Latest Odisha News

ସୂର୍ଯ୍ୟମୁଖୀ

ସୂର୍ଯ୍ୟମୁଖୀ

ସୂର୍ଯ୍ୟ ଦେଓ

          ସୂର୍ଯ୍ୟ ଦେଓ

ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ ଗାଇବା ପଛରେ ଅଛି ଅନେକ ଚମକପ୍ରଦ କାହାଣୀ । ଏବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଓଡ଼ିଆ ଚଳଚ୍ଚିତ୍ର ‘ସୂର୍ଯ୍ୟମୁଖୀ’ରେ ଗାୟନ ପାଇଁ ଲତା କିଛି ବି ପାରିତୋଷିକ ନେଇ ନ ଥିଲେ, ରାମାନନ୍ଦ ସାଗରଙ୍କ ହିନ୍ଦୀ ଚଳଚ୍ଚିତ୍ର ‘ଜୀନ୍ଦେଗୀ’ର ସହ ନର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ‘ସୂର୍ଯ୍ୟମୁଖୀ’ର ପ୍ରଯୋଜକ ତଥା ନାୟକ ସୌମେନ୍ଦ୍ର ମିଶ୍ରଙ୍କ ସହ ଲତାଙ୍କ ପରିଚୟ ହୋଇଥିଲା ଓ ଲତା ସୌମେନ୍ଦ୍ରଙ୍କୁ ନିଜ ଭାଇ ପରି ମନେ କରୁଥିଲେ ।

ସୂର୍ଯ୍ୟମୁଖୀ’ରେ ଲତା ଓ ମାନ୍ନା ଦେ ଗାଇଥିବା ଦୁଇଟି ଗୀତର ରେକର୍ଡିଂ ସେହି ସମୟର ବିଖ୍ୟାତ ସଂଗୀତ ଗ୍ରହଣକାରୀ ମିନୁ କାତ୍ରକଙ୍କ ଦ୍ୱାରା ମୁମ୍ବାଇରେ ଥିବା ତାଙ୍କ ନିଜ ଷ୍ଟୁଡିଓରେ କରାଯାଇଥିଲା । ମାନ୍ନା ଦେ ମଧ୍ୟ ଏହି ଚଳଚ୍ଚିତ୍ରରୁ ପ୍ରଥମ କରି ଓଡ଼ିଆ ଗାୟନକୁ ଆସିଲେ । ଏହା ଅବଶ୍ୟ ଭିନ୍ନ କଥାଯେ ‘ସୂର୍ଯ୍ୟମୁଖୀ’ ପରେ ଲତା ଆଉ ଏକ ଓଡ଼ିଆ ଚଳଚ୍ଚିତ୍ର ‘ଅରୁନ୍ଧତି’ ପାଇଁ କେବଳ ଗୋଟିଏ ଗୀତ ଗାଇଥିଲେ ଓ ଏହା ତାଙ୍କର ଶେଷ ଓଡ଼ିଆ ଚଳଚ୍ଚିତ୍ର ହୋଇ ରହିଗଲା । ମାନ୍ନା ଦେ କିନ୍ତୁ ପରେ ଆହୁରି ଅନେକ ଓଡ଼ିଆ ଚଳଚ୍ଚିତ୍ର ପାଇଁ କଣ୍ଠ ଦାନ କଲେ ।

ଏଥର ‘ଗୀତ ପଛର ଗପ’ରେ ସ୍ଥାନିତ ହେଉଛି ଲତାଙ୍କ ଓଡ଼ିଆ ଗୀତ ସମ୍ବନ୍ଧରେ ଯାହା ଗୀତିକାର ସ୍ୱର୍ଗତଃ ଗୁରୁକୃଷ୍ଣ ଗୋସ୍ୱାମୀ ଏକଦା କହିଥିଲେ । ଆଉ ଏକ କଥା ଅବଶ୍ୟ ସେ କହିନାହାନ୍ତି ଯେ ଚଳଚ୍ଚିତ୍ର ପ୍ରଯୋଜକ ସୌମେନ୍ଦ୍ର ମିଶ୍ରଙ୍କ ଆଗ୍ରହ ଓ ଅନୁରୋଧ ପାଇଁ ଲତା ଓଡ଼ିଆରେ ଗାଇବା ପାଇଁ ସମ୍ମତି ଦେଲେ ।

