Latest Odisha News

ରାତାରାତି ଲମ୍ବା ଦାଢ଼ି

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)

ଆମ୍ବପାଟଣା ଗାଁ ବିଷୟରେ ଯିଏ ଯେତେବେଳେ ବି ଭାବେ ବଡ଼ ଆଶ୍ଚର୍ଯ୍ୟ ହୁଏ । ଆଗରୁ ପାହାଡ଼ କଡ଼େ ଗୋଟିଏ ଛୋଟିଆ ବସ୍ତି ଭଳି ଥିଲା, ଆଉ ଏବେ ପାହାଡ଼ଠୁ ଦୂରକୁ ଆସି ନଦୀ କୂଳରେ ଟିକିଏ ଫର୍ଚା ଜାଗାରେ ଗାଁଟା ତିଆରି ହେଇଛି । ହେଲେ ଏ ଗାଁର ଲୋକଙ୍କ କଥା ଟିକିଏ ନିଆରା । ସାଧାରଣତଃ ଲୋକମାନେ ଜମିବାଡ଼ିରେ କାମ କରିବା ବା ଅନ୍ୟ କୌଣସି କର୍ମସଂସ୍ଥାନ କରି ଘର ପରିବାର ଚଳାଇବା କଥା ଚିନ୍ତା କରୁଥିବା ବେଳେ, ଆମ୍ବପାଟଣାର ଲୋକେ କିନ୍ତୁ ସବୁବେଳେ ଅଲଗା ମସୁଧାରେ ଥାଆନ୍ତି । ଯାହା ଯେମିତି କାମ ଦାମ କରିଲା ପରେ ସନ୍ଧ୍ୟାରୁ ହିଁ ଆରମ୍ଭ ହୋଇଯାଏ ତାସ୍ ଖେଳ । ତେବେ ସମୟ ଅତିବାହିତ କରିବା ପାଇଁ ବା ମନୋରଞ୍ଜନ ପାଇଁ ଏ ଖେଳ ହୁଏନି, ବରଂ ସିଧା ସିଧା କହିଲେ ଆରମ୍ଭ ହୁଏ ଜୁଆଖେଳ । ଯିଏ ଯାହା ରୋଜଗାର କରିଛି, ତାକୁ କେମିତି ଆଉ ଜଣେ ହାତେଇ ନେବ, ତାର ସରଳ ମାଧ୍ୟମ ପାଲଟିଛି ଏହି ଜୁଆଖେଳ ।

କଥା ଆଜିକାର ନୁହେଁ । ବା ଆଜିକାଲିକା ପିଲା କି ପ୍ରୌଢ଼ମାନେ ଖେଳୁଛନ୍ତି ତା ବି ନୁହେଁ । ଏହି ଧାରା ଏ ଗାଁରେ ପିଢ଼ି ପରେ ପିଢ଼ି ଚାଲିଛି । ଜେଜେବାପା, ବାପା ଓ ନାତି ସମସ୍ତେ ଏକାସାଙ୍ଗରେ ବି ବସି ଖେଳିବାର ନଜିର ରହିଛି । କଥାଟା ଏତିକିରେ ଅଟକି ଯାଇଥିଲେ ଅଲଗା କଥା । ଏହି ଅଭ୍ୟାସଟା ଧୀରେ ଧୀରେ ଘୁଣ ଖାଇଲା ଭଳି ଗଛର ବକ୍କଳରୁ ମଞ୍ଜକୁ ବି ଖାଇ ସାରିଲାଣି ।

ଏଇ ଦେଖୁନାହାନ୍ତି, ଗାଁରୁ ପାଠ ପଢ଼ି ବାହାରକୁ ଯାଇ ଚାକିରି ବାକିରି କରିବା ପରେ ବି ମାନସ ମହାନ୍ତିର ପିଲାଦିନର ଜୁଆଖେଳ ଅଭ୍ୟାସଟା ଯାଇପାରିନି । ସେଥିପାଇଁ ତ ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଉ ଓହ୍ଲାଉ ଦିଟା ଟୋକା ଘୁଡୁଘୁଡ଼ା ପାଲିରେ ହାଣ୍ଡି, ବାନା, କାଳିଆ, ନାଲିଆ କରି ମାନସକୁ ଟୋପି ପିନ୍ଧାଇଦେଲେ । ଦିଲ୍ଲୀରୁ ଫେରିଥିବା ମାନସ ପକେଟରେ ଥିବା ପନ୍ଦର ହଜାର ଟଙ୍କା ଦଶ ମିନିଟ୍ ଭିତରେ ଖେଳିଦେଲା । ଆଉ ଆଗକୁ କଣ ହୁଅନ୍ତା ନହୁଅନ୍ତା, ହଠାତ୍ କେମିତି ତା ବୁଦ୍ଧି ଉଦୟ ହେଲା କେଜାଣି, ସେ ଜାଗା ଛାଡ଼ି ଚାଲିଆସିଲା । ମୁଣ୍ଡକାନ ଆଉଁସି ଘରେ ପହଞ୍ଚିଲା ସିନା, ହେଲେ କାହା ଆଗରେ କହିପାରିଲାନି ତାର ମନର ବେଦନା ।

