(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)
ବିଶ୍ୱଜିତ୍ ରାଉତରାୟ । ହରିପୁର ଗାଁର ଜଣେ ଜଣାଶୁଣା ଲୋକ । ନ୍ୟାୟ ନିଶାପରେ ଆଖପାଖ ଦଶ ଖଣ୍ଡ ଗାଁର ଲୋକେ ବି ତାଙ୍କୁ ଡାକନ୍ତି । ଗାଁର ସବୁକଥାରେ ଆଗ ଠିଆହୁଅନ୍ତି ବିଶ୍ୱଜିତ୍ । ହେଲେ ଏବେ ବୟସ ଗଡ଼ିଗଲାଣି । ଆଉ ଆଗ ଭଳି ଗାଁ କଥାରେ ମୁଣ୍ଡ ଖର୍ଚ୍ଚ କରିପାରୁନାହାନ୍ତି ସେ । ରୋଗଶଯ୍ୟାରେ ଦିନ କଟୁଛି ତାଙ୍କର ।
ଏବେ ଭେଣ୍ଡିଆ ପିଲାଙ୍କ ଯୁଗ । ଗାଁର ସବୁକଥା ଏବେ ସେହି ଯୁବକମାନେ ବୁଝୁଛନ୍ତି । ସେଇମାନେ ହିଁ ଗାଁର ହିସାବକିତାବ ରଖୁଛନ୍ତି । କେବେ କେମିତି ଟୋକା ପିଲାଙ୍କ ଭିତରେ କଥା ଉଠିଲେ, ବିଶ୍ୱଜିତ୍ ରାଉତରାୟଙ୍କ ପାରିବା ପଣିଆ ବିଷୟରେ ଚର୍ଚ୍ଚା ହୁଏ । କେମିତି ଅଶୀ ଦଶକରେ ସ୍ଥାନୀୟ ବିଧାୟକଙ୍କୁ ଜିତାଇବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କିଭଳି ଭାବେ ବିଶ୍ୱଜିତ୍ ବାବୁଙ୍କ କଥା ଶୁଣି ଗାଁ ଲୋକେ ସେବେକାର ବିଧାୟକଙ୍କୁ ଭୋଟ୍ ଦେଇ ଜିତାଇଥିଲେ, ସେ କଥା ସମସ୍ତେ ମନେ ରଖିଛନ୍ତି । ଆଉ ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ପାଞ୍ଚବର୍ଷ ପରେ ଯେତେବେଳେ ପୁଣି ଥରେ ସେହି ବିଧାୟକ ମହୋଦୟ ନିର୍ବାଚନ ଲଢ଼ିଲେ, ସେତେବେଳେ ବିଶ୍ୱଜିତ୍ ହିଁ ଗାଁର ଅନ୍ୟମାନଙ୍କୁ ସାଙ୍ଗରେ ନେଇ ବିଧାୟକଙ୍କୁ ଗାଁ ମୁହଁରୁ ହିଁ ଫେରାଇ ଦେଇଥିଲେ । ଗାଁ ଭିତରକୁ ତାଙ୍କୁ ପୂରାଇ ଦେଇନଥିଲେ ବିଶ୍ୱଜିତ୍ । ନେତାଙ୍କୁ ରୋକଠୋକ୍ କହିଥିଲେ ଯେ, ଯଦି ଆମେ ଭୋଟ୍ ଦେଇ ଆପଣଙ୍କୁ ଜିତାଇ ପାରୁ, ତାହେଲେ ଏକଥା ବି ମନେରଖନ୍ତୁ, ଆପଣଙ୍କୁ ଗାଦିଚ୍ୟୁତ କରିବା କ୍ଷମତା ବି ଆମ ଭଳି ଗାଁଉଳି ମଳିମୁଣ୍ଡିଆ ଲୋକଙ୍କ ପାଖରେ ଅଛି । ପାଞ୍ଚ ବର୍ଷ ଭିତରେ ବିଧାୟକ ଗାଁ ପାଇଁ କୌଣସି କାମ କରିନଥିଲେ କିମ୍ବା ଅନ୍ୟ କୌଣସି ଉନ୍ନତିମୂଳକ ଯୋଜନାରେ ହରିପୁର ଗାଁକୁ ସାମିଲ କରିନଥିଲେ ବୋଲି ତାଙ୍କୁ ଏଭଳି ସ୍ଥିତିର ସାମ୍ନା କରିବାକୁ ପଡ଼ିଲା । ଏପରିକି