ଚୁନା ଚୁନା ତାରାଫୁଲ

ଗୁରୁକୃଷ୍ଣ ଗୋସ୍ୱାମୀ ଯାହା କହିଥିଲେ

‘ସୂର୍ଯ୍ୟମୁଖୀ’ ପୂର୍ବରୁ ମୁଁ ତିନିଟି ଚଳଚ୍ଚତ୍ର ସହ ଜଡ଼ିତ ଥିଲି । ପ୍ରଥମ ଚଳଚ୍ଚିତ୍ର ‘ମା’, ସେଥିରେ ମୁଁ ଗୀତିକାର, ଦ୍ୱିତୀୟ ହେଉଛି ‘ନୂଆବୋଉ’, ସେଥରେ ବି ଗୀତିକାର, ତୃତୀୟ ‘ଦସ୍ୟୁ ରତ୍ନାକର’, ସେଥିରେ ଗୀତିକାର, ସହଯୋଗୀ ସଂଗୀତ ନିର୍ଦ୍ଦେଶକ ଓ ସହଯୋଗୀ ସଂଳାପ ଲେଖକ ମଧ୍ୟ । ନିର୍ଦ୍ଦେଶନାରେ ମଧ୍ୟ ସହଯୋଗ କରିଥିଲି । ‘ସୂର୍ଯ୍ୟମୁଖୀ’ର ପ୍ରଯୋଜକ ସୌମେନ୍ଦ୍ର ମିଶ୍ର ମୋର ବ୍ୟକ୍ତିଗତ ବନ୍ଧୁ, ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କର ମଧ୍ୟ । ଯେବେ ସଂଳାପକାର ଗୋପାଳ ଛୋଟରାୟ ନିଜର ବ୍ୟସ୍ତତା ହେତୁ ‘ସୂର୍ଯ୍ୟମୁଖୀ’ର ସଂଳାପ ଲେଖିବା ପାଇଁ ମନା କଲେ ସୌମେନ୍ଦ୍ର ବ୍ୟସ୍ତ ହେଲେ । ସେ ନିଜେ ଏହାର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥାନ୍ତି । ‘ସୂର୍ଯ୍ୟମୁଖୀ’କୁ ନେଇ ତାଙ୍କର ଅନେକ ସ୍ୱପ୍ନ । ମୁଁ କେବଳ ଗୀତ ରଚନା ପାଇଁ ନିମନ୍ତ୍ରିତ ହୋଇଥାଏ । ବନ୍ଧୁ ସୌମେନ୍ଦ୍ରଙ୍କ ଆଗ୍ରହରେ ଏହାର ସଂଳାପ ମଧ୍ୟ ରଚନା କଲି, ସହ ନିର୍ଦ୍ଦେଶନା ଦେଲି, ପ୍ରଯୋଜନା ନିୟନ୍ତ୍ରଣ ମଧ୍ୟ କଲି । ହଁ, ଗୋଟିଏ ସମୁହ ଗୀତରେ କଣ୍ଠଦାନ ମଧ୍ୟ କଲି । ତାହା ମଧ୍ୟ ବାଧ୍ୟ ହୋଇ । ଗଳା ଖରାପ ହୋଇଯିବାରୁ ଡାକ୍ତରଙ୍କ ପରାମର୍ଶରେ ମୁଁ ଗୀତ ଗାଇବା ତ କେବେଠୁ ଛାଡ଼ିଦେଇଥିଲି । କଲିକତାରେ ଗୀତ ରେକର୍ଡିଂ ବେଳେ ପୁରୁଷ କଣ୍ଠ ଆବଶ୍ୟକ ହେବାରୁ ବାଧ୍ୟ ହୋଇ ଗାଇଲି ।

