Latest Odisha News

BREAKING NEWS

କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା;ସୃଷ୍ଟି ହେବ ୨୪୦୦ ନିଯୁକ୍ତି

ଭୁବନେଶ୍ବର: ଆଦିତ୍ୟ ବିର୍ଲା ଗୃପ ଅଧୀନ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଓଡ଼ିଶାରେ ୨୦୦କୋଟି ଟଙ୍କା ନିବେଶ ପାଇଁ ଧାର୍ଯ୍ୟ ହୋଇଅଛି । ଫଳରେ ଓଡିଶାର କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାରେ ପ୍ରତିଷ୍ଠା ହେବ ପୋଷାକ ତିଆରି କାରଖାନା । ଶୁକ୍ରବାର ଦିନ ହିଣ୍ଡାଲ୍କୋ କତୃପକ୍ଷ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦୁଇଟି ପୃଥକ ଏମଓୟୁ ସ୍ଵାକ୍ଷର ହୋଇଯାଇଛି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ହିଣ୍ଡାଲ୍କୋ କର୍ପୋରେଟ ଅଫେୟାର ଅଧ୍ୟକ୍ଷ ଅର୍ଧେନ୍ଦୁ ମହାପାତ୍ର ଓ ଦକ୍ଷତା ବିକାଶ ଏବଂ ଯାନ୍ତ୍ରିକ ଶିକ୍ଷା ବିଭାଗ ସଚିବ ବିଏସ ପୁନିଆଙ୍କ ମଧ୍ୟରେ ଏହି ଏମଓୟୁ ଦସ୍ତାବିଜ ଆଦାନ ପ୍ରଦାନ ହୋଇଛି ।

ଭୁବନେଶ୍ୱର ସ୍ଥିତ ରାଜ୍ୟ ସଚିବାଳୟ ସମ୍ମିଳନୀ କକ୍ଷ ଠାରେ ଫିକି ସହଯୋଗରେ ଆୟୋଜିତ ଟେକ୍ସଟାଇଲ ନିବେଶକ ସମ୍ମିଳନୀ 2025 (ଟେକ୍ସ-2025)ରେ କମ୍ପାନୀ ତରଫରୁ ରାଜ୍ୟର ଏହି ଦୁଇଟି ସ୍ଥାନରେ କାରଖାନା ପ୍ରତିଷ୍ଠା ସକାଶେ ୨୦୦ କୋଟି ଟଙ୍କା ପୁଞ୍ଜି ନେବେଶ ପାଇଁ ନିଷ୍ପତି ହୋଇଛି । ଉକ୍ତ ଦୁଇଟି ପୋଷାକ କାରଖାନା ଆଗାମୀ ଦିନରେ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ଏଥିରେ ୨୪୦୦ ଯୁବ ବର୍ଗଙ୍କୁ କର୍ମନିଯୁକ୍ତି ନିମନ୍ତେ ସମ୍ଭାବନା ସୃଷ୍ଟି ହେବ ।

ଏହି ଅବସରରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ଟେକ୍ସଟାଇଲ ଓ ହସ୍ତତନ୍ତ୍ର ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ରାଜ୍ୟ ମୁଖ୍ୟ ସଚିବ ମନୋଜ ଆହୁଜା, ବିକାଶ ଆୟୋଗ ଅନୁ ଗର୍ଗ ଓ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ପଦକ୍ଷପ ଦ୍ୱାରା ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଓଡ଼ିଶାରେ ନିଜର ସ୍ତିତି ଆହୁରି ବୃଦ୍ଧି କରିଛି । ଦାୟିତ୍ୱବାନ ଶିଳ୍ପ ପ୍ରତିଷ୍ଠାନ ଭାବେ ରାଜ୍ୟରେ ଏହାର ପରିଚୟ ସୁଦୃଢ ହେବ ଦ୍ୱାରା ଆଗାମୀ ଦିନରେ କମ୍ପାନୀ ତରଫରୁ ଶତାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନେଇ କମ୍ପାନୀ କତ୍ତୃପକ୍ଷଙ୍କ ତରଫରୁ ଉଦ୍ୟମ ଜାରି ରହିବ।

Comments are closed.