ଖାଲି କଣ ସେତିକି, ଗାଁର ଜାଣିବା ଶୁଣିବା ଭଦ୍ରଲୋକ ବୃନ୍ଦାବନ ଦଳବେହେରାଙ୍କ କାହାଣୀ ତ ସମସ୍ତଙ୍କୁ ଚକିତ କରିଦେବ । ବାପାଙ୍କ ଅମାପ ସ୍ଥାବର ସମ୍ପତ୍ତିକୁ ଖଣ୍ଡେ ଖଣ୍ଡେ କରି ଖେଳିଦେଲେ ବାବୁ । ଶେଷରେ ଏତେ ନିଶା ଲାଗିଲା ଯେ, ନିଜ ସ୍ତ୍ରୀର ପିନ୍ଧିଲା ପାଟଶାଢ଼ୀକୁ ବି ବାଜି ଲଗାଇଦେଲେ ଖେଳରେ । ଆଉ ସେତେକ ବି ଚାଲିଗଲା । ବେଳେ ବେଳେ ଲାଗେ ସତେ ଯେମିତି ଏଇମାନେ ସମସ୍ତେ ହସ୍ତିନାପୁରରୁ ଆସିଛନ୍ତି । ପାଣ୍ଡବ ଓ କୌରବଙ୍କ ବଂଶଧର ।

ଏବେ କିଛି ବର୍ଷ ହେବ ଗାଁରେ କିନ୍ତୁ ଜୁଆଖେଳର ମାଧ୍ୟମଟା ଟିକିଏ ବଦଳି ଯାଇଛି । ତାସ୍ ସିନା ବାଡ଼ିଆ ହେଉଛି, ହେଲେ ସେଇଠି ଏତେ ବଡ଼ ଧରଣର ଖେଳ ହେଉନି । ଜମିବାଡ଼ି ବନ୍ଧା ପକାଇ ଜୁଆରେ ବାଜି ଲଗାଇଲା ଭଳି ଖେଳ ହେଉନି । ଏବେ ତାସର ସ୍ଥାନ ନେଇଛି ବେଟିଂ । କ୍ରିକେଟ୍ ବେଟିଂ । ସେ ଆଇପିଏଲ୍ ମ୍ୟାଚ୍ ହେଉ କି ୱାନ୍ ଡେ ବା ଟେଷ୍ଟ ମ୍ୟାଚ୍ । ବର୍ଷ ସାରା ତ କିଛି ନା କିଛି ମ୍ୟାଚ୍ ଚାଲୁଛି । ତେଣୁ ଟିମ୍, ଖେଳାଳି, ଇନିଂସ୍, ଏପରିକି ପ୍ରତି ଓଭରକୁ ନେଇ ଚାଲୁଛି ବେଟିଂ । ଗାଁର ମାଷ୍ଟ୍ରେ, ମାଲିକେ, ମାମଲତିକାର, ମଜୁରିଆ ଆଉ ମାଇପେ ସମସ୍ତେ ଏବେ ମାତିଛନ୍ତି ଖେଳରେ । ଶହେ ଦିଶ କି ପାଁଶରେ କଥା ଚାଲୁନି । ଖେଳ ହେଉଛି ଲକ୍ଷ ଲକ୍ଷ ଟଙ୍କାରେ । କିଏ ମାଲାମାଲ ହେଉଛି ତ ଆଉ କିଏ କାଙ୍ଗାଳ ହେଉଛି । ଖେଳ କିନ୍ତୁ ବନ୍ଦ ହେବାର ନାଁ ନେଉନି ।