‘ସୂର୍ଯ୍ୟମୁଖୀ’ର ଗୀତ ରେକର୍ଡିିଂ କଲିକତାରେ ହୋଇଥିଲା, ବମ୍ବେରେ ବି । ମନେ ଅଛି ଗୀତ ରେକର୍ଡିିଂ ପାଇଁ ଶାନ୍ତନୁ ମହାପାତ୍ର ଓ ମୁଁ ଯାଇଥାଉ ବମ୍ବେ । ମୋର ‘ଚୁନା ଚୁନା ତାରାଫୁଲେ ଆଜି’ ଗୀତଟି ଲତା ମଙ୍ଗେଶକର୍ ଗାଇବାର ଥାଏ । ଲତାଜୀ ଗୀତ ଗାଇବା ପୂର୍ବରୁ ତାହାର ଅର୍ଥ ଜାଣିବାକୁ ଚାହିଁଲେ । ମୁଁ ଇଂଲିଶରେ ତାଙ୍କୁ ଅର୍ଥ ବୁଝାଇ ସାରିବା ପରେ ‘ଚୁନାଚୁନା ତାରାଫୁଲ’ ପଦ୍ୟ ଅଂଶକୁ ବାରମ୍ବାର ବୁଝାଇବାକୁ କହିଲେ । ବୁଝିଗଲା ପରେ ଲତାଜୀ କହିଲେ ଯେ ଏମିତି ପ୍ରୟୋଗ ସେ କମ୍ ଶୁଣିଛନ୍ତି, ମୁଁ ହିନ୍ଦୀ ଶିଖି ବମ୍ବେ ଚାଲି ଆସିଲେ ଖୁବ୍ ଭଲ ହେବ, ଭଲ ହିନ୍ଦୀ ଗୀତ ଲେଖିପାରିବି । ଲତାଜୀଙ୍କର ଏହି ସ୍ନେହ ସଦିଚ୍ଛା ମୋର ସବୁଦିନ ପାଇଁ ମନେ ରହିବ ଓ ଅଛି ।

ଚଳଚ୍ଚିତ୍ର: ସୂର୍ଯ୍ୟମୁଖୀ, ୧୯୬୨

ପ୍ରଯୋଜନା: ଉଦୟ ପିକଚର୍ସ

ସଂଗୀତ: ଶାନ୍ତନୁ ମହାପାତ୍ର

ଚୁନା ଚୁନା ତାରା ଫୁଲ

କିମ୍ପା ତା’ର ମଧୁ ଛୁଅାଁ
ଆଣେ ଏ ନିଶୀଥେ ମାୟା
ପାରେ ନାହିଁ ମୁହିଁ ବୁଝି
ହାୟ!
ପାଏନା ମୁଁ ତାରେ ଖୋଜି
ସେଇ
ଚୁନା ଚୁନା ତାରା ଫୁଲ ଆଜି

ସେ ଯେ ଭରା ବଉଳର
ମିଠା ମିଠା ମହକରେ
କିମ୍ପା ଆଣେ ଶୀହରଣ
ମରମେ ପୁଲକ ଭରେ
ଧୀମା ଧୀମା ସମୀରରେ
ଝିଲ୍ଲୀର ସୁରେ ସୁରେ
ଅତୀତ ମୋ ଦେଲା ଭାଜି
ପାଏନା ମୁଁ ତାରେ ଖୋଜି
ସେଇ
ଚୁନା ଚୁନା ତାରା ଫୁଲ ଆଜି
କିଏ
ଚୁମି ଚୁମି ଗଲା ହାୟ ହଜି

ଆଖିରେ ମୋ ଦେଇଗଲା କୁହୁକ କଜଳ
ଯେ ପାଇଁ କି ଦିଶେ ସବୁ ସବୁଜ ମଧୁର
ସେ ଯେ ଝରା ଶିଶିରରେ
ଟୋପା ଟୋପା ଅଭିମାନ
ଦେଇଗଲା ଉପହାର
ତୋଳି ନେଲା ମୋର ମନ
ଚେନା ଚେନା ଭାବନାରେ
ରଙ୍ଗିନ କରି ଧୀରେ
ଆଗତ ମୋ ଦେଲା ସାଜି
ସେଇ
ଚୁନା ଚୁନା ତାରା ଫୁଲ ଆଜି
ସେଇ
ଚୁନା ଚୁନା ତାରା ଫୁଲ ଆଜି
ଗୀତ : ଗୁରୁକୃଷ୍ଣ ଗୋସ୍ୱାମୀ
ଗାୟନ : ଲତା ମଙ୍ଗେସକର୍

 

Leave A Reply

Your email address will not be published.