ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ନେତୃତ୍ବକୁ ନେଇ ରାଜସ୍ଥାନ କଂଗ୍ରେସରେ ଦେଖା ଦେଇଥିବା ସଙ୍କଟ ନିର୍ବାଚନ ଯେଉଁଭଳି ସ୍ବାଭାବିକ ଭାବରେ ହେବ ବୋଲି ଆଶା କରାଯାଉଥିଲା ସେଥିରେ ବ୍ୟତିକ୍ରମ ହୋଇଛି। ପ୍ରଥମେ ଅଶୋକ ଗେହଲଟ ଏବଂ ଶଶୀ ଥରୁରଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା। ଗେହଲୋଟ ଅଧ୍ୟକ୍ଷ ହେବେ ବୋଲି ମଧ୍ୟ ଏକ ପ୍ରକାର ନିଷ୍ପତ୍ତି ହୋଇଥିଲା। କିନ୍ତୁ ଗତକାଲି ରାତିରେ ଘଟଣାକ୍ରମ ପରେ ରାଜଧାନୀ ଦିଲ୍ଲୀ ସ୍ଥିତ ୧୦ ଜନପଥ ଅଶୋକଙ୍କୁ ଅଧ୍ଯକ୍ଷ ପଦ ଦେବାକୁ ଅନିଚ୍ଛା ପ୍ରକାଶ କରିଛି। ଆଉ ଏବେ ତାଙ୍କର ବିକଳ୍ପ ଭାବେ ତିନି ନେତାଙ୍କୁ ନେଇ ବିଚାର କରୁଛି।
ଏହି ଦୌଡ଼ରେ ତିନିଜଣ ନେତାଙ୍କ ନାମ ଆଗକୁ ଆସିଛି। ଏହି ତିନି ନେତାଙ୍କ ନାମ ହେଉଛି ମୁକୁଲ ୱାସନିକ, ଦିଗବିଜୟ ସିଂହ ଏବଂ ମଲ୍ଲିକାର୍ଜୁନ ଖାଡଗେ। ଏହି ତିନି ଅଣ ଗାନ୍ଧୀ ନେତାଙ୍କୁ ନେଇ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଚିନ୍ତା କରୁଥିବା ସୂଚନା ରହିଛି।
ମୁକୁଲ ୱାସନିକ ମହାରାଷ୍ଟ୍ରର ନେତା। ତାଙ୍କ ବାପା ବାଲକ୍ରିଷ୍ଣା ୱାସନିକ ମାତ୍ର ୨୮ ବର୍ଷ ବୟସରେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ସେ ତାଙ୍କ ବାପାଙ୍କ ରେକର୍ଡ ଭାଙ୍ଗିଥିଲେ। ମୁକୁଲ ମାତ୍ର ୨୫ ବର୍ଷ ବୟସରେ ନିର୍ବାଚନରେ ଜିତିଥିଲେ। ତାଙ୍କ ବାପାଙ୍କ ପରେ ମୁକୁଲ ୱାସନିକ ୧୯୮୪, ୧୯୯୧ ଏବଂ ୧୯୯୮ ରେ ବୁଲଢାନାରୁ ଲୋକସଭା ନିର୍ବାଚନରେ ଜିତିଥିଲେ। ଏହା ସହିତ ସଂଗଠନରେ ତାଙ୍କର ଅନେକ ଅଭିଜ୍ଞତା ରହିଛି । ସେ ଭାରତୀୟ ଯୁବ କଂଗ୍ରେସର ଜାତୀୟ ସଭାପତି ମଧ୍ୟ ରହିଛନ୍ତି। ସେ ଗାନ୍ଧୀ ପରିବାରର ଅତି ନିକଟତମ ଥିବା କୁହାଯାଉଛି।
ସେହିପରି ଦିଗବିଜୟ ସିଂ ତଥା ଦିଗି ରାଜ ଭାବେ ଜଣାଶୁଣା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ। ବିଜେପିର ଘୋର ବିରୋଧୀ। ଦଳର ସଙ୍କଟ ସମୟରେ ଗୁଲାମ ନବୀ ଆଜାଦ, କପିଲ ଶିବଲ ଭଳି ନେତା ଦଳ ଛାଡି ଦେଇଥିବା ବେଳେ ଏଯାବତ ଦଳରେ ରହିଛନ୍ତି ଦିଗି ରାଜା। ଯଦିଓ ସେ ଅନେକ ଥର ଦଳର ନେତାମାନଙ୍କୁ ସର୍ବସାଧାରଣରେ ବିରୋଧ କରିଛନ୍ତି, ତଥାପି ଗାନ୍ଧୀ ପରିବାର ପ୍ରତି ତାଙ୍କର ବିଶ୍ୱସ୍ତତା ଅକ୍ଷୁର୍ଣ୍ଣ ରହିଛି।
ନିକଟରେ ଯେତେବେଳେ ଭରତ ଯୋଡା ଯାତ୍ରା ପାର୍ଟି ଦ୍ୱାରା ଆରମ୍ଭ ହୋଇଛି, ସେତେବେଳେ ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସହ ଦିଗବିଜୟ ସିଂଙ୍କୁ ଆଗରେ ଦେଖିବାକୁ ମିଳିଛି। ନିଜେ ଦଳର ଅଧ୍ୟକ୍ଷ ପଦ ପାଇଁ ଇଚ୍ଛା ରଖିଛନ୍ତି ବୋଲି କହିଥିଲେ। ପରେ ପ୍ରତ୍ୟାହାର କରିଥିଲେ। ପ୍ରାୟ ୫୦ ବର୍ଷ ଧରି ଭାରତୀୟ ରାଜନୀତିରେ ସକ୍ରିୟ ଥିବା ଦିଗବିଜୟ ସିଂ ଇନ୍ଦିରା ଗାନ୍ଧୀଙ୍କ ସହ କାମ କରିଛନ୍ତି। ସେ ମଧ୍ୟପ୍ରଦେଶରେ କଂଗ୍ରେସର ସଭାପତି ରହିଛନ୍ତି ।
ତୃତୀୟ ନାମ ହେଉଛି ମଲ୍ଲିକାର୍ଜୁନ ଖାଡଗେ । ହଠାତ ଖାଡଗେଙ୍କ ନାମ ଅଧ୍ୟକ୍ଷ ରେସରେ ଥିବା ଚର୍ଚ୍ଚା ହେଉଛି। ରବିବାର ରାଜସ୍ଥାନ କଂଗ୍ରେସରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ସମୟରେ ମଲ୍ଲିକାର୍ଜୁନ ଖାଡଗେ ହାଇକମାଣ୍ଡଙ୍କ ନିର୍ଦ୍ଦେଶକ୍ରମେ ଯାଇ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିଥିଲେ।ୟୁପିଏ ସରକାରରେ କେନ୍ଦ୍ରମନ୍ତ୍ରୀ ସହିତ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ମଧ୍ୟ ଥିଲେ।
Comments are closed.