙ୍କୁ ତୀକ୍ଷଣ ନଜରରେ ରଖିବା ଲାଗି ସିସିଟିଭି ଖଞ୍ଜିବାକୁ ନିଷ୍ପତ୍ତି ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ।

ଏସମ୍ପର୍କରେ ଜିଲ୍ଲାପାଳ ବିଜୟ ଅମୃତା କାଲାଙ୍ଗେ କହିଛନ୍ତି ଯେ, ଏହାଦ୍ୱାରା ଜିଲ୍ଲା ପ୍ରବେଶପଥରେ ଯାନବାହନ ଗୁଡ଼ିକୁ ଠିକ୍ ଭାବେ ଯାଞ୍ଚ କରିହେବ । ଯଦି କୌଣସି ମାଲବାହୀ ଗାଡ଼ି ଯାତ୍ରୀ ବୋହୁଥିବାର ଲକ୍ଷ୍ୟ କରାଯାଏ ତେବେ ଗାଡ଼ିକୁ ଜବତ କରାଯିବା ସହିତ ଗାଡ଼ି ଡ୍ରାଇଭରଙ୍କୁ ତୁରନ୍ତ ଗିରଫ କରାଯିବ ।

ଏପରିକି ସମସ୍ତ ସରକାରୀ କର୍ମଚାରୀମାନେ ଯେପରି ହେଡ଼କ୍ୱାର୍ଟର୍ ଛାଡ଼ି ବାହାରକୁ ନଯିବେ ସେନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ଅମାନ୍ୟ କଲେ ଆଇନ ଅନୁଯାୟୀ ସେମାନଙ୍କୁ ଗିରଫ କରାଯିବ ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।

ଜିଲ୍ଲାରେ କୌଣସି ବ୍ୟକ୍ତି ଯେପରି ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ମାସ୍କ ବିକ୍ରି କରିବେ ନାହିଁ ସେଥିଲାଗି ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି । କୌଣସି ଦୋକାନୀ କିମ୍ବା ଗରାଖ ବିନା ମାସ୍କରେ ଯଦି ଜିନିଷ କିଣା ବିକା କରୁଥାଆନ୍ତି ତେବେ ଧରାପଡ଼ିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଇତିମଧ୍ୟରେ ସରକାରୀ ନିର୍ଦ୍ଦେଶାନାମା ଅନୁଯାୟୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିନା ମାସ୍କରେ ଚଳପ୍ରଚଳ କରୁଥିବା ବ୍ୟକ୍ତିମାନଙ୍କ ଠାରୁ ୧.୧୭ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିବାର ଖବର ମିଳିଛି ।

Leave A Reply

Your email address will not be published.