ଏ ବିଷୟରେ ଗୋଟିଏ ଚିରାଚରିତ ବ୍ୟବସ୍ଥା କାମ କରୁଛି । କିଛି ପିଲା କେବଳ ଟେଲିଫୋନରେ ଖେଳକୁ ନିୟନ୍ତ୍ରଣ କରି ଯୋଗାଡ଼ିଆ କାମ କରୁଛନ୍ତି । ଏଥିରେ ତାଙ୍କର କିଛି ଯିବାର ନାହିଁ । କିନ୍ତୁ ଯେଉଁମାନେ ଖେଳୁଛନ୍ତି, ସେମାନଙ୍କଠୁ ପଇସା ଗୋଟାଇବାରେ ଏଇ ଯୋଗାଡ଼ିଆମାନେ ବ୍ୟସ୍ତ । ଏ ଧାରା ପ୍ରାୟ ଦଶ ବର୍ଷ ଧରି ଚାଲିଛି । ଏଥିରେ ପୋଲିସର ବି ଭାଗ ଅଛି । କହିବାକୁ ଗଲେ ଖେଳାଳି ଓ ପୋଲିସ ବାଲାଙ୍କ ଗୋଟିଏ ଭଲ ସଲାସୁତୁରା ଚାଲିଛି ।

ଏକଦା ଗାଁରୁ ପ୍ରଥମ ଛାତ୍ର ଭାବେ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାସ୍ ହୋଇଥିବା ନରୋତ୍ତମ ଦାଶ ପରବର୍ତ୍ତୀ ସମୟରେ ଜୁଆଖେଳରେ ଏମିତି ମାତିଗଲା ଯେ, ସ୍ନାତକ ହେବା ପାଇଁ ପାଞ୍ଚ ବର୍ଷ ଜାଗାରେ ଦଶ ବର୍ଷ ଲାଗିଗଲା । ବୁଢ଼ାକାଳେ ପାଠ ପଢ଼ା ସରିଲା ବେଳକୁ ମୁଣ୍ଡରେ ଥିବା ଭେଜା ପାଇଁ ମାଷ୍ଟ୍ର ଚାକିରିଟେ ମିଳିଗଲା । ହେଲେ ପ୍ରକୃତି ତ ଏତେ ସହଜରେ ବଦଳେ ନାହିଁ । ବିଚରା ନରୋତ୍ତମ ବି କଣ କରନ୍ତା । ଅଧାଦିନ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଥିବା ବେଳେ ଆଉ ଓଳିକ ଯାଇ ତାସ୍ ଆଡ୍ଡାରେ ହାଜର । ଏବେ ନରୋତ୍ତମ ମାଷ୍ଟ୍ରେ ବି ମାତିଛନ୍ତି ବେଟିଂରେ । ଦି ଥର ପୋଲିସ ବାଲା ଧରି ନେଲେଣି । ଥରେ ସ୍କୁଲ ଇନସ୍ପେକ୍ଟର ତାଗିଦ୍ ବି କଲେଣି । ହେଲେ କୌଣସି ଫରକ୍ ପଡ଼ୁନି । ସ୍ଥିତି ଯଥା ପୂର୍ବଂ ତଥା ପରଂ । ମାଷ୍ଟ୍ରେ ନିଜେ ତ ଜୁଆରେ ମାତିଛନ୍ତି, ସାଙ୍ଗରେ କିଛି ବଢ଼ିଲା ଛାତ୍ରଙ୍କୁ ବି ସାମିଲ କରିଛନ୍ତି । ଯେମିତି ଗୁରୁ ସେମିତି ଚେଲା ।

