ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ଟାଇଟଲ ଭାରତ ହାସଲ କରିବା ପରେ ଏବେ କୋଚ ଗୌତମ ଗମ୍ଭୀର ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ଏବେ ଏକ ସାକ୍ଷାତକାରରେ ସେ କିନ୍ତୁ ସ୍ୱୀକାର କରିଛନ୍ତି ମୋର କେତେକ ଭୁଲ ହୋଇଛି । ମଣିଷ ମାତ୍ରକେ ଭୁଲ ରହିବ । କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ମୁଁ ଏହି ଭୁଲ କରିନି । ଡ୍ରେସିଂ ରୁମରେ ମୁଁ ସମସ୍ତଙ୍କ ସହ ନ୍ୟାୟ କରିଛି । ଖେଳାଳିଙ୍କ ସହିତ ଆଖି ମିଳାଇ କଥା ହୋଇଛି । ଆଗକୁ ବି ଯେତେ ସମୟ କାର୍ଯ୍ୟ କରିବି ସେ ଭଳି କରିବି । କାହାର କ୍ଷତି କରିବାକୁ ମୁଁ ଆସିନି ବୋଲି ଗମ୍ଭୀର କହିଛନ୍ତି ।
ଖରାପ ପ୍ରଦର୍ଶନ ସତ୍ୱେ ଗମ୍ଭୀର ଦଳର କେତେକ ଖେଳାଳିଙ୍କୁ ଭରପୂର ସମର୍ଥନ ଦେଇଥିଲେ । ସେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ହୁଅନ୍ତୁ କିମ୍ବା ଅଭିଷେକ ଶର୍ମା । ଜଣେ ଖେଳାଳି ୩/୪ଟି ମ୍ୟାଚ ଖରାପ ଖେଳିଲେ ତାକୁ ସମର୍ଥନ ନ କରିବା ବୁଦ୍ଧିମାନର କାମ ନୁହେଁ ବୋଲି ସେ କହିଛନ୍ତି । ସଞ୍ଜୁ ସାମସନ ଓ ଈଶାନ କିଶାନଙ୍କ ଉପରେ ମଧ୍ୟ ମୋର ଭରୋଷା ଥିଲା । ସେମାନେ ବି ଭଲ ଖେଳି ଦେଶର ନାମ ରଖିଛନ୍ତି । ଗମ୍ଭୀର ଏହା ପରେ ୨୦୨୮ ଅଲିମ୍ପିକ୍ସ ପ୍ରତି ଧ୍ୟାନ ଦେବେ ବୋଲି କହିଛନ୍ତି । ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ଗର୍ବର ବିଷୟ ହେବ ।