ଗଞ୍ଜାମ : ପ୍ରକାଶ ପାଇଲା ଗଂଜାମ ଜିଲ୍ଲା ଜିଆରଏସ ଯୋଗ୍ୟତା ତାଲିକା । ମୋଟ ୧୩୭୬ ଜଣ ଆବେଦନକାରୀଙ୍କ ମଧ୍ୟରୁ ୨୪ ଜଣ ପାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ୧୩୫୨ ଜଣ ପାର୍ଥୀ ଅଯୋଗ୍ୟ ବିବେଚିତ ହୋଇଛନ୍ତି । ଗତ ମାର୍ଚ୍ଚ ମାସରେ ହୋଇଥିବା ଚୟନ ପ୍ରକ୍ରିୟାକୁ ଆଧାର କରି ଏହି ତାଲିକା ପ୍ରକାଶ ପାଇଛି । ୧୩୫୨ ପ୍ରାର୍ଥୀ ବିଶେଷକରି ବୈଷୟିକ ପ୍ରମାଣପତ୍ର ତ୍ରୁଟି ଯୋଗୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଓ୍ବେବସାଇଟରେ ଏହି ତାଲିକା ପାଇପାରିବେ ଉଭୟ ଯୋଗ୍ୟ ଓ ଅଯୋଗ୍ୟ ପ୍ରାର୍ଥୀ ।
ତାଲିକାରେ ଅଯୋଗ୍ୟ ଘୋଷିତ ହେବାର କାରଣ ମଧ୍ୟ ଦର୍ଶାଯାଇଛି । ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ଏଭଳି ନିଷ୍ପତିକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି । କାରଣ ଏହାଦ୍ବାରା ରାଜ୍ୟର ଯୁବକ ଯୁବତୀମାନେ ସଚେତନ ହେବା ସହ ସରକାରୀ ସ୍ବୀକୃତିପ୍ରାପ୍ତ କେନ୍ଦ୍ରରେ ତାଲିମ ନେଇ ଗୁଣାତ୍ମକ କମ୍ପୁଟର ତାଲିମ ପାଇବା ସହ ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟର ପ୍ରମାଣପତ୍ର ପାଇପାରିବେ । ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୦ ହଜାରରୁ ଅଧିକ ବେଆଇନ ତାଲିମ କେନ୍ଦ୍ର ତାଲିମ ପ୍ରଦାନ କରୁଛନ୍ତି । ଏମାନେ ନିଜକୁ ସରକାରୀ ସ୍ବୀକୃତିପ୍ରାପ୍ତ ପ୍ରତିଷ୍ଠାନ ଦର୍ଶାଇ ଯୁବକ ଯୁବତୀଙ୍କୁ ଶୋଷଣ କରୁଛନ୍ତି ।
ଏଭଳି ବେଆଇନ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏହି ସବୁ କେନ୍ଦ୍ର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟର ସମସ୍ତ ଅତିରିକ୍ତ ଜିଲ୍ଲା ମାଜିଷ୍ଟେଟ ତଥା ଜିଲ୍ଲା ପଞ୍ଜିକରଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାରୀ ନିଯୁକ୍ତି କ୍ଷେତ୍ରରେ କମ୍ପୁଟର ଶିକ୍ଷାର ଆବଶ୍ୟକତା ଥିଲେ କେବଳ ସରକାରୀ ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟ କିମ୍ବା ସରକାରୀ ସ୍ବୀକୃତିପ୍ରାପ୍ତ ଓ ଅନୁମୋଦିତ ସଂସ୍ଥା ଦ୍ବାରା ପ୍ରଦାନ କରାଯାଇଥିବା ପ୍ରମାଣପତ୍ରକୁ ଗ୍ରହଣ କରାଯିବ ।
Comments are closed.