ଆମ୍ବପାଟଣାରେ ଏମିତି ଗୋଟିଏ ପରେ ଗୋଟିଏ କାହାଣୀ । ଏକରୁ ବଳି ଆରେକ ଚରିତ୍ର । ଏହି ଗାଁର ଦି ଭାଇ ନରେଶ ଓ ମହେଶ । ଚେହେରା ଦେଖିଲେ ଯେ କେହି କହିବ ଏମାନେ ଦୁଇଜଣ ଦୁନିଆର ସବୁଠୁ ସରଳ, ଅମାୟିକ, ନିଷ୍କପଟ ଏବଂ ବୁଦ୍ଧିମାନ୍ ପିଲା । ହଁ ଏ ସବୁ ବିଶେଷଣ ଶହେରେ ଶହେ ପ୍ରତିଶତ ଠିକ୍ । କିନ୍ତୁ ଉଭୟଙ୍କ ଗୋଟିଏ ହିଁ ଆଳୁଦୋଷ ରହିଯାଇଛି । ଉଭୟେ ପ୍ରଖ୍ୟାତ ଜୁଆଡ଼ି । ନରେଶ ଯେତେବେଳେ ଜୁଆଖେଳ ଆରମ୍ଭ କଲା, ସାନଭାଇ ହିସାବରେ ତାକୁ ସମର୍ଥନ ଓ ସହଯୋଗ କଲା ମହେଶ । ଦୁର୍ଯ୍ୟୋଧନ ଭଳି ପଶାପାଲିରେ ବିଜୟ ଅଭିଯାନ ଆରମ୍ଭ କଲା ନରେଶ । ଗାଁରେ ଖେଳୁଥିବା ସମସ୍ତ ଖେଳାଳିଙ୍କୁ ପରାସ୍ତ କରିବା ପରେ ଗାଁ ଆଖପାଖ ଗାଁ ଓ ଶେଷରେ ସହରକୁ ଯାଇ ଜୁଆଖେଳିଲା ନରେଶ । ଧୁମ୍ ଜିତା ହେଲା । ସାଧାରଣ କାମ କରି ମାସକୁ ପାଞ୍ଚ ହଜାରରୁ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଥିବା ନରେଶ ଏବେ ଲକ୍ଷ ଲକ୍ଷ ଟଙ୍କାର ମାଲିକ । ନରେଶର ଏ ବିକାଶ ଦେଖି ଆଉ ନିଜକୁ ନିୟନ୍ତ୍ରଣ କରିପାରିଲାନି ମହେଶ । ସେ ବି ମୈଦାନକୁ ଓହ୍ଲାଇଲା । ସେ ବି ଲାଗିପଡ଼ିଲା ଖେଳରେ । ହେଲେ ନରେଶ ଭଳି ମହେଶକୁ ଭାଗ୍ୟଦେବୀ ସହାୟକ ହେଲେନି । ସେ ନିଜର ସମସ୍ତ ରୋଜଗାର ହାରିବାରେ ଲାଗିଲା । ତେବେ ପୂର୍ବରୁ ନରେଶକୁ ମହେଶ ସହଯୋଗ କରିଥିଲା ବୋଲି, ମହେଶକୁ ବି ନରେଶ ସହାୟତାର ହାତ ବଢ଼ାଇଲା । ଦୁଇ ଭାଇଙ୍କ ଅଭିଯାନ କିନ୍ତୁ ସବୁବେଳେ ଯେ ସଫଳ ହେବ, ସେ କଥା ତ କହିହେବନି ।

ଗୋଟିଏ ପରେ ଗୋଟିଏ ଖେଳରେ ଯେତେ ଯାହା ବାଜିଲାଗିଲା ସବୁ ଗଲା । ଧୀରେ ଧୀରେ ଲକ୍ଷପତି ନରେଶ ଗୋଟିଏ ପରେ ଗୋଟିଏ ସମ୍ପତ୍ତି ବିକିବାରେ ଲାଗିଲା । ସ୍ଥିତି ଏମିତି ହେଲା ଯେ, ଉଭୟଙ୍କ ଏଭଳି କାରନାମା ଦେଖି ବାପା ଶଯ୍ୟାଶାୟୀ ହୋଇଗଲେ । ତଥାପି ଚେତା ପଶିଲାନି ଦୁଇ ଭାଇଙ୍କର । କେଉଁଠି ନା କେଉଁଠି ସେମାନଙ୍କ ପ୍ରୟାସ ଥାଏ କେମିତି ହେଲେ ଜୁଆ ଖେଳିଦେଇ ହାତୀଟେ ହାତେଇ ନେବାକୁ । ଶେଷରେ ରୋଗଶଯ୍ୟାରେ ପଡ଼ିଥିବା ବାପା ଉଭୟ ନରେଶ ଓ ମହେଶକୁ ପାଖକୁ ଡାକି ମୁଣ୍ଡ ଛୁଆଁଇ ଶପଥ କରାଇଲେ । କହିଲେ, ଆରେ କାମ କରି ରୋଜଗାର କରିବ ଯଦି, ସେଥିରୁ ଯାହା ଦି ପଇସା ମିଳିବ ସେଥିରେ ଶାନ୍ତି ମିଳିବ । ଆଉ ଏମିତି ଜୁଆଖେଳି ତମେ କେତେ ଦିନ ସଂସାର ଚଳେଇବ ବୋଲି ଭାବୁଛ? ତମର ଏ କାମ କିଛି ନୁହେଁ ଯେ, କେବଳ ରାତାରାତି ଲମ୍ବାଦାଢ଼ି ଭଳି କଥା । ରାତାରାତି କାହାର ଦାଢ଼ି କେବେ ଲମ୍ବା ହେଲାଣି? ରାତାରାତି କିଏ କେବେ ବଡ଼ଲୋକ ହେଲାଣି? କଷ୍ଟକର କୃଷ୍ଣ ମିଳିବେ । ମୋର ତ ଦିନକାଳ ସରିଆସିଲାଣି । ସୁଧୁରି ଯାଅ । ନହେଲେ କେଉଁଦିନ ଜେଲରେ ବସି ଦି ଭାଇ ଦାଢ଼ି ଲମ୍ବଉଥିବ ଜାଣିପାରିବନି । …

ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ । ଫୋନ୍- ୯୯୩୭୨୫୨୪୬୪

Comments are closed.