Latest Odisha News

BREAKING NEWS

୪୦ ଲକ୍ଷ ଟଙ୍କା ପାଇଁ ଅପହରଣ ହୋଇଥିବା ଠିକାଦାର ୨୪ ଘଣ୍ଟାରେ ଉଦ୍ଧାର

ବାଲେଶ୍ୱର: ଅପହରଣ ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଶଂସନୀୟ କାମ କରିଛି ବାଲେଶ୍ୱର ପୁଲିସ। ଝାରସୁଗୁଡାରେ ନାବାଳକ ଅପହରଣ ଘଟଣା ମନରୁ ଲିଭିନଥିବା ବେଳେ ବାଲେଶ୍ବରରେ ମଧ୍ୟ ଟଙ୍କା ପାଇଁ ଜଣେ ଠିକାଦାର ଅପହରଣ ହୋଇଥିଲେ। ଆଉ ଏହି ସମୟରେ ଠିକାଦାରଙ୍କ ପତ୍ନୀ ଥାନାରେ ଏତଲା ଦେବାର ୨୪ ଘଣ୍ଟା ମଧ୍ୟରେ ଏସପି ସାଗରିକା ନାଥଙ୍କ ନେତୃତ୍ବାଧୀନ ବାଲେଶ୍ବର ପୁଲିସ ଠିକାଦାରଙ୍କୁ ଉଦ୍ଧାର କରି ପରିବାର ସହ ମିଶାଇବାରେ ପ୍ରଶଂସନୀୟ କାମ କରିଛି।

BjdElectrycity

ଅପରାଧର ୨୪ ଘଣ୍ଟା ମଧ୍ୟରେ ଅପହୃତ ଠିକାଦାର ଶିବାନନ୍ଦ ପାତ୍ରଙ୍କୁ ସଫଳତାର ସହ ଉଦ୍ଧାର କରିଛି ବାଲେଶ୍ୱର ପୁଲିସ। ଠିକାଦାରଙ୍କୁ ମୁକ୍ତ କରିବା ପାଇଁ ୪୦ ଲକ୍ଷ ଟଙ୍କା ଦାବି କରିିଥିଲେ ଅପହରଣକାରୀ। ଭୟରେ ଠିକାଦାରଙ୍କ ପତ୍ନୀ ନିରବାଳା ପୂର୍ବରୁ ଅପହରଣକାରୀଙ୍କୁ ୫ ଲକ୍ଷ ଟଙ୍କା ଦେଇ ସାରିଥିବା ବେଳେ ବାକି ଟଙ୍କା ପାଇଁ ଚେକ୍ ମଧ୍ୟ ଦେଇଥିଲେ।

ଏହି ଅପହରଣ ସମ୍ପର୍କରେ ନିରବାଳା ତାଳସାରୀ ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ପଦାକୁ ଆସିଥିଲା। ବାଲେଶ୍ୱର ଏସପି ସାଗରିକା ନାଥ ତୁରନ୍ତ ମାମଲା ଦାୟର କରି ଦୁଇଟି ଛୋଟ ଟିମ୍ ଗଠନ କରି ଘଟଣାର ତଦନ୍ତ କରିଥିଲେ। ଗୋଟିଏ ଟିମ୍ ମୟୂରଭଞ୍ଜ ଯାଇଥିବା ବେଳେ ଆଉ ଗୋଟିଏ ଟିମ୍ ବାଲେଶ୍ୱରରେ ତଦନ୍ତ କରିଥିଲା।

ଠିକାଦାରଙ୍କୁ ଏକ ନାଲି ରଙ୍ଗର କାରରେ ଅପହରଣ କରାଯାଇଥିବା ଗୁଇନ୍ଦା ସୂଚନାରୁ ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ପୁଲିସ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଦୁଇଟି ଟିମ୍ କୌଣସି ପ୍ରକାରର ସୁଯୋଗ ହାତଛଡ଼ା ନ କରି ଅପହରଣର ଶିକାର ଠିକାଦାରଙ୍କୁ ଖୋଜିଥିଲେ।

ଏହି ମାମଲା ସମ୍ପର୍କରେ ଏସପି ସାଗରିକା ନାଥ କହିଛନ୍ତି, ୨୪ ଘଣ୍ଟା ମଧ୍ୟରେ ଆମେ ଠିକାଦାରଙ୍କୁ ଉଦ୍ଧାର କରିଛୁ। ୪୦ ଲକ୍ଷ ଟଙ୍କା ମାଗିବା ସହ ୫ ଲକ୍ଷ ଟଙ୍କା ଅପହରଣକାରୀଙ୍କୁ ଠିକାଦାରଙ୍କ ପରିବାର ଦେଇଥିଲେ। ଆମେ ଅଭିଯୁକ୍ତଙ୍କ ଠାରୁ ଚେକ୍ ଓ ୫ ଲକ୍ଷ ଟଙ୍କା ଜବତ କରିଛୁ। ଏସପି ଆହୁରି ମଧ୍ୟ କହିଛନ୍ତି ଯେ ଏହା କିଛି ବ୍ୟବସାୟିକ ଶତ୍ରୁତା ସହିତ ଜଡିତ ମାମଲା ଏବଂ  ଏ ଦିଗରେ ଅଧିକ ତଦନ୍ତ ଜାରି ରହିଛି। ତେବେ ଅଭିଯୁକ୍ତ କିଏ ଜଣାପଡ଼ି ନାହିଁ ବା ପୋଲିସ ସ୍ପଷ୍ଟ କରିନାହିଁ।

Leave A Reply

Your email address will not be published.