ରାୟଗଡା: ଗୁଣପୁର ସହରରେ ଗୁଳିମାଡ଼ରେ ଆଶା ନାମକ ସଂସ୍ଥାର ନିର୍ଦ୍ଦେଶକ ଗୌରୀ ମିଶ୍ର (୫୫) ହତ୍ୟାର ଶିକାର ହୋଇଛନ୍ତି। ସ୍ଥାନୀୟ ବଂଶଧାରା ନଦୀ ପୋଲ ଉପରରେ ନିଜ ସାଙ୍ଗ ସାଥୀଙ୍କ ଗହଣରେ ଉପସ୍ଥିତ ଥିଲେ ଗୌରୀ। ଘରକୁ ଫେରୁଥିବା ସମୟରେ କେହି ଜଣେ ଅଜ୍ଞାତ ଲୋକ ଗୁଳି ମାରି ତାଙ୍କୁ ହତ୍ୟା କରିଛି। ଗୌରୀ ମିଶ୍ରଙ୍କ ମୁହଁରେ ଗୁଳି ମାଡ଼ ହୋଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ତେବେ କିଏ କାହିଁକି ଗୁଳି ଫୁଟାଇ ହତ୍ୟା କରିଛି ପ୍ରାଥମିକ ରିପୋର୍ଟ ଲେଖିବା ସୁଦ୍ଧା ଏହା ସ୍ପଷ୍ଟ ହୋଇପାରି ନାହିଁ। ଖବର ନେବାରୁ ଜଣାପଡିଛି ଯେ ଏକ ବାଇକ ଯୋଗେ ୩ ଜଣ ଅଚିହ୍ନା ବ୍ୟକ୍ତି ହଠାତ ଆସି ପିସ୍ତଲ ଦେଖାଇଥିଲେ। ପରେ ଗୁଳି ଫୁଟାଇ ଚାଲିଯାଇଥିଲେ।
ଖବର ପାଇ ଗୁଣପୁର ପୋଲିସ ଘଟଣା ସ୍ଥଳେ ପହଁଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଗୌରୀ ମିଶ୍ରଙ୍କୁ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପ୍ରଥମ ଥର ଘଟିଥିବାରୁ ସାଧାରଣରେ କୋକୁଆ ଭୟ ସୃଷ୍ଟି କରିଛି। ଏହି ଗୁଳିକାଣ୍ଡ ବେଳେ ଗୌରୀଙ୍କ ନିକଟରେ ସତ୍ୟ ଶତପଥୀ, ଅଶୋକ ରଥ, ଓ ଅକ୍ଷୟ ଦାଶ୍ ପ୍ରମୁଖ ଉପସ୍ଥିତ ଥିଲେ। ଯିଏକି ତାଙ୍କର ସହଯୋଗୀ ବା ବନ୍ଧୁ ବୋଲି ଜଣାପଡ଼ିଛି।
ସର୍ବ ସାଧାରଣ ସ୍ଥାନରେ ଏଭଳି ହତ୍ୟା ସହରରେ କୋକୁଆ ଭୟ ସୃଷ୍ଟି କରିଛି। ଥାନାଧିକାରୀ ନିଳାମ୍ବର ଜାନୀଙ୍କ ସମେତ ଏକ ପୋଲିସ ଟିମ ତଦନ୍ତ ଜାରି ରଖିଛନ୍ତି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ଆଜି ଶବ ବ୍ୟବଛେଦ କରାଯିବ। ଏହାପରେ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ସୂଚନା ରହିଛି।
Comments are closed.