ବିଧାୟକଙ୍କୁ ବିରୋଧ କରିବା ପାଇଁ ଗାଁ ଲୋକେ ରାଜି ହେବା ସହ ବିଶ୍ୱଜିତଙ୍କୁ ସହଯୋଗ ବି କରିଥିଲେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଥିଲା ଯେ, ଯିଏ ଯେଉଁ ଦଳକୁ ଭୋଟ୍ ଦିଅନ୍ତୁ ନା କାହିଁକି, ଗାଁ କଥା ଆସିଲାବେଳକୁ ସମସ୍ତେ ଏକ । ଗାଁଟା ଗୋଟିଏ କେବଳ ଗାଁ ନୁହେଁ, ଏହା ଏକ ପରିବାର .. ମସ୍ତବଡ଼ ପରିବାର ।
ସେଥିପାଇଁ ତ କାହାଘରେ ଯଦି ବାହାଘର କିମ୍ବା ଅନ୍ୟ କୌଣସି ଉତ୍ସବ ଅଛି, ତାହେଲେ ଗାଁର ସମସ୍ତେ ଗୋଟିଏ ସ୍ଥାନରେ । ସେଦିନ କୌଣସି ପରିବାରରେ ଚୁଲି ଜଳେନି । ପୂରା ଗାଁ ପାଇଁ ଗୋଟିଏ ଖନ୍ଦାରେ ରନ୍ଧାହୁଏ ଖାଦ୍ୟ । ସମସ୍ତେ ଏକାଠି ଖାଆନ୍ତି । କାହାର କିଛି ଅସୁବିଧା ହେଲେ ସମସ୍ତେ ଏକାସାଙ୍ଗରେ ଠିଆ । ଗାଁ ସାହିଭାଇଙ୍କ ସ୍ନେହ ସହାନୁଭୂତିରେ ବାପାକୁ ହରାଇଥିବା ଛେଉଣ୍ଡ ପୁଅ ବି ହତୋତ୍ସାହିତ ହୁଏନି । ସମସ୍ତଙ୍କ ସହଯୋଗରେ ସେ କାଳ ପାରିହୋଇଯାଏ ।
ହେଲେ ଏବେ କିନ୍ତୁ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଲା ଗାଁରେ । ବିଶ୍ୱଜିତଙ୍କ ପତ୍ନୀ ବୈଦେହୀଙ୍କ ହଠାତ୍ ହୃଦଘାତରେ ମୃତ୍ୟୁ ଘଟିବାରୁ ଗାଁର କେବଳ ଅଧା ଲୋକ ହିଁ ତାଙ୍କ ଦୁଆରେ ଠିଆହେଲେ । କାରଣ ବୈଦେହୀ ରହୁଥିଲେ ସାନପୁଅ ଗଜେନ୍ଦ୍ରର ଘରେ । ଆଉ ବଡ଼ପୁଅ ବିଜେନ୍ଦ୍ର ପାଖରେ ରହନ୍ତି ବିଶ୍ୱଜିତ୍ । ଗଜେନ୍ଦ୍ର ଘରେ ବୈଦେହୀଙ୍କ ମୃତ୍ୟୁ ହୋଇଥିବାରୁ ବିଜେନ୍ଦ୍ର ବି ମାଆର ମରଶରୀର ପାଖରେ ଠିଆ ହେଲାନି । କାରଣ ଗଲା ସାଧାରଣ ନିର୍ବାଚନରେ ଗଜେନ୍ଦ୍ର ଶାସକ ଦଳ ପାଇଁ କାମକରୁଥିଲା । ଆଉ ବିଜେନ୍ଦ୍ର ସମର୍ଥନ କରୁଥିଲା ବିରୋଧୀ ଦଳକୁ । ତେଣୁ ସେ ଦିନଠୁ ଗଜେନ୍ଦ୍ର ଓ ବିଜେନ୍ଦ୍ର ଭିତରେ ଅହିନକୁଳ ସଂପର୍କ । କେବଳ ଏ ଦୁଇ ଭାଇ ନୁହନ୍ତି, ପୂରା ଗାଁଟା ଦିଭାଗରେ ବିଭକ୍ତ । ଗୋଟିଏ ଭାଗ ଶାସକ ଦଳର, ଆଉ ଅନ୍ୟ ଭାଗଟି ବିରୋଧୀ ଦଳର । ତେଣୁ ମୋଟାମୋଟି କହିବାକୁ ଗଲେ ଗାଁରେ ଏବେ ଦୁଇଟା ଜାତିର ମଣିଷ । ଏ ଜାତି ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ, ଶୁଦ୍ର ଜାତି ନୁହେଁ ବରଂ ଶାସକ ଓ ବିରୋଧୀ ଜାତି । ଯଦି କୌଣସି ଗୋଟିଏ ଦଳର ସମର୍ଥକଙ୍କ ପରିବାରରେ ଆପତ୍ତି ବିପତ୍ତି ପଡ଼ିଛି, ତାହେଲେ ସେହି ଗୋଷ୍ଠୀର ଲୋକମାନେ ହିଁ ତା ଦୁଆରେ ଠିଆ ହୁଅନ୍ତି । କିନ୍ତୁ ଅନ୍ୟଗୋଷ୍ଠୀ ତା ଦୁଆର ମାଡ଼ନ୍ତି ନାହିଁ । ଏପରିକି ମାଆ ପେଟର ଭାଇ ବି ଏହି ରାଜନୈତିକ ବିଦ୍ୱେଷ କାରଣରୁ ନିଜ ଭାଇ ବିରୋଧରେ ଠିଆ ହୋଇଛି ।
ବୈଦେହୀଙ୍କ ବିୟୋଗ ଖବର ଶୁଣି ରୋଗଶଯ୍ୟାରୁ ବିଚଳିତ ହୋଇ ଉଠିପଡ଼ିଥିବା ବିଶ୍ୱଜିତ୍ ଦେଖିଲେ, ତାଙ୍କ ବଡ଼ପୁଅ ବିଜେନ୍ଦ୍ର ନିଜ ମାଆର ଶବାଧାରକୁ କାନ୍ଧ ଦେବାକୁ ବି ଅମଙ୍ଗ । ମୁଖାଗ୍ନି ଦେବା ତ ଦୂରର କଥା । ଏପରିକି ବିଶ୍ୱଜିତଙ୍କୁ ବି ସେ ରୋକଠୋକ୍ ଶୁଣାଇଦେଲା ଯେ, ମାଆ ଗଜେନ୍ଦ୍ରର ଘରେ ମରିଛି । ତେଣୁ ସେ ଘରକୁ ଯିବାର ପ୍ରଶ୍ନ ଉଠୁନି । ଯଦି ତୁମେ ସେଠାକୁ ଯିବାକୁ ଚାହୁଁଛ, ତାହେଲେ ଭାବିଚିନ୍ତି ଯାଅ । କାରଣ ଥରେ ଏଘରୁ ଗୋଡ଼ କାଢ଼ିଲେ ଏ ଘରକୁ ପୁଣି ଥରେ ଫେରିବାର ସବୁରାସ୍ତା ତୁମ ପାଇଁ ବନ୍ଦ ହୋଇଯିବ । ଏକଥା ଶୁଣି ବିଶ୍ୱଜିତଙ୍କ ରକ୍ତ ଗରମ ହୋଇଉଠୁଥିଲା । କିନ୍ତୁ ତାଙ୍କ ଶାରୀରିକ ସ୍ଥିତି ତାଙ୍କୁ କିଛି କରିବାକୁ ଅନୁମତି ଦେଉନଥିଲା । ତେବେ ଗଜେନ୍ଦ୍ର ନିଜ ମଆର ଶବକୁ ଦଳୀୟ ସହଯୋଗୀମାନଙ୍କ ସହିତ କାନ୍ଧେଇ ନେଇ ଗାଁ ମଶାଣିରେ ସତ୍କାର କଲା ବେଳକୁ ହତାଶ ହୋଇ ଶୂନ୍ୟ ଆକାଶକୁ ଅନାଇ ରହିଥିଲେ ବିଶ୍ୱଜିତ୍ । ଦୂରରୁ ଦୃଶ୍ୟମାନ ଧୂଆଁର କୁଣ୍ଡଳୀକୁ ଦେଖି କାନ୍ଦିଉଠିଲେ ସେ । ଚିତ୍କାର କରି କହୁଥିଲେ, ଧନ୍ୟରେ ରାଜନୀତି .. ମୋ ଗାଁ, ମୋ ପରିବାରକୁ ତୁ ଦୁଇଟା ଜାତିରେ ବାଣ୍ଟିଦେଲୁ । ଗୋଟିଏ ମାଆର ପେଟରୁ ଜନ୍ମ ହେଇଥିବା ଦୁଇ ଭାଇଙ୍କ ରକ୍ତରେ ତୁ କାନ୍ଥ ଟେକିଦେଇପାରିଲୁ । ହେ ଭଗବାନ .. ଏମିତି ଦିନ ଦେଖିବା ପୂର୍ବରୁ ମୁଁ ମରିଗଲିନି କାହିଁକି?
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ଫୋନ୍- ୯୯୩୭୨୫୨୪୬୪
Comments are closed.