ଭୁବନେଶ୍ବର: ଚେନ୍ନାଇରେ ପହଞ୍ଚିଲା ଓଡ଼ିଶା ସରକାରଙ୍କ ଟିମ୍ । ଟିମ୍ର ନେତୃତ୍ୱ ନେଉଥିବା ଶ୍ରମ ଓ ଇଏସଆଇ ବିଭାଗର ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲା କହିଛନ୍ତି ଯେ, ଜଣେ ଶ୍ରମିକଙ୍କ ମୃତଦେହ ଗତକାଲି ରାତିରେ ଚେନ୍ନାଇକୁ ସ୍ଥାନାନ୍ତର କରାଯାଇଥିବାବେଳେ ଆଜି ତାଙ୍କର ପୋଷ୍ଟମର୍ଟମ କରାଯିବ ।
ସେହିପରି, ଓଡ଼ିଶା ଟିମର ସଦସ୍ୟ ଏମ୍.ଏମ୍. ପାଇକ ଚେନ୍ନାଇରେ ରହି ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷା କରି ପୋଷ୍ଟମର୍ଟମ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ସମ୍ପାଦନ କରିବେ । ସେହିପରି ରାଜେଶ ଅଗ୍ରୱାଲା ଏବଂ ଶ୍ରୀ ବି.ବି. ଆଚାର୍ଯ୍ୟ ତିରୁଭାଲ୍ଲୁର ଅଭିମୁଖେ ଯିବେ । ସେଠାରେ ଚିକିତ୍ସାଧୀନ ଆହତ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କରାଯିବ ।
କେତେକ ଆହତଙ୍କ ଅବସ୍ଥା ଏପର୍ଯ୍ୟନ୍ତ ସଙ୍କଟାପନ୍ନ ରହିଛି । ଅନ୍ୟ ଜଣେ ଶ୍ରମିକଙ୍କ ମୃତଦେହ ମଧ୍ୟ ବର୍ତ୍ତମାନ ତିରୁଭଲ୍ଲୁରରେ ରହିଛି । ଚେନ୍ନାଇ ଏବଂ ତିରୁଭଲ୍ଲୁରର ବରିଷ୍ଠ ଶ୍ରମ ବିଭାଗୀୟ ଅଧିକାରୀମାନଙ୍କ ସହ ଯୋଗାଯୋଗ ସ୍ଥାପିତ ହୋଇଥିବାବେଳେ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ଜାରି ରହିଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି l
ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭୦ରୁ ଅଧିକ ଗୁରୁତର ଅଛନ୍ତି । ଏଥିରେ ଓଡ଼ିଶାର ୨ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ବହୁ ଶ୍ରମିକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
