ବାରିପଦା: ମୟୂରଭଞ୍ଜ ଜିଲ୍ଲା ଜୁଗୁପୁରା ରେଲଓ୍ୱେ ଷ୍ଟେସନରେ ନିଯୁକ୍ତ ଗେଟ୍ ମ୍ୟାନ୍ ଡ୍ୟୁଟିରେ ଶୋଇପଡିଥିଲେ ଏବଂ ଆସୁଥିବା ଟ୍ରେନ କୁ ସିଗନାଲ ଦେବାରେ ବିଫଳ ହୋଇଥିଲେ ବୋଲି ଅଭିଯୋଗ ହୋଇଛି। ହେଲେ ଟ୍ରେନର ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ଗେଟମ୍ୟାନ ରତ୍ନାକର ମହନ୍ତଙ୍କୁ ନିଲମ୍ବନ କରାଯାଇଛି।
ବୁଧବାର ସକାଳ ପ୍ରାୟ ୯ଟା ବେଳେ ବାଙ୍ଗିରିପୋଷି-ରୂପସା ଡିଏମୟୁ ଟ୍ରେନ୍ ଜୁଗୁପୁରା ରେଳ ଷ୍ଟେସନରେ ପହଞ୍ଚିବା ପରେ ଏହି ଅଘଟଣ ଘଟିଥିଲା। ଲେଭଲ କ୍ରସିଂ ଗେଟ୍ ବନ୍ଦ ଥିବା ସତ୍ତ୍ୱେ ଟ୍ରେନ୍କୁ ଆଗକୁ ବଢ଼ିବା ପାଇଁ ସିଗନାଲ ଦେବାକୁ କେହି ଉପସ୍ଥିତ ନଥିଲେ। ଜଣେ ଲୋକୋ ପାଇଲଟ୍ ଶେଷରେ ଟ୍ରେନ୍କୁ ଅଟକାଇ କ’ଣ ହୋଇଛି ଦେଖିବାକୁ ଯାଇଥିଲେ। ଆଉ ଦେଖିବାକୁ ପାଇଥିଲେ ଡ୍ୟୁଟିରେ ଥିବା ଗେଟ୍ ମ୍ୟାନ୍ ଶୋଇପଡ଼ିଛନ୍ତି। ଲୋକୋ ପାଇଲଟ୍ ଗେଟ୍ ମ୍ୟାନକୁ ଉଠାଇବାକୁ ଯାଇ ନିଜେ ଗ୍ରୀନ ସିଗନାଲ ପତାକା ବ୍ୟବହାର କରି ନିଜ ଟ୍ରେନ୍କୁ ସିଗନାଲ୍ ଦେଇଥିଲେ।
ତେବେ କର୍ତ୍ତବ୍ୟରେ ଅବହେଳା ପାଇଁ ରତ୍ନାକର ମହନ୍ତଙ୍କୁ ନିଲମ୍ବନ କରାଯାଇଥିବା ରୂପ୍ସା ଷ୍ଟେସନର ସେକ୍ସନ ଇଞ୍ଜିନିୟର ଗୋପବନ୍ଧୁ ସେଠୀ ସୂଚନା ଦେଇଛନ୍ତି। ନିଲମ୍ବିତ ଗେଟ୍ ମ୍ୟାନଙ୍କଠାରୁ ଅଧିକ ସୂଚନା ମିଳିପାରି ନାହିଁ। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି।
Comments are closed.