Latest Odisha News

ଗେଟସ୍ ଅଫ୍ ହେଲରେ ପଡ଼ିବ ତାଲା

ତୁର୍କମେନିସ୍ତାନ: ସ୍ୱର୍ଗ, ମର୍ତ୍ତ୍ୟ ଏବଂ ନର୍କ ବିଷୟରେ ତ ଆପଣମାନେ ଶୁଣିଥିବେ । ହେଲେ ମର୍ତ୍ତ୍ୟରେ ନର୍କର ଦ୍ୱାର ଅଛି ବୋଲି ଶୁଣିଛନ୍ତି କି? ବିଶ୍ୱର ଏମିତି ଏକ ସ୍ଥାନରେ ନର୍କ ଦ୍ୱାର ଥିବା ଜ୍ୱଳନ୍ତ ପ୍ରମାଣ ରହିଛି । ତୁର୍କମେନିସ୍ତାନର କୁରକୁମ ମରୁଭୂମିରେ ଏକ ବଡ଼ ଗର୍ତ୍ତ ରହିଛି ଯାହାକୁ ନର୍କର ଦ୍ୱାର ଅବା ଗେଟସ୍ ଅଫ ହେଲ୍ ବୋଲି କୁହାଯାଏ । ଏଠାରେ ଦୀର୍ଘ ୫୦ ବର୍ଷ ଅର୍ଥାତ ୧୯୭୧ ପରଠାରୁ କ୍ରମାଗତ ଭାବେ ନିଅାଁ ଜଳୁଛି । ଏହି ନର୍କ ଦ୍ୱାରକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଏହି ଗାତକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ତୁର୍କମେନିସ୍ତାନର ରାଷ୍ଟ୍ରପତି ଗୁରୁବାଙ୍ଗୁଲି । ସେ କହିଛନ୍ତି ମଣିଷର ଭୁଲ ପାଇଁ ସୃଷ୍ଟି ହୋଇଥିବା ଏହି ଗର୍ତ୍ତ ଆମ ପରିବେଶ ତଥା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି । ଏହାର ଆଖପାଖ ଗାଁରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଉଛି । ତେଣୁ ସେ ଅଧିକାରୀମାନଙ୍କୁ କହିଛନ୍ତି ଏହି ଗାତ ବନ୍ଦ କରିବା ପାଇଁ ଯାହା ପ୍ରୟାସ କରିବାକୁ ପଡ଼ୁଛି କରାଯାଉ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ଗେଟସ୍ ଅଫ ହେଲ୍ ଅଗ୍ନିକୁଣ୍ଡର ଗଭୀର ୬୬ ଫୁଟ୍ ଏବଂ ଓସାର ୨୨୯ ଫୁଟ୍ । ଗେଟସ୍ ଅଫ ହେଲ୍ ନାମକ ଏକ ଗାତକୁ ଡାରଭାଲସା ଗ୍ୟାସ କ୍ରାଟର ମଧ୍ୟ କୁହାଯାଏ । ୧୨ ବର୍ଷ ପୂର୍ବରୁ ମଧ୍ୟ ଗୁରୁବାଙ୍ଗୁଲି ଏହି ଗଭୀର ଗାତକୁ ବନ୍ଦ କରିବା ପାଇଁ ବିଶେଷଜ୍ଞମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଗେଟସ୍ ଅଫ ହେଲ୍ ଅଗ୍ନି ଗାତ ନିକଟରେ ଦରୱାଜା ନାମକ ଏକ ଗାଁ ରହିଛି । ଏହି ଗାଁର ଲୋକମାନେ ଏହାକୁ ନର୍କର ଦ୍ୱାର ବୋଲି ମଧ୍ୟ କୁହନ୍ତି ।କୁହାଯାଉଛି କି ଏହି ଗର୍ତ୍ତ ଆଗରୁ ଏଠାରେ ନଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ରୁଷର ସୋଭିଏତ ସଂଘ ତେଲ ଏବଂ ପ୍ରାକୃତିକ ଗ୍ୟାସ ଆବଶ୍ୟତା ପାଇଁ ବୈଜ୍ଞାନିକମାନେ ମରୁଭୂରେ ଗାତ ଖୋଳିଥିଲେ । ହେଲେ ସେମାନେ ଯେଉଁ ସ୍ଥାନକୁ ଖୋଳିଲେ ସେଠାରେ ମାଟି ଓ ବାଲି ତଳକୁ ଖସି ବଡ଼ ଗାତ ସୃଷ୍ଟି ହୋଇଥିଲା । ସେହି ଗାତରୁ ମିଥେନ ଗ୍ୟାସ ବାହାରିବାକୁ ଲାଗିଥିଲା । ମିଥେନ ଗ୍ୟାସରେ ବାୟୁମଣ୍ଡଳ ପ୍ରଦୂଷିତ ନହେଉ ସେ ନେଇ ସେମାନେ ନିଅାଁ ଲଗାଇ ଦେଲେ । ଯାହାକି ୫୦ ବର୍ଷ ହେଲାଣି ଜଳୁଛି ।

ଏହି ଅଗ୍ନିର ଗାତକୁ ପୂର୍ବରୁ ବହୁବାର ପୋତିବାକୁ ଚେଷ୍ଟା କରାଯାଇଛି । ହେଲେ ସବୁଥିରେ ବିଫଳତା ମିଳିଛି । ଏବେ ଏହା ପର୍ଯ୍ୟଟନ ସ୍ଥଳ ପାଲଟିଛି । ଏହି ନର୍କକୁଣ୍ଡକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବାରୁ ସରକାର ଏହାର ଚର୍ତ୍ତୁପାଶ୍ୱର୍ରେ ଘେରାବନ୍ଦୀ କରିଛନ୍ତି ।

Leave A Reply

Your email address will not be published.